ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଟୋଲେମି ଓ ରୋହ୍‌ଡ଼ସ୍‌ର ମିଳିତ ସାମରିକ ଶକ୍ତି ଆଗରେ ମୁଣ୍ଡ ନୁଆଁଇଥିଲେ ଆକ୍ରମଣକାରୀମାନେ । ବାଧ୍ୟ ହୋଇଥିଲେ ରୋହ୍‌ଡ଼ସ୍‌ ଦୁର୍ଗ ଚାରିପଟେ ଥିବା ନିଜ ଘେରାବନ୍ଦୀକୁ ଉଠାଇ ନେବାକୁ । ବଳ କଷାକଷିରେ ଯୁଦ୍ଧର ଅନ୍ତ ହୋଇଥିଲା । ମାସେଡ଼ୋନିଆର ଯୋଦ୍ଧାମାନେ ବିଷଣ୍ଣ ମନରେ ଫେରିଯାଇଥିଲେ । ସେମାନଙ୍କ ମନର ଉତ୍ସାହ କ୍ଷୁଣ୍ଣ ହୋଇଥିଲା । ହୃଦୟରେ ଭରି ରହିଥିଲା ପରାଜୟର ହତାଶ । ତେଣୁ ନିଜ ସହ ଆଣିଥିବା କୁଢ଼ କୁଢ଼ ଧାତୁ ନିର୍ମିତ ଯୁଦ୍ଧ ଉପକରଣକୁ ସେମାନେ ଆଉ ନିଜ ସହ ଫେରାଇ ନେଇ ନ ଥିଲେ । ଯୁଦ୍ଧ ଉପକରଣର ଏକ ବରାଟ ସ୍ତୂପ ପଡ଼ି ରହିଥିଲା ରୋହ୍‌ଡ଼ସ୍‌ ଉପକୂଳରେ । ରୋହ୍‌ଡ଼ସ୍‌ବାସୀମାନଙ୍କ ପାଇଁ ଏହି ଯୁଦ୍ଧ ଉପକରଣର କୌଣସି ଆବଶ୍ୟକତା ନଥିଲା । ସେତେବେଳର ଅମଲାମାନେ ହିସାବ କରି କହିଥିଲେ, ଆକ୍ରମଣକାରୀମାନେ ଛାଡ଼ି ଯାଇଥିବା ଯୁଦ୍ଧାସ୍ତ୍ରର ମୋଟ ମୂଲ୍ୟ ଥିଲା ୩୦୦ ଟ୍ୟାଲେଣ୍ଟ । ବର୍ତ୍ତମାନ ହିସାବରେ ପ୍ରାୟ ୧୮୦୦କୋଟି ଟଙ୍କାରୁ ଅଧିକ ଥିଲା ଏହାର ମୂଲ୍ୟ ।
ଏହି ଧାତୁ ନିର୍ମିତ ଯୁଦ୍ଧ ଉପକରଣକୁ ବିକ୍ରି କରାଗଲା । ଏଥିରୁ ଲବ୍ଧ ଅର୍ଥକୁ କିପରି ବ୍ୟବହାର କରାଯାଇପାରିବ ତାକୁ ନେଇ ହେଲା ଅନେକ ବିଚାର ଓ ତର୍ଜମା । ଶେଷରେ ରୋହ୍‌ଡ଼ସ୍‌ ନିବାସୀ ସ୍ଥିର କଲେ ଏହି ବିପୁଳ ଅର୍ଥରେ ସେମାନେ ଏପରି ଏକ ସ୍ମୃତି ସୌଧ ନିର୍ମାଣ କରିବେ ଯାହା ହେବ ସେମାନଙ୍କ ବିଜୟ ଓ ଏକତାର ପ୍ରତୀକ । ଏହାପରେ ମୋର ଜନ୍ମ ।
ରୋହ୍‌ଡ଼ସ୍‌ବାସୀଙ୍କ ମନ ଓ ବିଶ୍ୱାସରେ ରାଜୁତି କରୁଥିଲେ ଗ୍ରୀକ୍ ପୁରାଣର ଅନ୍ୟତମ ଦେବତା ହେଲିଓସ୍ । ମୋତେ ହେଲିଓସ୍‌ଙ୍କର ଏକ ବିରାଟ ପ୍ରତିକୃତି ରୂପରେ ନିର୍ମାଣ କରିବାକୁ ସ୍ଥିର କରାଗଲା । ଅର୍ଥର ଅଭାବ ନ ଥିଲା । ତେଣୁ ରୋହ୍‌ଡ଼ସ୍‌ ନିବାସୀ ଚାହୁଁଥିଲେ ଏପରି ଏକ ମୂର୍ତ୍ତି ନିର୍ମାଣ କରିବାକୁ ଯାହା ସାରା ବିଶ୍ୱକୁ ହତଚକିତ କରିଦେବ । ନିଶ୍ଚୟ କରାଗଲା ମୋତେ ପୋତାଶ୍ରୟର ପ୍ରବେଶ ପଥ ନିକଟରେ ନିର୍ମାଣ କରାଯିବ । ଭୂମଧ୍ୟସାଗର ପାର ହେଉଥିବା ସବୁ ଜାହାଜ ଯେପରି ମୋର ବିରାଟ ରୂପ ଦେଖି ଅନୁମାନ କରିପାରିବେ ରୋହ୍‌ଡ଼ସ୍‌ର ବିପୁଳ ଶକ୍ତି ଓ ସାମର୍ଥ୍ୟକୁ । ମୁଁ ଗର୍ବର ସହ କହିପାରେ ଏପରି ପ୍ରଚେଷ୍ଟା ଥିଲା ଅନନ୍ୟ । କାରଣ ଆଗରୁ କେବେ ଯୁଦ୍ଧାସ୍ତ୍ରର ଏପରି ବ୍ୟବହାର କରାଯାଇ ନ ଥିଲା । ରକ୍ତର ହୋରି ଖେଳିଥିବା ଏହ ଅସ୍ତ୍ରମାନେ ଓ ଏହାର ଯୁଦ୍ଧଖୋର ମାଲିକମାନେ ହୁଏତ କେବେ ବି ଚିନ୍ତା କରି ନ ଥିବେ ଯେ ଏଥିରୁ ନିର୍ମାଣ କରାଯାଇପାରିବ ଏକ କାଳଜୟୀ ଭାସ୍କର୍ଯ୍ୟ ।
ମୋତେ ନିର୍ମାଣ କରିବାପାଇଁ ଖୋଜାଗଲା ସେ ସମୟର ଶ୍ରେଷ୍ଠ ସ୍ଥପତିମାନଙ୍କୁ । ଶେଷରେ ବଛାଗଲା ରୋହ୍‌ଡ଼ସ୍ ଦ୍ୱୀପର ଲିଣ୍ତୋସ୍ ନଗରରେ ରହୁଥିବା ସ୍ଥପତି ‘ଚାରସ୍'ଙ୍କୁ । ସେ ବିରାଟ ମୂର୍ତ୍ତି ନିର୍ମାଣ କଳା ଶିକ୍ଷା କରିଥିଲେ ଲିସିପସ୍‌ଙ୍କଠାରୁ । ଲିସିପସ୍ ଟାରେଣ୍ଟମ୍‌ଠାରେ ଏକ ୨୨ ମିଟର ଉଚ୍ଚ ଦେବରାଜ ଜିଅସ୍‌ଙ୍କ ମୂର୍ତ୍ତି ନିର୍ମାଣ କରିଥିଲେ । ଏହି କାର୍ଯ୍ୟରେ ତାଙ୍କୁ ସାହାଯ୍ୟ କରିଥିଲେ ‘ଚାରସ୍ । ଏହି ସ୍ଥପତିମାନେ କାଂସ୍ୟ ଓ ଲୌହର ବିରାଟ ମୂର୍ତ୍ତି ନିର୍ମାଣ କଳାରେ ପାରଦର୍ଶିତା ଲାଭ କରିଥିଲେ ।

ସପ୍ତାଶ୍ଚର୍ଯ୍ୟ ୬୯