ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମୋର ଏ ଧାରଣା ସୁଦୃଢ଼ ହୋଇଥିଲା ଯେତେବେଳେ ଦସ୍ୟୁ ବି ବିମୋହିତ ହୋଇଥିଲେ ମୋ ସୌନ୍ଦର୍ଯ୍ୟରେ । ଖ୍ରୀଷ୍ଟପୂର୍ବ ୬୨ ଓ ୫୮ ମସିହାରେ ଜଳଦସ୍ୟୁମାନେ ହାଲିକାର୍ନାସସ୍ ଆକ୍ରମଣ କରିଥିଲେ । ଲୁଣ୍ଠନ କରିଥିଲେ ସହରକୁ । ହେଲେ ସେମାନଙ୍କ ଲୋଲୁପ ଦୃଷ୍ଟିକୁ ବି ଶାନ୍ତ କରିପାରିଥିଲା ମୋର ଶାନ୍ତ ଆଭା । ଜଳଦସ୍ୟୁମାନେ ମୋ ଐଶ୍ଚର୍ଯ୍ୟଲୁଟ୍ କରି ନ ଥିଲେ । ମୋତେ ଧ୍ୱଂସ କରିବାକୁ କୌଣସି ଚେଷ୍ଟା କରି ନ ଥିଲେ ।
ମୁଁ ଥିଲି ଅନନ୍ୟ । କାରଣ ମୁଁ ଥିଲି ଏକମାତ୍ର ଗ୍ରୀକ୍ ସ୍ଥାପତ୍ୟ, ଯାହା କୌଣସି ଦେବଦେବୀଙ୍କୁ ସମର୍ପିତ ନଥିଲା । ବେଳେବେଳେ ଭାବେ, କ'ଣ ଏଇଞ୍ଚିପାଇଁ ମୁଁ ବଞ୍ଚି ରହିପାରିଲି ଦୀର୍ଘ ୧୬୦୦ବର୍ଷ ! ମୁଁ କୌଣସି ବିଶ୍ୱାସର ପକ୍ଷଭୂକ୍ତ ନ ଥିଲି । ମୁଁ ଥିଲି କେବଳ ପ୍ରେମ ଓ ସୁନ୍ଦରତାର ପ୍ରତୀକ । ମୋର କେହି ରକ୍ଷାକର୍ତ୍ତା ନ ଥିଲେ । ମୋତେ ଜଗି ରହିଥିଲେ ଯୋଦ୍ଧା, ପୁରାଣ ପୁରୁଷ, ସିଂହ, ଘୋଡ଼ା ଓ ଅନ୍ୟାନ୍ୟ ଜୀବଜନ୍ତୁମାନଙ୍କ ଜୀବନ୍ତ ପ୍ରତିମା । ଏଇମାନେ ହିଁ ମୋତେ ଲୁଣ୍ଠନରୁ ବଞ୍ଚାଇଥିଲେ ଶହ ଶହ ବର୍ଷ ଧରି |
ହେଲେ ମୋତେ ବି ଦିନେ ନା ଦିନେ ଅନୁଭବ କରିବାକୁ ଥିଲା ସଂସାରର ଓ ମୋ ନିଜର ନଶ୍ୱରତା । ଷୋହଳ ଶତାବ୍ଦୀ ଧରି ଗର୍ବୋନ୍ନତ ଥିବା ମଥା ଧୂଳିସାତ୍ ହୋଇଥିଲା ଏକ ଭୂମିକମ୍ପରେ । ସ୍ତମ୍ଭଗୁଡ଼ିକ ଭାଙ୍ଗିଯାଇଥିଲା । କାଂସ୍ୟ ରଥ ଆକାଶରୁ ଭୂପତିତ ହୋଇଥିଲା । ଆର୍ଟେମିସିଆ ଓ ମସୋଲସ୍‌ଙ୍କ ପ୍ରତିକୃତି ଖଣ୍ଡିତ ହୋଇଥିଲା । ମୋ ସହ ମୋ ସହର ହାଲିକାର୍ନାସସ୍ ବି ହରାଇ ବସିଲା ନିଜର ପରିଚୟ । ସହର ଓ ମୁଁ ହଜିଗଲୁ ସମୟର ଢ଼େଉରେ । ପାରସ୍ୟର ମାନସିକତାରେ

ସପ୍ତାଶ୍ଚର୍ଯ୍ୟ ୫୯