ପୃଷ୍ଠା:ShreeJagannath.pdf/୧୨୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି

କର୍କଟ ସଂକ୍ରାନ୍ତି ବା ଦକ୍ଷିଣାୟନ ବନ୍ଦାପନା

କର୍କଟ ସଂକ୍ରାନ୍ତି ଦିନ ଶ୍ରୀଜୀଉମାନଙ୍କର ସକାଳ ଧୂପ ଓ ଭୋଗ ମଣ୍ଡପ ଧୂପ ଶେଷ ପରେ ମଇଲମ ଓ ଭିତରେ ପାଣିପଡ଼ି ମହାସ୍ନାନ କରାଯାଏ । ତିନିବାଡ଼ରେ ଦିଅଁଙ୍କୁ ବୋଇରାଣି ବସ୍ତ୍ର ଲାଗି କରାଯାଏ । ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ସିଂହାସନ ଉପରକୁ ଉଠି ଚନ୍ଦନ ସର୍ବାଙ୍ଗ ଲାଗି କରାନ୍ତି । ତା’ପରେ ପୁଷ୍ପାଳକ ବେଶ ବଢ଼ାଇ ସିଂହାସନରୁ ଓହ୍ଲାଇ ଆସନ୍ତି । ତାପରେ ପାଣି ପଡ଼ି ଦ୍ୱିପ୍ରହର ଧୂପ ଉଠେ । ଘଣ୍ଟ, ଛତା, କାହାଳୀ ସହ ରୋଷରୁ ତଳିଛ ଓ ପ୍ରଧାନୀ ହାତପୈଠ ହୋଇ ଭୋଗ ଛାମୁକୁ ଆସେ । ଭୋଗ ଉଠିଲେ ଶ୍ରୀଅଙ୍ଗରେ ମୁଦିରସ୍ତ ପ୍ରସାଦ ଲାଗି କରନ୍ତି । ତିନିଜଣ ପୂଜାପଣ୍ଡା ପୂଜାରେ ବସି ଟେରା ପଡ଼ିବା ପରେ ପ୍ରସ୍ତୁତ ବଳିଭାତରୁ ଅନ୍ନ ବଳି, ଜଣେ ପୂଜାପଣ୍ଡା, ପତ୍ରୀ ଓ ସୁଆରବଡ଼ୁ ବାହାରକୁ ଆସି ମନ୍ଦିର ଚାରିପଟେ ଦିଅନ୍ତି । ତା'ପରେ ଭିତରେ ପୂଜା ବଢ଼ିଲେ ଟେରା ଫିଟି ଆଳତି ହୁଏ । ଭୋଗ ବାହାରି ପାଣିପଡ଼ିବା ପରେ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ବନ୍ଦାପନା କରନ୍ତି । ରଥ ଉପରେ ଠାକୁର ଥିବା ସମୟରେ ଏ ସଂକ୍ରାନ୍ତି ପଡ଼ିଲେ ବି ଏହି ନୀତି ରଥ ଉପରେ ହୁଏ । କିନ୍ତୁ ଅନ୍ନ ବଦଳରେ ଶୁଖିଲା ଚାଉଳ ଓ ବିରିରେ ବଳି ହୁଏ । ଦିଅଁଙ୍କୁ ଶୁଖିଲା ଭୋଗ ନୈବେଦ୍ୟ ହୋଇଥାଏ । ଗୁଣ୍ଡିଚା ଘରେ ଦିଅଁମାନେ ଥିବାବେଳେ ସଂକ୍ରାନ୍ତି ପଡ଼ିଲେ ସେଠାରେ ଶ୍ରୀମନ୍ଦିର ପରି ନୀତି ହୁଏ ।

ଚିତାଲାଗି ଅମାବାସ୍ୟା

ଶ୍ରାବଣ ଅମାବାସ୍ୟା ଦିନ ହୁଏ । ସକାଳ ଧୂପ ପୂଜା ବସିଥିବା ବେଳେ ଭଣ୍ଡାର ମେକାପ ମୁଦ ହୋଇଥିବା ହୀରାଚିତା ତିନିଗୋଟା ଆଣି ବେହରଣରେ ତଡ଼ଉ, ଦେଉଳକରଣ ଓ ପ୍ରାଶାସନିକ ଅଧିକାରୀଙ୍କ ମାର୍ଫତରେ ଦିଅନ୍ତି । ଶ୍ରୀମନ୍ଦିର ବଣିଆ ସେବକ ସେମାନଙ୍କ ଉପସ୍ଥିତିରେ ଚିତାମାନ ମାଜି ସଫା କରନ୍ତି । ସକାଳ ଧୂପ ଓ ଭୋଗ ମଣ୍ଡପ ପରେ ପୁଷ୍ପାଳକ ତିନିବାଡ଼ରୁ 'ଝୋବାକଣ୍ଠି’ ଅଳଙ୍କାର ମଇଲମ କରି ପାଳିଆ ମେକାପଙ୍କୁ ଦିଅନ୍ତି । ସେ ଉକ୍ତ ଅଳଙ୍କାରମାନ ଭଣ୍ଡାର ମେକାପଙ୍କୁ ଦିଅନ୍ତି । ପୁଷ୍ପାଳକମାନେ ଲକ୍ଷ୍ମୀ ଓ ସରସ୍ୱତୀ (ଶ୍ରୀଦେବୀ ଓ ଭୂଦେବୀ)ଙ୍କୁ ଖଟ ଶେଯ ଘରେ ବିଜେ କରାନ୍ତି । ଏହା ପରେ ପାଳିଆ ଖୁଣ୍ଟିଆ ଦଇତାପତିମାନଙ୍କୁ ଡାକନ୍ତି । ସେମାନଙ୍କ ସାଥିରେ ପାଳିଆ ମେକାପ ଥାଆନ୍ତି । ବାଡ଼ଗ୍ରାହୀ ଦଇତା ଓ ପତି ତିନିବାଡ଼ରେ ସିଂହାସନ ଉପରକୁ ଉଠି ଚିତାଲାଗି କରନ୍ତି । ଏଥିପାଇଁ ଅଣସର ସୁଧ ସୁଆର ଓଷୁଅ ଓ ପାଟରା ବିଶୋଇ ପାଟ ଡୋର ଯୋଗାନ୍ତି । ଚିତାଲାଗି ହେବା ପରେ ପାଳିଆ ମେକାପ ସିଂହାସନ ଉପର ଧୁଅନ୍ତି । ସୁଧ ସୁଆର ମହାସ୍ନାନ ପୂଜା ଠା' କରନ୍ତି । ତିନିଜଣ ପୂଜାପଣ୍ଡା ଆସି ମହାସ୍ନାନ ପୂଜା କରନ୍ତି । ତା'ପରେ ଭିତରେ ପାଣି ପଡ଼ି ଧୋପଖାଳ ହେବା ପରେ ପୁଷ୍ପାଳକମାନେ ଆସି ମଇଲମ କରନ୍ତି । ସେମାନେ ଖଟଶେଯ ଘରେ ଥିବା ଶ୍ରୀଦେବୀ ଓ ଭୂଦେବୀଙ୍କୁ ନେଇ ସିଂହାସନରେ ବିଜେ କରାନ୍ତି । ମାଳ ଫୁଲ ଇତ୍ୟାଦି ଲାଗି ହେବା ପରେ ଓ ବେଶ ବଢ଼ିବା ପରେ ଦିଅଁମାନେ ଛଅ ମୁର୍ତ୍ତି ଅଳଙ୍କାର ଲାଗି ହୁଅନ୍ତି । ଏହା ପରେ ମଧ୍ୟାହ୍ନ ଧୂପ ହୁଏ । ତା' ପରେ ପାଣି ପଡ଼ିଲା ପରେ ପୂଜାପଣ୍ଡା ପତି ମହାପାତ୍ର ଓ ମୁଦିରସ୍ତ ତିନିବାଡ଼ରେ ବନ୍ଦାପନା କରନ୍ତି ।

ଶ୍ରୀଜଗନ୍ନାଥ । ୧୨୭