ପୃଷ୍ଠା:ShreeJagannath.pdf/୧୧୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି


ତାହାପରେ ଡୋରଲାଗି, ପୁଷ୍ପାଞ୍ଜଳି ଓ ତୂଳୀଲାଗି ବଢେ଼ । ମଇଲମ ବାହାର କରାଯାଇ ଦଇତାପତି ଚାଙ୍ଗଡ଼ା ମେକାପଙ୍କୁ ଦିଅନ୍ତି । ପାଳିଆ ଖୁଣ୍ଟିଆ "ମଣିମା' ଡାକ ଦେଲା ପରେ ଦଇତାପତି ରୁନ୍ଧା ଫିଟାନ୍ତି ଓ ପହଣ୍ଡି ବିଜେ ଆରମ୍ଭ କରନ୍ତି । ଧାଡ଼ି ପହଣ୍ଡି ହୁଏ । ଘଣ୍ଟ, କାହାଳୀ ଓ ବାଜା ବାଜେ ଏବଂ ଛତାର ଛତା ଧରେ । ପ୍ରମେ ସୁଦର୍ଶନ ଠାକୁର ବିଜେ ହୁଅନ୍ତି । ସେ ଜଗମୋହନ ସାତପାହାଚରେ ପହଞ୍ଚିଲେ ବଡ଼ଠାକୁର ବଳଭଦ୍ରଙ୍କ ରୁନ୍ଧା ଫିଟେ । ସେ ସାତପାହାଚ ଦ୍ୱାର ଡେଇଁଲେ ଦେବୀ ସୁଭଦ୍ରାଙ୍କର ଏବଂ ଦେବୀ ସାତ ପାହାଚ ଡେଇଁଲେ ଶ୍ରୀଜଗନ୍ନାଙ୍କର ରୁନ୍ଧା ଫିଟେ । ସାତପାହାଚଠାରେ ପ୍ରତ୍ୟେକ ଠାକୁର ରାଘବ ଦାସ ମଠ ଯୋଗାଇିବା ଟାହିଆ ଲାଗି ହୁଅନ୍ତି । କ୍ରମାନ୍ୱୟରେ ଆନନ୍ଦ ବଜାର, ବାଇଶି ପାହାଚ ଦେଇ ସ୍ୱ ସ୍ୱ ରଥକୁ ବିଜେ ହୁଅନ୍ତି । ସୁଦର୍ଶନ ସୁଭଦ୍ରାଙ୍କ ରରେ ବିଜେ କରନ୍ତି । ତିନିଠାକୁରଙ୍କୁ ଚକା ଅପସରଲାଗି କରାଯାଏ । ତା'ପରେ ରରେ ଠାକୁରମାନଙ୍କର ରୁନ୍ଧା ହୁଏ । ତା'ପରେ ଦକ୍ଷିଣ ଘରୁ ମଦନମୋହନ ଓ ରାମକୃଷ୍ଣଙ୍କୁ ମହାଜନମାନେ ଆଣି ବଟମୂଳେ ପାଲିଙ୍କିରେ ବିଜେ କଲା ପରେ ବିମାନବଡ଼ୁମାନେ ପାଲିଙ୍କିରେ ନେଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ ସାମନାରେ ଠିଆ କରାନ୍ତି । ମହାଜନେ ସେଠାରୁ ରାମ ଓ କୃଷ୍ଣଙ୍କୁ ଉକ୍ତ ରଥରେ ବିଜେ କରାନ୍ତି । ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସାମନାକୁ ପାଲିଙ୍କି ନେଇ ସେହି ରଥରେ ମଦନମୋହନଙ୍କୁ ବିଜେ କରାନ୍ତି । ଏହି କାର୍ଯ୍ୟ ପରେ କୋଠ ସୁଆଁସିଆମାନେ ରତ୍ନଭଣ୍ଡାର ଦୁଆରୁ ଦୁଇଟି ବଡ଼ ସିନ୍ଦୁକ (ଗୋଟିଏ ସିନ୍ଦୁକରେ ନଅ ଦିନପାଇଁ ଲୁଗା ଓ ପାଟ ଏବଂ ଅନ୍ୟଟିରେ ଅଳଙ୍କାର) ନେଇ ଶ୍ରୀଜଗନ୍ନାଥଙ୍କ ରଥର ପଛପଟେ ରଖନ୍ତି । ପ୍ରତି ରଥରେ ପୂଜା ଠା' ସାମଗ୍ରୀ, ଥାଳି, ଘଣ୍ଟ, ଗଡ଼ୁ ଇତ୍ୟାଦି ଯଥାସ୍ଥାନରେ ରଖାଯାଏ । ଏହା ଉତ୍ତାରେ ଲେଙ୍କା ଓ ପାଇକ, ଘଣ୍ଟ, ଛତା ଓ କାହାଳୀ ସହ ବଣିଆ ସେବକଙ୍କ ଘରକୁ ଯାଇ ତିନିବାଡ଼ର ସୋଲ ଚିତା (ମଝିରେ ସୁନା ଓ ପର ଥାଇ) ଆଣନ୍ତି । ଚିତାଲାଗି ପରେ ମାଳଫୁଲ ଲାଗି କରାଯାଏ ।

ଏହାର ପରବର୍ତ୍ତୀ ଆକର୍ଷଣୀୟ ନୀତି ହେଲା ଗଜପତି ମହାରାଜାଙ୍କଦ୍ୱାରା ତିନି ରଥରେ ଛେରା ପହଁରା । ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସେବକ, ଚଳନ୍ତି ବିଷ୍ଣୁ ଭାବେ ସମ୍ମାନିତ ଗଜପତି ମହାରାଜା ଶ୍ରୀନଅରରୁ ବାଜା ପଟୁଆର ସହିତ ରାଜାବେଶରେ ତାମଯାନରେ ବସି ଆସନ୍ତି । ପ୍ରଥମେ ବଳଭଦ୍ର ଠାକୁରଙ୍କ ରଥରେ ଉଠନ୍ତି । ସେ ଦଣ୍ଡପ୍ରଣାମ କରି ହାତୁଆଣି ନେଇ (ହାତଧୋଇ) ନିଉଛାଳି ହୋଇ ପୁଷ୍ପାଞ୍ଜଳି ଦିଅନ୍ତି । ରାଜା ତା'ପରେ ସୁନା ଦାନିରେ କର୍ପୂର ଆଳତି କରି, ସୁନା ଚାମର ଆଳତି କରନ୍ତି । ତାପରେ ରଥର ସିଂହାସନରୁ ଓହ୍ଲେଇ ଛେରାପହଁରାକରନ୍ତି । ରାଜଗୁରୁ ସୁନାଖଡ଼ିକା ସଂସ୍କାର କରି ରାଜାଙ୍କ ହାତକୁ ବଢେ଼ଇ ଦିଅନ୍ତି । ଭଣ୍ଡାର ମେକାପ ରଥର ଚାରି ପାଖରେ ବୁଲି ଧଳାଫୁଲ ଆଗରେ ପକାନ୍ତି, ରାଜା ଚାରି ପାଖରେ ବୁଲି ପହଁରା କରନ୍ତି । ପହଁରା ପରେ ରଥର ଚାରିପଟେ ସଂସ୍କାର କରାଯାଇିବା ଚନ୍ଦନପାଣି ଓ ଚନ୍ଦନ ଗୁଣ୍ଡ ଛିିଞ୍ଚନ୍ତି । ଏହିପରି ଭାବରେ ତା'ପରେ ଶ୍ରୀଜଗନ୍ନାଥଙ୍କ ରଥ ଓ ଦେବୀଙ୍କ ରଥରେ ଛେରାପହଁରା ନୀତି ହୁଏ ।

୧୨୦*ଶ୍ରୀଜଗନ୍ନାଥ