ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନିୟତି କିନ୍ତୁ କାଳିଗୁଳାଙ୍କ ସ୍ବପ୍ନକୁ ସଫଳ କରାଇ ଦେଇ ନଥିଲା । ଇତିହାସକାର ସ୍ୟୁଟେନିଅସ୍ ଲେଖିଛନ୍ତି- “କାଳିଗୁଲାଙ୍କ ସେବକମାନେ ଜିଅସ୍‌ଙ୍କ କ୍ରୋଧକୁ ସାମନା କରିବାକୁ ସାହସ କରିପାରିନଥିଲେ । ମୋତେ ଖଣ୍ଡଖଣ୍ଡ କରି ଅଲଗା କରି ବୋହି ନେବାର ଯୋଜନା କରାଯାଇଥିଲା । ମୋତେ ଭାଙ୍ଗିବା ପାଇଁ ତିଆରି କରାଯାଇଥିଲା ଏକ ବିରାଟ ମଞ୍ଚ । କୌଣସି କାରଣବଶତଃ ମୋତେ ଭାଙ୍ଗିବାର ପ୍ରଚେଷ୍ଟା ଆରମ୍ଭ ହେବା ପୂର୍ବରୁ ମଞ୍ଚଟି ଭାଙ୍ଗିପଡ଼ିଥିଲା । କାଳିଗୁଲାଙ୍କ ସେବକଙ୍କ ମଧ୍ୟରେ ଖେଳିଯାଇଥିଲା ଦେବରାଜ ଜିଅସ୍‌ଙ୍କ କ୍ରୋଧର କୋକୁଆ ଭୟ । କିଏ କୁଆଡ଼େ ଲୁଚିଥିଲେ । ଆଉ ମୁଁ ବଞ୍ଚିଯାଇଥିଲି ଧ୍ୱଂସ ହେବାରୁ ।'

କାଳ ହିଁ ବଞ୍ଚାଇଥିଲା ମୋତେ । ଆଉ ଦିନେ ସେଇ କାଳର କୋଳରେ ହିଁ ମୋର ପତନ ହୋଇଥିଲା । କାଳିଗୁଲାଙ୍କ ସମୟରୁ ହିଁ ଘୁଣ ଖାଇବା ଆରମ୍ଭ କରିଥିଲା ମୋ ପ୍ରତି ଓ ଗ୍ରୀକ୍ ଦେବତାମାନଙ୍କ ପ୍ରତି ଥିବା ଲୋକମାନଙ୍କ ବିଶ୍ୱାସ । ଗ୍ରୀକ୍ ସାମ୍ରାଜ୍ୟ ଓ ବିଶ୍ୱାସର ପତନ ଆରମ୍ଭ ହୋଇଥିଲା । ରୋମ୍ ସାମ୍ରାଜ୍ୟରେ ପାଦ ଦେଇଥିଲା ଏକ ନୂତନ ଆସ୍ଥା । ଯେଉଁ ରୋମାନ୍‌ମାନେ ଦିନେ ଯୀଶୁଖ୍ରୀଷ୍ଟଙ୍କୁକ୍ରୁଶବିଦ୍ଧ କରିଥିଲେ, ସେମାନେ ବିଭିନ୍ନ କାରଣରୁ ଖ୍ରୀଷ୍ଟଧର୍ମର ପ୍ରମୁଖ ପ୍ରଚାରକ ପାଲଟିବା ଆରମ୍ଭ କରିଥିଲେ । ଗ୍ରୀକ୍ ପୁରାଣର ଦେବତାମାନଙ୍କ ପୂଜା ସେମାନଙ୍କପାଇଁ ହୋଇଯାଇଥିଲା ପୁରାତନତାର ମୂର୍ଖାମି । ନୂତନତାର ମୋହରରେ ରୋମ୍‌ର ଶାସକମାନେ ନିଜକୁ ମୂର୍ତ୍ତିପୂଜା ବିରୋଧୀ ବୋଲି ପ୍ରତିପାଦିତ କରିବାକୁ ଚାହୁଁଥିଲେ । ମୁଁ ମଉଜରେ ହସିଥିଲି । କାରଣ ସେମାନେ ବି ମାତିଥିଲେ ପ୍ରତୀକ ଉପାସନାର ନିଶାରେ । ପୁରାତନ ଦେବତାମାନଙ୍କର ସ୍ଥାନ ନେବା ଆରମ୍ଭ କରିଥିଲେ ବିଶ୍ୱାସର ନୂତନ ପ୍ରତୀକ ଯୀଶୁ ଓ ତାଙ୍କ ମାତା ମ୍ୟାରୀ । ପ୍ରତୀକ ଉପାସନା ଚାଲିଥିଲା, କିନ୍ତୁ ଏକ ନୂତନ ରୂପରେ । ମୁଁ ଜାଣିପାରିଥିଲି ମୋ ସମୟ ସରିସରି ଆସୁଛି ।

ମୋତେ ନଷ୍ଟ କରିବା ଆଗରୁ ମୋର ଶକ୍ତିର ଉତ୍ସ, ମୋ ପ୍ରତି ଥିବା ବିଶ୍ୱାସକୁ ନଷ୍ଟ କରିବାକୁ ଚେଷ୍ଟା କରାଗଲା । ଅଲମ୍ପିଆ ଓ ଦେବରାଜ ଜିଅସ୍‌ଙ୍କ ପ୍ରତି ଥିବା ସମ୍ମାନକ୍ଷୁଣ୍ଣ କରାଗଲା । ଅଲମ୍ପିଆ ଓ ମୋ ସହ ଜଡ଼ିତ ରୀତିନୀତିକୁ ବନ୍ଦ କରାଗଲା । କାରଣ ତାହା ଦୂରଦୂରାନ୍ତରରୁ ଲୋକମାନଙ୍କୁ ଭିଡ଼ି ଆଣୁଥିଲା ମୋ ପାଖକୁ । ଏକ ନୂତନ ଧର୍ମକୁ ସାମ୍ରାଜ୍ୟବାଦର ଅସ୍ତ୍ର କରିଥିବା ରାଜତନ୍ତ୍ରର ଖଡ଼୍‌ଗର ଆତଙ୍କରେ ବଳି ପଡ଼ିଲା କ୍ରୀଡ଼ାର ମହାକୃମ୍ଭ ଅଲମ୍ପିକ୍ସ ।

୩୯୧ ଖ୍ରୀଷ୍ଟାବ୍ଦରେ ସମ୍ରାଟ ଥିୟୋଡୋସିୟସ୍ ଦ୍ୱିତୀୟ ଆଦେଶ ଦେଲେ ଅଲମ୍ପିକ୍ସ କ୍ରୀଡ଼ା ମହୋତ୍ସବକୁ ବନ୍ଦ କରିଦେବାକୁ । ତାଙ୍କ ମତରେ ଏହା ଥିଲା ବର୍ବର ମୂର୍ତ୍ତିପୂଜକ ସଂସ୍କୃତିର ଅଙ୍ଗ । ତାଙ୍କ ଯୁଗର ତଥାକଥିତ ଉନ୍ନତ ଓ ସଭ୍ୟ ସମାଜରେ ଅଲମ୍ପିକ୍ସର ସ୍ଥାନ ନଥିଲା । ସେ ଅଲମ୍ପିକ୍ସର ଆଧାରସ୍ତମ୍ଭ ଜିଅସ୍‌ଙ୍କ ମନ୍ଦିରକୁ ବି ବନ୍ଦ କରିଦେବାକୁ ଆଦେଶ ଦେଲେ । କିନ୍ତୁ ଅଲମ୍ପିକ୍ସ ମଲାନି । ଗ୍ରୀକ୍ ପୁରାଣର ଫିନିକ୍ସ ପକ୍ଷୀ ଭଳି ଧ୍ୱଂସର ପାଉଁଶରୁ ପୁଣି ଜନ୍ମ ନେଲା ଆଧୁନିକ ଯୁଗରେ । ମୁଁ ହୁଏତ ନାହିଁ, ହେଲେ ଅଲମ୍ପିକ୍ସ ବଞ୍ଚିଛି ଏକ ନୂତନ ବିରାଟ ରୂପରେ । ଥିୟୋଡୋସିୟସ୍ ମାରିବାକୁ ଚାହୁଁଥିବା ମୂର୍ତ୍ତିପୂଜା ଓ ପ୍ରତୀକ ପୂଜା ପରମ୍ପରା ବଞ୍ଚିଛି ବିରାଟ କ୍ୟାଥେଡ୍ରାଲ୍ ଓ ଚର୍ଜମାନଙ୍କଭିତରେ ।

ସପ୍ତାଶ୍ଚର୍ଯ୍ୟ ୫୧