ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରକୃତରେ ମୁଁ ଥିଲି ଗ୍ରୀକ୍ ଦେବତା ହେଲିଓସ୍‌ଙ୍କର ଏକ ବିରାଟ ମୂର୍ତ୍ତି । ମୋର ନାଁ ଦିଆଯାଇଥିଲା ‘କଲୋସସ୍' । ମୁଁ ଆଜି ନାହିଁ । କିନ୍ତୁ ବିଶ୍ୱର ଅନେକ ଭାଷାରେ ‘କଲୋସସ୍' ବଞ୍ଚି ରହିଛି ବିରାଟତାର ଶାଦ୍ଦିକ ପ୍ରତୀକ ଭାବେ । ଭୂମଧ୍ୟସାଗରରେ ଥିବା ଗ୍ରୀକ୍ ସାମ୍ରାଜ୍ୟ ଅଧୀନସ୍ଥ ରୋହ୍‌ଡସ୍ ଦ୍ୱୀପର ପୋତାଶ୍ରୟର ପ୍ରବେଶ ପଥ ନିକଟରେ ମୋତେ ନିର୍ମାଣ କରାଯାଇଥିଲା ।
ଗ୍ରୀକ୍ ସାମ୍ରାଜ୍ୟ ଥିଲା ନଗର ରାଜ୍ୟମାନଙ୍କର ସଂଘୀୟ ବ୍ୟବସ୍ଥା । ଅଧିକାଂଶ ନଗର ରାଜ୍ୟର ନିଜ ପରିସୀମା ବାହାରେ କୌଣସି ପ୍ରତିପତ୍ତି ନଥିଲା । ରୋହ୍‌ଡସ୍ ଏକ ଛୋଟ ଦ୍ୱୀପ ହୋଇଥିଲେ ମଧ୍ୟ ଏଥିରେ ଥିଲେ ତିନିଟି ନଗର ରାଜ୍ୟ- ଇଲିସୋସ୍, କାମିରୋସ୍ ଓ ଲିଣ୍ତୋସ୍ । ଖ୍ରୀଷ୍ଟପୂର୍ବ ୪୦୮ ରେ ଏହି ନଗର ରାଜ୍ୟଗୁଡ଼ିକ ନିଶ୍ଚୟ କଲେ ଏକାଠି ହୋଇଯିବା ପାଇଁ । ସଙ୍ଘବଦ୍ଧଭାବେ ଏହି ନଗର ରାଜ୍ୟଗୁଡ଼ିକ ରୋହ୍‌ଡସ୍ ସହରକୁ ନିଜ ରାଜଧାନୀ ଘୋଷଣା କଲେ, କାରଣ ଏହା ଥିଲା ଭୂମଧ୍ୟସାଗରର ଏକ ପ୍ରମୁଖ ପୋତାଶ୍ରୟ ।
ସବୁକିଛି ଠିକ୍ ଚାଲିଥିଲା ଖ୍ରୀଷ୍ଟପୂର୍ବ ୩୨୩ଯାଏ । ସେହିବର୍ଷ ଖୁବ୍ ଅଳ୍ପ ବୟସରେ ଦେହତ୍ୟାଗ କଲେ ଗ୍ରୀକ୍ ସାମ୍ରାଜ୍ୟକୁ ଚରମ ଉତ୍କର୍ଷରେ ପହଞ୍ଚାଇଥିବା ସମ୍ରାଟ ଆଲେକ୍‌ଜାଣ୍ଡର । ନିଜ ସ୍ୱଳ୍ପ ଜୀବନକାଳ ଭିତରେ ସେ ସୁଯୋଗ ପାଇ ନଥିଲେ କାହାକୁ ନିଜ ଉତ୍ତରାଧିକାରୀ ଭାବେ ଗଢ଼ି ତୋଳିବାକୁ । ତାଙ୍କର ଚାରିଜଣ ପ୍ରମୁଖ ସେନାଧ୍ୟକ୍ଷ ଗ୍ରୀକ୍ ସାମ୍ରାଜ୍ୟକୁ ନିଜ ଭିତରେ ବାଣ୍ଟିନେଲେ । ଇଜିପ୍ଟ ରହିଲା ଟୋଲେମିଙ୍କ ଅକ୍ତିଆରରେ । ରୋହ୍‌ଡ଼ସ୍‌ର ନିବାସୀମାନେ ଟୋଲେମିଙ୍କୁ ସମର୍ଥନ କଲେ । ଇଜିପ୍ଟ ଓ ରୋହ୍‌ଡସ୍ ମଧ୍ୟରେ ଏକ ସନ୍ଧିପତ୍ର ସ୍ୱାକ୍ଷରିତ ହେଲା । ଦୁଇଟିଯାକ ରାଜ୍ୟ ପରସ୍ପରକୁ ସାହାଯ୍ୟ କରିବାକୁ ଘୋଷଣା କଲେ । ଏହାକୁ ସହି ପାରିଲେନି ଟୋଲେମିଙ୍କ ବିରୋଧୀମାନେ । ସେମାନଙ୍କ ଆକ୍ରୋଶର ସାମନା କରିବାକୁ ପଡ଼ିଲା ରୋହ୍‌ଡ଼ସ୍‌କୁ ।
ମାସେଡୋନିଆର ଆଣ୍ଟିଗୋନିଡ଼ମାନେ ସହିପାରୁ ନଥଲେ ଟୋଲେମିଙ୍କ ଉନ୍ନତି । ଇଜିପ୍ଟ ଆକ୍ରମଣ କରିବାପାଇଁ ସେମାନଙ୍କର ସାହସ ଓ ବଳ ନଥିଲା । ସେମାନେ ଠିକ୍ କଲେ ଟୋଲେମିଙ୍କ ମିତ୍ର ରାଜ୍ୟ ରୋହ୍‌ଡସ୍ ଉପରେ ଆକ୍ରମଣ କରି ନିଜ ପ୍ରତିପତ୍ତି ଜାହିର କରିବାକୁ । ସେମାନେ ଭାବିଥିଲେ ଅତର୍କିତ ଆକ୍ରମଣଦ୍ୱାରା ରୋହ୍‌ଡସ୍ ନିବାସୀ ଭୟଭୀତ ହୋଇ ଟୋଲେମିଙ୍କ ସହ ନିଜ ସମ୍ପର୍କ ଛିନ୍ନ କରିବେ । କିନ୍ତୁ ତାହା ହେଲା ନାହିଁ ।
ଖ୍ରୀଷ୍ଟପୂର୍ବ ୩୦୫ରେ ମାସେଡ଼ୋନିଆର ପ୍ରାୟ ୪୦,୦୦୦ ଯୋଦ୍ଧା ରୋହ୍‌ଡସ୍ ଆକ୍ରମଣ କଲେ । କିନ୍ତୁ ପୋତାଶ୍ରୟ ନିକଟରେ ଥିବା ରୋହ୍‌ଡ଼ସ୍ ଦୁର୍ଗ ଥିଲା ଖୁବ୍ ଅଭେଦ୍ୟ । ରୋହ୍‌ଡ଼ସ୍‌ର ଯୋଦ୍ଧାମାନେ ବି ପ୍ରାଣପଣେ ଚେଷ୍ଟା କଲେ ଶତ୍ରୁ ଆକ୍ରମଣରୁ ନିଜ ଦୂର୍ଗକୁ ରକ୍ଷା କରିବାକୁ । ଦୂର୍ଗା ଭିତରକୁ ଧସେଇ ପଶିବାପାଇଁ କିମ୍ବା ଏହାର ପ୍ରାଚୀର ଉପରେ ଥିବା ଯୋଦ୍ଧାମାନଙ୍କୁ ଆକ୍ରମଣ କରିବାପାଇଁ ମାସେଡ଼ୋନିଆର ଯୋଦ୍ଧାମାନେ ବ୍ୟବହାର କରିଥିଲେ ଧାତୁର ଚକ ଲାଗିଥିବା ଗମ୍ବୁଜସମୂହ । ଏହା ଭିତରେ ରହି ଯୋଦ୍ଧାମାନେ ଯୁଦ୍ଧ କରିପାରୁଥିଲେ । ଏଗୁଡ଼ିକୁ କୁହାଯାଉଥିଲା ହେଲାପୋଲିସ୍ । କିନ୍ତୁ ଏଗୁଡ଼ିକ ବିଫଳ ହୋଇଥିଲେ ରୋହ୍‌ଡ଼ସ୍‌ବାସୀଙ୍କ ବୀରତ୍ୱକୁ ସାମନା କରିବାରେ । ଇତିମଧ୍ୟରେ ରୋହ୍‌ଡସ୍ ଉପରେ ଆକ୍ରମଣ ହେବାର ଖବର ପହଞ୍ଚିଥିଲା ଟୋଲେମିଙ୍କ ପାଖରେ । ସେ ନିଜ ବିଶାଳସେନା ସହ ରୋହ୍ଡ଼ସ୍‌ରେ ଆସି ପହଞ୍ଚିଥିଲେ ଖ୍ରୀଷ୍ଟପୂର୍ବ ୩୦୪ରେ ।

୬୬ ସପ୍ତାଶ୍ଚର୍ଯ୍ୟ