ଏହି ପୃଷ୍ଠାଟି ବୈଧ ହୋଇସାରିଛି
ସରଳ ଭାଷାତତ୍ତ୍ୱ

ଶବ୍ଦ- ପ୍ରତ୍ୟେକ ଶବ୍ଦର ଗୋଟିଏ ଲିଖିତରୂପ, ଗୋଟିଏ ଉଚ୍ଚାରିତ ଧ୍ୱନି, ଗୋଟିଏ ଅର୍ଥଦ୍ୟୋତନା କରିବାର ଶକ୍ତି ଓ ଗୋଟିଏ ବ୍ୟବହାର ବିଧି ଅଛି । ଏସବୁ ଭିନ୍ନ ତାହାର ରୂପଗତ, ଧ୍ୱନିଗତ, ବ୍ୟବହାରଗତ ଓ ଅର୍ଥଗତ ଇତିହାସ ମଧ୍ୟ ଅଛି । ଏସମସ୍ତର ସମ୍ପୂର୍ଣ୍ଣ ଆଲୋଚନା ଭାଷାତତ୍ତ୍ୱର ଅନ୍ତର୍ଗତ ବୋଲି ସ୍ୱୀକୃତ ହୋଇଥାଏ ।

ଜଣେ ଲୋକର ପୂର୍ଣ୍ଣ ପରିଚୟ ପାଇବାକୁ ହେଲେ ଯେପରି ତାହାର ଆକୃତିପ୍ରକୃତିଗତ ବିଶେଷତ୍ୱ, ତାହାର ପିତା, ମାତା, ଆତ୍ମୀୟ, ବନ୍ଧୁବାନ୍ଧବମାନଙ୍କର ନାମ, ତାହାର ଜନ୍ମସ୍ଥାନ, ବାସସ୍ଥାନ, ବୟସ ପ୍ରଭୃତିର ବିବରଣ ଓ ତାହାର ବର୍ତ୍ତମାନ କାର୍ଯ୍ୟ ପ୍ରଭୃତି ବିଷୟରେ ଆମ୍ଭମାନଙ୍କୁ ଅବହିତ ହେବାକୁ ହୁଏ, ସେହିପରି ଗୋଟିଏ ଶବ୍ଦର ପୂର୍ଣ୍ଣ ପରିଚୟ ପାଇବାକୁ ହେଲେ ସେହି ଶବ୍ଦର ମୂଳଧ୍ୱନି ଓ ତାହାର ଉତ୍ପତ୍ତି, ତହିଁରେ ବ୍ୟବହୃତ ଅର୍ଥଗତ ପରିବର୍ତ୍ତନସୂଚକ ସାଙ୍କେତିକ ଧ୍ୱନିମାନଙ୍କର ବ୍ୟବହାର, ତାହାର ଉତ୍ପତ୍ତିସ୍ଥାନ ପ୍ରଭୃତି, ନାନା ଭାଷାରେ ବ୍ୟବହୃତ ତାହାର ସମ୍ପର୍କିତ ଶବ୍ଦମାନ ଓ ଶବ୍ଦଟିର ଅର୍ଥପ୍ରକାଶିକା ଶକ୍ତି,ବ୍ୟବହାର ପଦ୍ଧତି ବା ପ୍ରୟୋଗ ଗତ ବିଶେଷତ୍ୱ ପ୍ରଭୃତି ନାନା ବିଷୟରେ ମଧ୍ୟ ଆମ୍ଭମାନଙ୍କୁ ତଥ୍ୟ ସଂଗ୍ରହ କରିବାକୁ ହେବ । ଏହିପରି ତଥ୍ୟ ସଂଗୃହୀତ ହେଲେ ଶବ୍ଦଟିର ସମ୍ପୂର୍ଣ୍ଣ ପରିଚୟ ବିଷୟରେ ଜ୍ଞାନ ଲାଭ କରାଯାଇପାରିବ । ଓଡ଼ିଆରେ 'କୋଟ' ଶବ୍ଦ ପ୍ରଚଳିତ, ମାତ୍ର ଦୁଇ ଜଣ ବ୍ୟକ୍ତିର ନାମ 'ହରିଶ୍ଚନ୍ଦ୍ର' ହେଲେହେଁ ସେମାନେ ଯେପରି ଏକା ଲୋକ ନୁହନ୍ତି, ସେମାନଙ୍କର ପିତାର ନାମ, ନିବାସସ୍ଥାନ ଓ ବଂଶପରିଚୟ ପ୍ରଭୃତି ପୃଥକ୍ ହୋଇପାରେ, ସେହିପରି ଓଡ଼ିଆରେ ପ୍ରଚଳିତ ଗୋଟିଏ 'କୋଟ'ର ଅର୍ଥ 'ଗଡ଼', ଏହା ସଂସ୍କୃତ 'କୋଟ'ରୁ ଜାତ ଓ ଓଡ଼ିଆରେ ପ୍ରାୟ ସାତ ଶହ ବର୍ଷ ହେଲା ପ୍ରଚଳିତ । ଅନ୍ୟଟି ଯାହାର ଅର୍ଥ 'ଅଙ୍ଗାବରଣବିଶେଷ' ତାହା ଇଂରାଜୀରୁ ଗୃହୀତ ଓ ପ୍ରାୟ ଦେଢ଼ଶ ବର୍ଷ ହେଲା ବ୍ୟବହୃତ । ଅତଏବ ଏହି ଦୁଇଗୋଟି ଶବ୍ଦ ମଧ୍ୟରେ ଆକୃତିଗତ ସାମ୍ୟ ଥିଲେ ହେଁ ଏମାନେ ବାସ୍ତବରେ ଭିନ୍ନ ଶବ୍ଦ । ଏମାନଙ୍କର ଉତ୍ପତ୍ତି ସ୍ଥାନ ଭିନ୍ନ, ଏମାନଙ୍କର ଆତ୍ମୀୟ ବନ୍ଧୁବାନ୍ଧବ ମଧ୍ୟ ଭିନ୍ନ, କାରଣ ଗୋଟିକର ଆତ୍ମୀୟ କୋଡ଼ର, କୋଟି, କୁଡ଼ିଆ, କୁଟିଳ ପ୍ରଭୃତି ଓ ଅନ୍ୟଟିର ଆତ୍ମୀୟ cottage, cote, cot ପ୍ରଭୃତି ଓ ଏହି ଆତ୍ମୀୟ ପଦମାନଙ୍କ ମଧ୍ୟରେ ଆକୃତିଗତ ଓ ଅର୍ଥଗତ ସାଦୃଶ୍ୟ ବିଦ୍ୟମାନ ଥିଲେହେଁ ବାସ୍ତବରେ ଏମାନଙ୍କର କୌଣସି ସମ୍ପର୍କ ନାହିଁ । ପୁଣି ଏହି ଶବ୍ଦମାନଙ୍କର ବ୍ୟବହାର ପଦ୍ଧତି ଓ ସାଙ୍କେତିକ