ପୃଷ୍ଠା:ShreeJagannath.pdf/୨୦୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରତିଷ୍ଠା କରିଥିଲେ । ଖ୍ରୀ:୧୨୩୦ ବେଳକୁ ଏହି ନୂତନ ରାଜଧାନୀ ପ୍ରତିଷ୍ଠା ପରେ ଅନଙ୍ଗଭୀମଦେବ ତାଙ୍କର ସାମ୍ରାଜ୍ୟକୁ ପୁରୁଷୋତ୍ତମ ଜଗନ୍ନାଙ୍କୁ ଉତ୍ସର୍ଗ କରିଥିଲେ ଏବଂ ମହାପ୍ରଭୁ ହିଁ ସାମ୍ରାଜ୍ୟର ଅଧୀଶ୍ୱର ବୋଲି ଘୋଷଣା କରିଥିଲେ । 'ମାଦଳାପାଞ୍ଜି'ରେ ଉଲ୍ଲେଖ ଅଛି ଯେ ଅନଙ୍ଗଭୀମ ଦେବ "ନଗର କଟକେ ଥାଇ ଶ୍ରୀ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଦେବଙ୍କୁ ସମସ୍ତ ସମର୍ପି ରାଉତପଣେ ଥାଆନ୍ତି । .....ଅନଙ୍ଗଭୀମ ଦେବ ଓ ପୁରୁଷୋତ୍ତମ ଦେବ ମଧ୍ୟ ରାଜ୍ୟ ୨ଅଙ୍କ ଅଭିଷେକ ନହେଲେ । ଓଡ଼ିଶା ରାଜ୍ୟ ରାଜା ଶ୍ରୀଜଗନ୍ନାଥ ମହାପ୍ରଭୁ ଏମନ୍ତ କହି ଅଭିଷେକ ନୋହିଲେ ।"

ବିଶିଷ୍ଟ ବୈଦେଶିକ ଗବେଷକ କୁଲ୍‍କେ ମତ ଦିଅନ୍ତି ଯେ, ରାଜା ଅନଙ୍ଗ ଭୀମଦେବ (୩ୟ)ଙ୍କ ଅମଳରେ ହିଁ ମହାପ୍ରଭୁ ପୁରୁଷୋତ୍ତମ ଗଙ୍ଗ ସାମ୍ରାଜ୍ୟର ରାଷ୍ଟ୍ରଦେବତା ରୂପେ ପରିଗଣିତ ହୋଇଥିଲେ । ତାଙ୍କ ରାଜତ୍ୱର ଷଷ୍ଠ ବର୍ଷରେ (ଖ୍ରୀ:୧୨୧୬) ଦ୍ରାକ୍ଷାରାମ ଶିଳାଲିପିରେ ସେ ନିଜକୁ ପୁରୁଷୋତ୍ତମ, ରୁଦ୍ର ଓ ଦୁର୍ଗାଙ୍କର 'ରାଉତ' ଓ 'ପୁତ୍ର' ବୋଲି ପରିଚିତ କରାଇଥିଲେ । ଖ୍ରୀ:୧୨୩୦ରେ ଭୁବନେଶ୍ୱର ଶିଳାଲିପିରେ ପ୍ରଥମ କରି ଜଗନ୍ନାଥଙ୍କ ନାମ ଉଲ୍ଲେଖ ହୋଇଥିଲା ବୋଲି ଡଃ କୈଳାସ ଚନ୍ଦ୍ର ଦାଶ ଲେଖିଛନ୍ତି । ଡଃ ଭଗବାନ ପଣ୍ଡା କିନ୍ତୁ ଲେଖିଛନ୍ତି ଯେ ଭାନୁଦେବ (୨ୟ)ଙ୍କ ରାଜତ୍ୱ କାଳ (ଖ୍ରୀ.୧୩୦୮ରୁ ୧୩୨୭)ରେ ଜଗନ୍ନାଥଙ୍କ ନାମ ପ୍ରଥମ କରି ଶିଳାଲିପିରେ ଖୋଦିତ ହୋଇଥିଲା । ପୁରୀର ପଞ୍ଜାବୀ ମଠରୁ ପ୍ରାପ୍ତ ଭାନୁଦେବଙ୍କ ଏକ ତାମ୍ର ଅନୁଶାସନ (ଆନୁମାନିକ ଡିସେମ୍ବର, ୧୩୧୧ ଖ୍ରୀଷ୍ଟାବ୍ଦ)ରୁ ଜଣାଯାଏ ଯେ, ଭାନୁଦେବ ମଧ୍ୟ ତାଙ୍କର ସାମ୍ରାଜ୍ୟ ଜଗନ୍ନାଥଙ୍କ ପାଦପଦ୍ମରେ ଅର୍ପଣ କରି ନିଜେ ମହାପ୍ରଭୁଙ୍କର ସେବକ ଅର୍ଥାତ୍ 'ରାଉତ' ଉପାଧି ଗ୍ରହଣ କରିିଥିଲେ । ସେହି କାଳରେ ଶ୍ରୀଜଗନ୍ନାଥଙ୍କ ନାମରେ 'ଅଙ୍କ' (ଶ୍ରାହି) ପ୍ରବର୍ତ୍ତନ କରାଗଲା । ଶ୍ରୀଜଗନ୍ନାଥଙ୍କ ନାମରେ ଅଙ୍କ କାଟିବା ପ୍ରଥା ଭାନୁଦେବଙ୍କ ଜୀବନକାଳ ଯାଏଁ ପ୍ରଚଳିତ ଥିଲା । କିନ୍ତୁ ତାଙ୍କର ପୁତ୍ର ନରସିଂହ ଦେବ (୩ୟ) ଖ୍ରୀ:୧୩୨୭/୧୩୨୮ରେ ସିଂହାସନ ଆରୋହଣ କଲା ପରେ ହିଁ ରାଜାଙ୍କ ନାମରେ ଶ୍ରାହି ପ୍ରଚଳନ କରାଗଲା । ଡ: ରାଜଗୁରୁ କହନ୍ତି, ସୁତରାଂ ଖ୍ରୀ:୧୩୦୮-୧୩୨୮ ମଧ୍ୟବର୍ତ୍ତୀ ୨୦ବର୍ଷ ପର୍ଯ୍ୟନ୍ତ ଶ୍ରୀପୁରୁଷୋତ୍ତମ- ଜଗନ୍ନାଥଙ୍କ ଅଙ୍କ ବ୍ୟବହୃତ ହୋଇ ପରବର୍ତ୍ତୀ କାଳରେ ତାହା ପରିହାର କରାଗଲା । ପରେ ପରେ ରାଜା କପିଳେନ୍ଦ୍ର ଦେବ ଓ୍ୱାରଙ୍ଗଲ ଶିଳାଲିପିରେ ନିଜକୁ ଶିବ, ଦୁର୍ଗା ଓ ପୁରୁଷୋତ୍ତମଙ୍କ ପୁତ୍ର ବୋଲି ଉଲ୍ଲେଖ କରିଛନ୍ତି । ଜଗନ୍ନାଥଙ୍କ ମୂର୍ତ୍ତିି କଳ୍ପନାରେ ଏହି ତିନି ଦିଅଁ (ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥ)ଙ୍କୁ ନିର୍ଣ୍ଣୟ କରାଯାଇ ଧର୍ମ ଓ ମତବାଦ ମଧ୍ୟରେ ଐକ୍ୟଭାବର ପ୍ରତିଷ୍ଠା କରାଯାଇଛି ।

ଗଙ୍ଗବଂଶର ଶାସନକାଳରେ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ଓଡ଼ିଶାରେ ବୈଷ୍ଣବଧର୍ମର ବିକାଶ ଘଟିଥିଲା । ପରବର୍ତ୍ତୀ ସୂର୍ଯ୍ୟବଂଶୀ ଶାସନ କାଳରେ ରାୟ ରାମାନନ୍ଦ ଓ ପଞ୍ଚସଖାଙ୍କ ଉଦ୍ୟମରେ ତା ଶ୍ରୀ ଚୈତନ୍ୟଙ୍କ ସକ୍ରିୟ ନେତୃତ୍ୱରେ ଓଡ଼ିଶାରେ ବୈଷ୍ଣବଧର୍ମ ଅଧିକ ଦୃଢ଼ୀଭୂତ ଓ ଲୋକପ୍ରିୟ ହୋଇ ପାରିଥିଲା ବୋଲି ଗଜପତି ରାଜାମାନେ ଶ୍ରୀଜଗନ୍ନାଥଙ୍କୁ ରାଷ୍ଟ୍ରଦେବତା

୨୦୮ ଶ୍ରୀଜଗନ୍ନାଥ