ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମୋତେ ନିର୍ମାଣ କରିିଥିବା ସ୍ଥପତିମାନଙ୍କ ପରିଶ୍ରମ ସଫଳ ହୋଇଥିଲା । ଶହଶହ ବର୍ଷ ଧରି ପ୍ରାକୃତିକ ବିପର୍ଯ୍ୟୟଗୁଡ଼ିକ ମୋର ବିଶେଷ କୌଣସି କ୍ଷତି କରିପାରି ନଥିଲେ । ହେଲେ ମୋର ଜୀବନ ଆଲେକ୍‍ଜାଣ୍ତ୍ରିଆର ଭବିଷ୍ୟତ ସହ ଜଡ଼ିତ ଥିଲା । ଇଜିପ୍ଟ ଉପରେ ଅଧିକାର ସାବ୍ୟସ୍ତ କରିିବା ଗ୍ରୀକ୍‍ ଓ ରୋମାନ୍‍ ସାମ୍ରାଜ୍ୟମାନଙ୍କ ପାଇଁ ଆଲେକ୍‍ଜାଣ୍ତ୍ରିଆର ଖୁବ୍‍ ଅଧିକ ମହତ୍ତ୍ୱ ଥିଲା । କାରଣ, ଭୂମଧ୍ୟସାଗର ଦେଇ ହିଁ ୟୁରୋପୀୟ ଜାହାଜମାନେ ଏସିଆକୁ ଯାତ୍ରା କରୁଥିଲେ । ଆଲେକଜଣ୍ତ୍ରିଆ ଥିଲା ଭୂମଧ୍ୟସାଗର ଉପକୂଳର ସବୁଠାରୁ ବିରାଟ ଓ ପ୍ରମୁଖ ପୋତାଶ୍ରୟ ଭିତ୍ତିକ ସହର । ଏଥିସହ ଏହା ଥିଲା ଇଜିପ୍ଟର ଗ୍ରୀକୋ-ରୋମାନ ସାମ୍ରାଜ୍ୟର ରାଜଧାନୀ ।

ଗ୍ରୀକୋ-ରୋମାନ ସାମ୍ରାଜ୍ୟର ବି ପତନ ହେଲା । ଆରବ ଯୋଦ୍ଧାମାନେ ଜୟ କଲେ ଇଜିପ୍ଟକୁ । ସେମାନଙ୍କ ପାଇଁ ଆଲେକଜଣ୍ତ୍ରିଆ ଓ ଏହାର ପୋତାଶ୍ରୟର ବିଶେଷ ମହତ୍ତ୍ୱ ନଥିଲା । ତେଣୁ ସେମାନେ ଇଜିପ୍ଟର ରାଜଧାନୀ ଭାବେ ଆଲେକ୍‍ଜାଣ୍ତ୍ରିଆକୁ ଗ୍ରହଣ କରିପାରିଲେ ନାହିଁ । ସେମାନଙ୍କର ଭୂମଧ୍ୟସାଗର ୟୁରୋପ ସହ ସେତେଟା ସମ୍ପର୍କ ନଥିବାରୁ ଆଲେକ୍‍ଜାଣ୍ତ୍ରିଆରୁ ରାଜଧାନୀକୁ ଉଠାଇ ନିଆଗଲା କାଇରୋକୁ । ମାଙ୍କଡ଼ ହାତରେ ଶାଳଗ୍ରାମ ଭଳି ଅବସ୍ଥା ହେଲା । ୮୫୦ ଖ୍ରୀଷ୍ଟାବ୍ଦରେ କନ୍‍ଷ୍ଟାଣ୍ଟିନୋପଲ୍‍ର ଖଲିଫା ଗୋଟିଏ ଗୁଜବ ଶୁଣିଲେ ଯେ ମୋ ଭିତରେ କୁଆଡେ଼ ପ୍ରଚୁର ପରିମାଣର ଗୁପ୍ତଧନ ଲୁଚାଯାଇଛି । ଏହି ଗ୍ରୀକ୍‍ ଗୁପ୍ତଧନ ଗୁଜବ ଲୋଭରେ ସେ ମୋ ଭିତରଟାକୁ ଖିନ୍‍ଭିନ୍‍ କରିପକାଇଥିଲେ । ଫଳରେ ଲୋଭୀ ଗୁପ୍ତଧନ ସନ୍ଧାନୀମାନଙ୍କ ଦ୍ୱାରା ମୋର ବିଶେଷ ଆକର୍ଷଣ, ଶିଖରରେ ଶୋଭା ପାଉଥିବା ବିରାଟ ଅବତଳ ଦର୍ପଣଟି ଭୂଲୁଣ୍ଠିତ ହେଲା । ଏଭଳି ଏକ ଦର୍ପଣ ପୁଣି ଥରେ ଲଗାଇବା ଏହି ହିଂସ୍ର ଧ୍ୱଂସକର୍ତ୍ତାଙ୍କ ହାତର କଥା ନଥିଲା । ହେଲେ ସେମାନେ ମୋର ବିଶେଷ କ୍ଷତି କରିପାରି ନଥିଲେ, କାରଣ ମୋର ସବୁ ପଥରଖଣ୍ତକୁ ପରସ୍ପର ସହ ସୀସାର ଯୋଡ଼େଇରେ ସଂଯୁକ୍ତ କରାଯାଇଥିଲା ।

୯୫୬ଖ୍ରୀଷ୍ଟାବ୍ଦରେ ଏକ ବିରାଟ ଭୂମିକମ୍ପ ଆଲେକଜାଣ୍ତ୍ରିଆ ସହରକୁ ଖିନ୍‌ଭିନ୍ କରିଦେଇଥିଲା । ହେଲେ ମୋର ବିଶେଷ କିଛି କ୍ଷତି ହୋଇନଥିଲା । ଏହାର ପ୍ରାୟ ୩୫୦ ବର୍ଷ ପରେ ୧୩୦୩ ଓ ୧୩୨୩ ଖ୍ରୀଷ୍ଟାବ୍ଦରେ ଆଉ ଦୁଇଟି ଭୂମିକମ୍ପ କିନ୍ତୁ ମୋର ବହୁ କ୍ଷତି କରିଥିଲା । ମୋର ଅନ୍ତଃସ୍ଥଳ- ଯାହାଦ୍ୱାରା ଉପରକୁ ପର୍ଯ୍ୟଟକ ଯାଉଥିଲେ ଓ ଇନ୍ଧନ ପହଞ୍ଚିପାରୁଥିଲା; ଖସିପଡ଼ିିଥିବା ପ୍ରସ୍ତରଖଣ୍ତରେ ଭରିଯାଇଥିଲେ । ଆରବ ଶାସକମାନେ ମୋର ରକ୍ଷଣାବେକ୍ଷଣରେ ମନଯୋଗ ଦେଇନଥିଲେ, କାରଣ ତାଙ୍କ ପାଇଁ ଆଲେକ୍‍ଜାଣ୍ତ୍ରିଆର ଓ ମୋର ବିଶେଷ କିଛି ମହତ୍ତ୍ୱ ନଥିଲା । କିନ୍ତୁ ବିଶ୍ୱର ପର୍ଯ୍ୟଟକମାନେ ଆମକୁ ଭୁଲିପାରି ନଥିଲେ ।

ଆରବ ପର୍ଯ୍ୟଟକ ଇବନ୍‍ବତୁତା ୧୪୮୦ ଖ୍ରୀଷ୍ଟାବ୍ଦରେ ଆଲେକ୍‍ଜାଣ୍ତ୍ରିଆ ଆସିିଥିଲେ । ସେତେବେଳକୁ ମୁଁ ଏକ ଧ୍ୱଂସସ୍ତୂପରେ ପରିବର୍ତ୍ତିିତ ହେବା ଆରମ୍ଭ କରିିଥିଲି । ତ‌ଥାପି ବି ମୁଁ ଥିଲି ନଭଶ୍ଚୁମ୍ବୀ । ହେଲେ ମୋ ଦେହରୁ ଭାଙ୍ଗି ତଳେ ପଡ଼ିିଥିବା ବିରାଟ ପ୍ରସ୍ତରଖଣ୍ତଗୁଡ଼ିକ ବତୁତାଙ୍କୁ ସୁଯୋଗ ଦେଇ ନଥିଲେ ମୋ ଗର୍ଭଗୃହରେ ପ୍ରବେଶ କରିବାକୁ । ସେ ମୋ ଉପରକୁ ଚଢ଼ିପାରି ନଥିଲେ- କାରଣ ଚଢ଼ିବାପାଇଁ କୌଣସି ବାଟ ନଥିଲା ।

୮୬ ସପ୍ତାଶ୍ଚର୍ଯ୍ୟ