ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମୁଁ କିନ୍ତୁ ବୁଝିସାରିିଥିଲି ଯେ ବିଶ୍ୱାସର ଆଧାର ସ୍ତମ୍ଭ ଭାବେ ମୋ ସ୍ଥିତି ଚିରନ୍ତନ ନୁହେଁ । ମୋର ପତନ ଅବଶ୍ୟମ୍ଭାବୀ । ରୋମାନ୍‍‌ମାନଙ୍କ ବିରୋଧୀ ଗ୍‍‌ଥମାନେ ମୋତେ ଆକ୍ରମଣ କଲେ ୨୬୨ ଖ୍ରୀଷ୍ଟାବ୍ଦରେ । ଉଦ୍ଦେଶ୍ୟ ଥିଲା ନିଜ ପ୍ରତିପତ୍ତି ଓ ବୀରତ୍ୱ ପ୍ରଖ୍ୟାପିତ କରିବା । ମୁଁ ପୁଣି ଲୁଣ୍ଠିତ ହେଲି, ଧୂଳିସାତ୍‍ ହେଲି । ଇଫେସସ୍‍ବାସୀ ପୁନର୍ବାର ପ୍ରତିଜ୍ଞା କଲେ ମୋର ପୁନଃ ନିର୍ମାଣ କରିବାକୁ । ହେଲେ ସେମାନେ ଦେଖି ପାରିଲେନି ଯେ ସେମାନଙ୍କ ଅବଚେତନ ମନରେ ମୋ ପ୍ରତି ଥିବା ବିଶ୍ୱାସ ଧୀରେ ଧୀରେ ଚହଲିବା ଆରମ୍ଭ କରିଛି । ଖ୍ରୀଷ୍ଟ ଧର୍ମ ଖୁବ୍‍ ଭଲ ଭାବରେ ପ୍ରଭାବ ବିସ୍ତାର କରିବା ଆରମ୍ଭ କରିଥିଲା । ସମାଜର ଉପର ସ୍ତରରେ ଥିବା ବ୍ୟକ୍ତି ଓ ପରିବାରମାନେ ଦେବୀ ଆର୍ଟେମିସ୍‍ଙ୍କ ଶରଣ ଛାଡି ପ୍ରଭୁ ଯୀଶୁଙ୍କ କୃପାଭାଜନ ହେବାପାଇଁ ପ୍ରଚେଷ୍ଟା ଆରମ୍ଭ କରିଦେଇଥିଲେ । ଖ୍ରୀଷ୍ଟଧର୍ମ, ରାଜଧର୍ମର ରୂପ ନେବା ଆରମ୍ଭ ହୋଇଯାଇଥିଲା । ଚତୁର୍ଥ ଖ୍ରୀଷ୍ଟାବ୍ଦ ବେଳକୁ ଇଫେସସ୍‍ର ଅଧିକାଂଶ ପରିବାର ଖ୍ରୀଷ୍ଟ ଧର୍ମାବଲମ୍ବୀ ହୋଇସାରିଥିଲେ । ନୂତନ ଧର୍ମ ସେମାନଙ୍କ ବିଶ୍ୱାସର ନୂଆ ଆଧାର ହୋଇପାରିଥିଲା । ସେମାନେ ନିଜର ବିଶ୍ୱାସକୁ ଆଉ ମୋ ସହ କି ପ୍ରକୃତିର ଦେବୀ ଆର୍ଟେମିସ୍‍ଙ୍କ ସହ ଯୋଡିବାକୁ ଚାହୁଁନଥିଲେ ।
ଏହାର ସୁଯୋଗ ନେଲେ ଧର୍ମଧ୍ୱଜୀମାନେ । ପରିତ୍ରାଣ କରିବାର ଦ୍ୱାହି ଦେଇ ଅତୀତକୁ ଧ୍ୱଂସ କରିବା ଧର୍ମଧ୍ୱଜୀମାନଙ୍କର କାଳ କାଳର ଅଭ୍ୟାସ । ରାଜତନ୍ତ୍ରର ପୃଷ୍ଠପୋଷକତାରେ ମାନବମନ ଉପରେ ରାଜତ୍ୱ କରିବାର ଅପଚେଷ୍ଟା କରୁଥିବା ଏହି ଧର୍ମଧ୍ୱଜୀମାନେ କଳା, ଭାସ୍କର୍ଯ୍ୟ ଓ ସଂସ୍କୃତିକୁ ଧ୍ୱସ୍ତ କରିବାରେ କୌଣସି ଗ୍ଳାନି ଅନୁଭବ କରନ୍ତି ନାହିିଁ । ସେମାନଙ୍କ ମନରେ ସବୁବେଳେ ଗୋଟିଏ ଗର୍ବ ଘର କରିରହିଥାଏ "ଆମେ ହିିଁ ସତ୍ୟର ଏକମାତ୍ର ମାର୍ଫତଦାର" । ଫଳରେ ୪୦୧ ଖ୍ରୀଷ୍ଟାବ୍ଦରେ ମୁଁ ପୁଣି ଥରେ ଦେଖିଲି ଏକ ବର୍ବର କାଣ୍ତ ।

୩୮ ସପ୍ତାଶ୍ଚର୍ଯ୍ୟ