ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୭
ସରଳ ଭାଷାତତ୍ତ୍ୱ

ବ୍ୟବହାର ହେତୁରୁ ଗୋଲାକୃତି ଧାରଣା କରିଅଛି, ପୁଣି ଅନ୍ୟ କେତେକଙ୍କ ମତରେ ଓଡ଼ିଆ ଲିପିମାନ ପୂର୍ବରେ ବଙ୍ଗଳା ଲିପି ପରି ତ୍ରିକୋଣାକୃତି ଥିଲା; ମାତ୍ର ଦ୍ରାବିଡ଼ ଭାଷାରେ ସଂସ୍ପର୍ଶରେ ଆସି ଏହା ଗୋଲାକୃତି ଧାରଣା କରିଅଛି । ଅନେକାଂଶରେ ଓଡ଼ିଆ ଲିପି ବଙ୍ଗଳା ଲିପି ଅପେକ୍ଷା ପ୍ରାଚୀନତର ଓ ଉଭୟ ଲିପିର କ୍ରମ ବିକାଶ ଆଲୋଚନା କଲେ ଦେଖାଯାଏ ଯେ, ଥ, ଧ, ଖ, ଗ, ଘ, ଠ, ପ, ଶ ଏହି ଲିପିମାନଙ୍କର ଓଡ଼ିଆ ଲିଖନଭଙ୍ଗୀ ବଙ୍ଗଳା ଭାଷାରେ ବ୍ୟବହୃତ ରୂପ ଅପେକ୍ଷା ମୂଳ ଲିପିର ଅନୁବର୍ତ୍ତୀ । ଆହୁରି ମଧ୍ୟ କେତେକ ବଙ୍ଗଳା ଶିଳାଲିପିମାନଙ୍କରେ ଓଡ଼ିଆ ଅକ୍ଷରର ଅନୁରୂପ ଲିପିର ବ୍ୟବହାର ଦେଖାଯାଇଥାଏ । ଅନ୍ୟ ଦିଗରେ ବଙ୍ଗଳା କ, ଛ, ଟ, ନ, ବ ପ୍ରଭୃତି ଲିପି ଅନୁରୂପ ଓଡ଼ିଆ ଲିପି ଅପେକ୍ଷା ପ୍ରାଚୀନତର ବୋଲି କାହାରି କାହାରି ମତ । ମାତ୍ର ବାସ୍ତବରେ ଲିପିମାନଙ୍କର କ୍ରମବିକାଶର ସୁସମ୍ବନ୍ଧ ଓ ସୁନିଶ୍ଚିତ ଇତିହାସ ନ ଥିବା ସ୍ଥଳେ ଆମ୍ଭେମାନେ କେବଳ ଅନୁମାନ ଉପରେ ନିର୍ଭର କରି ସେମାନଙ୍କ ପ୍ରାଚୀନତା ବିଷୟରେ କିଛି ସ୍ଥିର କରି ନ ପାରୁ । ଅନେକ ପ୍ରାଚୀନ ଲେଖାରେ ଯେଉଁ ଭାଷା ବ୍ୟବହୃତ ହୋଇଅଛି, ତାହା ଓଡ଼ିଆ କି ବଙ୍ଗଳା ଏ ବିଷୟରେ ମଧ୍ୟ ସନ୍ଦେହର ଅବକାଶ ଅଛି । ଉଭୟ ଦେଶର ସୁଧୀମାନଙ୍କ ମଧ୍ୟରେ ଏ ବିଷୟରେ ପ୍ରବଳ ମତଦ୍ୱୈଧ ଲକ୍ଷିତ ହେଉଥିବା ସ୍ଥଳେ ଅନୁମାନ ଉପରେ ନିର୍ଭର କରି କୌଣସି ଲିପି ବା ଭାଷାକୁ ପ୍ରାଚୀନତର ବୋଲି କହିବା ସମୀଚୀନ ହେବ ନାହିଁ । ପ୍ରାୟ ଏକ ସହସ୍ର ବର୍ଷ ପୂର୍ବେ ଓଡ଼ିଆ ଲିପିମାନ ଯେ ସୁସ୍ପଷ୍ଟ ଆକାର ଧାରଣ କରିଥିଲା, ତାହା ଏକାଦଶ, ଦ୍ୱାଦଶ ଶତାବ୍ଦୀରେ ବ୍ୟବହୃତ ଓଡ଼ିଆ ଶିଳାଲିପି ଓ ତାମ୍ରଲିପିମାନଙ୍କରୁ ସ୍ପଷ୍ଟ ପ୍ରତୀୟମାନ ହୁଏ । ଶିଳାଲିପିରେ ବ୍ୟବହୃତ ହେବାର ଅନ୍ତତଃ ପାଞ୍ଚଶତ ବର୍ଷ ପୂର୍ବରୁ ଏ ଦେଶରେ ଲିପିମାଳା ପ୍ରଚଳିତ ଥିବା କଥା ଅନୂମାନ କରିବା ଅନୂଚିତ ହେବ ନାହିଁ ।

ଭାଷାରେ ଲିପିମାଳାର ବ୍ୟବହାର ଆରମ୍ଭ ହେବା ସମୟରେ ଅକ୍ଷରସମାବେଶ ରୀତି ମଧ୍ୟ ନାନ ଭାବରେ ପରିବର୍ତ୍ତିତ ହୋଇଅଛି । ଅତି ପ୍ରାଚୀନ କାଳରେ ଫିନିସୀୟ ବା ପ୍ରାଚୀନ ଗ୍ରୀକ୍ ଭାଷା ଆଧୂନିକ ପାରସିକ ଓ ଆରବଦେଶୀୟ ଭାଷା ପରି ଦକ୍ଷିଣରୁ ବାମକୁ ଲିଖିତ ହେଉଥିଲା । ଅନେକଦିନ ପର୍ଯ୍ୟନ୍ତ ତାହାହିଁ ଲିଖନରୀତି ଥିଲା । ଇଜିପ୍‌ଟଦେଶୀୟ ଚିତ୍ରଲେଖାରେ ବାମରୁ ଦକ୍ଷିଣକୁ ଲେଖିବାର ରୀତି ପ୍ରଚଳିତ ଥିଲା । କ୍ରମଶଃ ପ୍ରାଚୀନ ଗ୍ରୀକ୍ ଭାଷାରେ ଦକ୍ଷିଣରୁ ବାମ ଓ ବାମରୁ ଦକ୍ଷିଣ ଏହି ଉଭୟ ପ୍ରକାର ରୀତି ପ୍ରଚଳିତ ହେଲା, ପ୍ରଥମ ଛତ୍ରଟି ଦକ୍ଷିଣରୁ ବାମ ଓ ଦ୍ୱିତୀୟଟି ବାମରୁ ଦକ୍ଷିଣ, ପୁଣି ତୃତୀୟଟି ଦକ୍ଷିଣରୁ ବାମ ଓ