ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମୋତେ ନିର୍ମାଣ କରାଯାଇଥିଲା ହାଲିକାର୍ନାସସ୍ ସହରରେ । ଏହା ବର୍ତ୍ତମାନର ତୁର୍କୀରେ ଅବସ୍ଥିତ । ନିକଟରେ ଥିଲା ଜୀବନୀଶକ୍ତି ଓ ମାତୃଶକ୍ତିର ଉପାସନା କ୍ଷେତ୍ର, ଆର୍ଟେମିସ୍‌ଙ୍କ ମନ୍ଦିର । ହାଳିକାର୍ନାସସ ଥିଲା ପାରସ୍ୟର ଏକ ଛୋଟ ରାଜ୍ୟ କାରିଆର ରାଜଧାନୀ । ଏହାକୁ ପ୍ରତିଷ୍ଠା କରିଥିଲେ ମସୋଲସ୍ । ଖ୍ରୀଷ୍ଟପୂର୍ବ ୩୭୭ରେ ମସୋଲସ୍‌ଙ୍କ ପିତା ହେକ୍ଟାଟୋମ୍ନସ୍‌ଙ୍କ ଦେହାନ୍ତ ହେଲା । ସିଂହାସନ ଆରୋହଣ କଲେ ରାଜପୁତ୍ର ମସୋଲସ୍ । ହେକ୍ଟାଟୋମ୍ନସ୍ ଓ ମସୋଲସ୍ ଗ୍ରୀକ୍ ରାଜ ପରିବାରର ଅଂଶ ନ ଥିଲେ । କିନ୍ତୁ ସେମାନେ ଗ୍ରୀକ୍ ଜୀବନଧାରା ଦ୍ୱାରା ପ୍ରଭାବିତ ଥିଲେ । ସେମାନେ ଗ୍ରୀକ୍ ଭାଷାକୁ ରାଜଭାଷା ରୂପେ ବ୍ୟବହାର କରୁଥିଲେ ଏବଂ ଗ୍ରୀକ୍ ଜୀବନଶୈଳୀକୁ ପ୍ରୋତ୍ସାହିତ କରୁଥିଲେ । ସେମାନଙ୍କ ସହର ଗୁଡ଼ିକ ଗ୍ରୀକ୍ ଶୈଳୀରେ ନିର୍ମାଣ କରାଯାଇଥିଲା ।
ଗ୍ରୀକ୍ ଓ ଇଜିପ୍ଟର ରାଜପରିବାର ଭଳି ସଗୋତ୍ର ବିବାହର ପ୍ରଚଳନ ଥିଲା ହେକ୍ଟାଟୋମ୍ନସଙ୍କ ପରିବାରରେ । ମସୋଳସ୍ ବିବାହ କରିଥିଲେ ନିଜ ଭଉଣୀ ଆର୍ଟେମିସିଆଙ୍କୁ । ଶାସନ କ୍ଷେତ୍ରରେ ମସୋଲସ୍ ଓ ଆର୍ଟେମିସିଆଙ୍କର ଥିଲା ସମାନ କର୍ତ୍ତୃତ୍ୱ |
ଆର୍ଟେମିସିଆ ଓ ମସୋଲସ୍ ଏକାଠି ଶାସନ କରିଥିଲେ ପ୍ରାୟ ୨୪ ବର୍ଷ । ସେମାନେ ନିଜ ରାଜ୍ୟର ଏକ ନୂତନ ରାଜଧାନୀ ସ୍ଥାପନ କରିଥିଲେ । ହାଲିକାର୍ନାସସ୍‌କୁ ବଛା ଯାଇଥିଲା ନୂତନ ରାଜଧାନୀ ଭାବେ । ଏହା ଥିଲା ଏକ ଛୋଟ ବନ୍ଦର ଭିତ୍ତିକ ନଗର । ଆର୍ଟେମିସିଆ ଓ ମସୋଲସ୍ ନୂତନ ରାଜଧାନୀ ପାଇଁ ଅର୍ଥ ପାଣି ଭଳି ବୁହାଇଥିଲେ । ସେମାନେ ଚାହୁଁଥିଲେ ସେମାନଙ୍କ ପରେ ମଧ୍ୟ ଏହି ରାଜଧାନୀ ସେମାନଙ୍କ ଐଶ୍ୱର୍ଯ୍ୟ ପରାକାଷ୍ଠାର ପ୍ରତୀକ ଭାବେ ବଞ୍ଚି ରହୁ । ହାଲିକାର୍ନାସସ୍‌ଙ୍କୁ ଜାହାଜମାନଙ୍କ ଯିବା ଆସିବା ସୁବିଧାଜନକ କରିବାପାଇଁ ଏହାର ପୋତାଶ୍ରୟକୁ ଆହୁରି ଗଭୀର କରାଗଲା । ଗ୍ରୀକ୍ ସାମ୍ରାଜ୍ୟର ମହାନଗରମାନଙ୍କ ଭଳି ହାଲିକାର୍ନାସସ୍‌କୁ ସଜା ଯାଇଥିଲା ସୁଦୃଶ୍ୟ ପ୍ରାସାଦ, ମନ୍ଦିର ଓ ଦେବତାମାନଙ୍କ ମୃର୍ତ୍ତି ଦ୍ୱାରା ।
ଆର୍ଟେମିସିଆ ଖୁବ୍ ଭଲ ପାଉଥିଲେ ନିଜ ସ୍ୱାମୀ ତଥା ଭାଇ ମସୋଲସ୍‌ଙ୍କୁ । ସେ ନିଜର ପ୍ରେମର ପ୍ରତୀକକୁ ରାଜଧାନୀର ଶ୍ରେଷ୍ଠତମ ଭାସ୍କର୍ଯ୍ୟରୂପେ ଗଢ଼ିବାପାଇଁ ଯୋଜନା କରିଥିଲେ । ମୋତେ ଆଧାର ଭାବେ ବ୍ୟବହାର କରି ନିଜକୁ, ନିଜ ପ୍ରେମକୁ ଓ ରାଜଗର୍ବର ଐଶ୍ୱର୍ଯ୍ୟକୁ ଅମର କରିବାକୁ ଚେଷ୍ଟା କରିଥିଲେ । ଆର୍ଟେମିସିଆଙ୍କ ସ୍ୱପ୍ନ ସଫଳ ହେଲା । ମୁଁ ହେଲି ବିଶ୍ୱର ଶ୍ରେଷ୍ଠତମ ଭାସ୍କର୍ଯ୍ୟ । କିନ୍ତୁ ମୋର ନିର୍ମାଣ ସଂପୂର୍ଣ୍ଣ ହେବା ଆଗରୁ ଦୁଇଜଣଯାକ ଇହଲୀଳା ସମ୍ବରଣ କରିଥିଲେ ।

ଖ୍ରୀଷ୍ଟପୂର୍ବ ୩୫୩ରେ ଦେହାନ୍ତ ହେଲା ମସୋଲସ୍‌ଙ୍କର । ସେତେବେଳେ ମୋର ନିର୍ମାଣ ସଂପୂର୍ଣ୍ଣ ହେବାପାଇଁ ଆହୁରି ଅନେକ କିଛି ବାକି ଥାଏ । ମସୋଲସ୍‌ଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଥିଲେ ଆର୍ଟେମିସିଆ । ଶାସନର ସମଗ୍ର ବୋଝ ଲଦି ହୋଇଗଲା ତାଙ୍କ କାନ୍ଧ ଉପରେ । ହାଲିକାର୍ନାସସ୍‌କୁ ଆକ୍ରମଣ କଲେ ରୋହଡ଼ସ୍‌ର ନୌସେନା । ଆର୍ଟେମିସିଆ ନିଜ ସ୍ୱାମୀଙ୍କ ସ୍ୱପ୍ନ ଓ ଆଶାକୁ ଧୂଳିସାତ୍ ହେବାକୁ ଦେଲେନି । ପରାଜିତ କରି ଅକ୍ତିଆର କରିନେଲେ ଆକ୍ରମଣ କରିଥିବା ଶତ୍ରୂ ପକ୍ଷର ଜାହାଜମାନଙ୍କୁ । ସେହି ଜାହାଜଦ୍ୱାରା ହାଲିକାର୍ନାସସ୍ ସେନା ପହଞ୍ଚିଲେ ରୋହଡସ୍‌ଠାରେ ଓ ପରାଜିତ କଲେ ଆକ୍ରମଣକାରୀମାନଙ୍କୁ ।

ସପ୍ତାଶ୍ଚର୍ଯ୍ୟ ୫୫