ପୃଷ୍ଠା:ShreeJagannath.pdf/୧୬୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହୋଇଯାଆନ୍ତି । ପ୍ରତ୍ୟେକ ବାରରେ ଭିନ୍ନ ଭିନ୍ନ ରଙ୍ଗର ଘୋଡ଼ ଲାଗି ହୁଏ । ଯା: ରବିବାର- ଲାଲ ରଙ୍ଗ, ସୋମବାର- କଳାଛିଟ ମିଶା ଶୁକ୍ଲରଙ୍ଗ, ମଙ୍ଗଳବାର- ବାରପଟିଆ (ପଞ୍ଚରଙ୍ଗ ମିଶା) ବୁଧବାର- ନୀଳରଙ୍ଗ, ଗୁରୁବାର- ବସନ୍ତ ରଙ୍ଗ, ଶୁକ୍ରବାର- ଶୁକ୍ଲରଙ୍ଗ, ଶନିବାର କଳା ରଙ୍ଗ ।

ଓଢ଼ଣ ଷଷ୍ଠୀଠାରୁ ମାଘ ଶୁକ୍ଲ ପଞ୍ଚମୀ (ବସନ୍ତ ପଞ୍ଚମୀ) ଯାଏ ଏହି ଘୋଡ଼ଲାଗି ବେଶ ହୁଏ । ଏହି ବେଶରେ ୮ ମୂର୍ତ୍ତିି (ତ୍ରିଶାଖା-୨, କୁଣ୍ଡଳ-୪, ତଡ଼କୀ-୨) ସୁନା ଅଳଙ୍କାର ଲାଗି କରାଯାଏ । କିନ୍ତୁ ଏହି ବେଶରେ ଝୋବା କଣ୍ଠି ଲାଗେ ନାହିଁ । ଶୀତ ଋତୁ ଦ୍ୱିପ୍ରହର ସମୟରେ ଆମେ ଯେପରି କମ୍‍ ଶୀତବସ୍ତ୍ର ବ୍ୟବହାର କରୁ ଦିଅଁମାନେ ମଧ୍ୟ ସେପରି ଦ୍ୱିପ୍ରହର ଧୂପ ସମୟରେ ଘୋଡ଼ଲାଗି ହୁଅନ୍ତି ନାହିଁ । ଏହି ଧୂପ ପୂଜାରେ ସିଂହାସନ ଉପରେ ବସି ପୂଜାପଣ୍ଡାମାନେ ପୂଜା କରନ୍ତି । ଅନ୍ୟ ଧୂପ ପୂଜା ବେଳେ, ଅର୍ଥାତ୍ ଘୋଡ଼ଲାଗି ସମୟର ପୂଜା ବେଳେ ସେମାନେ ସିଂହାସନ ତଳେ ବସି ପୂଜା କରନ୍ତି ।

ବସନ୍ତ ପଞ୍ଚମୀଠାରୁ ଫଗୁ ଦଶମୀ ଯାଏ ଦିଅଁମାନେ ଜାମା ବା ଠିଆଘୋଡ଼ ପରିଧାନ କରନ୍ତି । ଏହି ବେଶରେ ଶ୍ରୀଅଙ୍ଗ ସଂପୂର୍ଣ୍ଣ ଘୋଡ଼ାଇ ହୁଏ ନାହିଁ । ଜାମାଲାଗି ବେଶରେ ଦିଅଁମାନେ ୩୦ ମୂର୍ତ୍ତିି ସୁନା ଅଳଙ୍କାର ପରିଧାନ କରନ୍ତି । ଘୋଡ଼ ବସ୍ତ୍ରମାନ ସାଧାରଣତଃ ମଖମଲ ଓ ସୂତା କପଡ଼ାରେ ତିଆରି ହୋଇାଏ ।

୧୮. ଚାଚେରୀ ବେଶ

ଫାଲଗୁନ ଶୁକ୍ଲ ଦଶମୀଠାରୁ ପୂର୍ଣ୍ଣିିମା ଯାଏ ଏ ଆନନ୍ଦ, ଉଲ୍ଲାସ ଭରା ଦୋଳ ଉତ୍ସବ ଅବସରରେ ଦିଅଁମାନେ ନାଲିରଙ୍ଗର ପାଟବସ୍ତ୍ର ପିନ୍ଧନ୍ତି । ଏହା ଚାଚେରୀ ବେଶ । ଏହି ବେଶରେ ଚାଚେରୀ ଭୋଗ ଓ ସଂଧ୍ୟାଧୂପ ହୁଏ ।

୧୯. ପଦ୍ମ ବେଶ

ମାଘ ଅମାବାସ୍ୟାଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ଶନିବାର କିମ୍ବା ବୁଧବାରରେ ଏହି ବେଶ ହୁଏ । ବେଶର ସମସ୍ତ ଉପକରଣ ବଡ଼ଛତା ମଠ ଯୋଗାଏ । ଅର୍ଥାତ୍ ବଡ଼ଛତା ମଠ ତରଫରୁ ଏହି ବେଶ କରାଯାଏ । ରାତ୍ର ଚନ୍ଦନ ଲାଗି ପରେ ବଡ଼ସିଂହାରରେ ଏହି ବେଶ ହୁଏ ଓ ଏହି ବେଶରେ ହିଁ ପହୁଡ଼ ହୁଏ । ମଠ ତରଫରୁ ଖିରି ଅମାଲୁ ଭୋଗ ହୁଏ । ଏ ବେଶର ଅନ୍ୟ ନାମ ପଦ୍ମମୁଖ ବେଶ । ମୁଖ୍ୟତଃ ପଦ୍ମଫୁଲରେ ଏହି ବେଶ ହେବା କଥା । କିନ୍ତୁ ସୋଲ, ଜରି ଓ ପଦ୍ମଫୁଲରେ ଏହି ବେଶ କରାଯାଉଛି ।

୨୦. ଗଜଉଦ୍ଧାରଣ ବେଶ

ମାଘ ପୂର୍ଣ୍ଣିିମାରେ ଏହି ବେଶ ହୁଏ । ମଧ୍ୟାହ୍ନ ଧୂପ ସରି ମୈଲମ ହେବା ପରେ ତିନିବାଡ଼ରେ ଗଜଉଦ୍ଧାରଣ ବେଶ ହୁଏ । କର୍ପୂର ଲାଗି ଓ ସଂଧ୍ୟା ଆଳତି ହୋଇ ଏହି ବେଶ ସକାଶେ ଆଉ ଏକ ଭୋଗ ମଣ୍ଡପ (ପଛ ଭୋଗ ମଣ୍ଡପ) ଭୋଗ ହୁଏ । ତା'ପରେ ସାହାଣମେଲା ବା ସର୍ବସାଧାରଣ