ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପୁରୁଷୋତ୍ତମ କ୍ଷେତ୍ର ବା ପ୍ରାଚୀନ ପୁରୀରେ ନୀଳମାଧବ ଓ ନୃସିଂହ ଠାକୁର ପୂଜା ପାଉଥିଲେ । ନୃସିଂହ ଠାକୁର ଏବେ ଶ୍ରୀମନ୍ଦିରର ଭିତର ବେଢ଼ାରେ ମୁକ୍ତିମଣ୍ଡପ ସଂଲଗ୍ନ ଏକ ସ୍ୱତନ୍ତ୍ର ମନ୍ଦିରରେ ବିରାଜିତ । ଏହି ମନ୍ଦିର ଏବର ଶ୍ରୀଜଗନ୍ନାଥ ମନ୍ଦିରଠାରୁ ପ୍ରାଚୀନ । ସ୍କନ୍ଦ ପୁରାଣ ଅନୁସାରେ ଶବର ରାଜା ବିଶ୍ୱାବସୁଙ୍କଦ୍ୱାରା ପୂଜିତ ନୀଳମାଧବ ବିଗ୍ରହ ଥିଲେ ଇନ୍ଦ୍ରୀଳମଣି ପ୍ରସ୍ତରିର୍ମିତ ଓ ଶଙ୍ଖ, ଚକ୍ର, ଗଦା, ପଦ୍ମଧାରୀ ଚତୁର୍ଭୁଜ । ବର୍ତ୍ତମାନ ଶ୍ରୀମନ୍ଦିରର ରତ୍ନବେଦୀସ୍ଥିତ ମାଧବ ଅବିକଳ ଶ୍ରୀଜଗନ୍ନାଥଙ୍କ ଆକୃତିର କ୍ଷୁଦ୍ରମୂର୍ତ୍ତିି । ତେଣୁ ସେ ବାଳ ପୁରୁଷୋତ୍ତମ । ଶ୍ରୀଜଗନ୍ନାଥଙ୍କ ଅନ୍ୟ ନାମ ପୁରୁଷୋତ୍ତମ । ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର କ୍ଷୁଦ୍ରମୂର୍ତ୍ତିି ରତ୍ନବେଦୀ ଉପରେ ସ୍ଥାପନା କରାଯାଇ ନଥିବାବେଳେ ପ୍ରଭୁ ଜଗନ୍ନାଥଙ୍କର ଏପରି କ୍ଷୁଦ୍ରମୂର୍ତ୍ତିି ସ୍ଥାପନାର ତାତ୍ତ୍ୱିକ ଅର୍ଥ ନିଶ୍ଚୟ ଅଛି । ରତ୍ନବେଦୀସ୍ଥ ଦେବଦେବୀମାନଙ୍କ ମଧ୍ୟରୁ କେବଳ ନୀଳମାଧବଙ୍କର ପୂଜା ନାହିଁ । ଅନ୍ୟ ଛଅଟି ବିଗ୍ରହଙ୍କର ପୂଜା କରାଯାଏ । ଜଣେ ପୂଜାପଣ୍ଡା ଶ୍ରୀବଳଭଦ୍ରଙ୍କୁ, ଜଣେ ଦେବୀ ସୁଭଦ୍ରାଙ୍କୁ ଓ ଆଉ ଜଣେ ଶ୍ରୀଜଗନ୍ନାଥଙ୍କୁ ପୂଜା କରନ୍ତି । ନୀଳମାଧବଙ୍କର ସ୍ୱତନ୍ତ୍ର ପୂଜା ନହେବାର କାରଣ ହେଲା, ସେ ଓ ଶ୍ରୀଜଗନ୍ନାଥ ସର୍ବସମ (identical) ବୋଲି ବିବେଚନା କରାଯାଏ । ଶ୍ରୀମନ୍ଦିରର ଦୁଇଟି ବିଶେଷ ନୀତି, ମା' ବିମଳାଙ୍କ ଷୋଡ଼ଶ ପୂଜାରେ ଦଶହରାରେ ଓ କାର୍ତ୍ତିିକ ପୂର୍ଣ୍ଣିିମାରେ ମାଧବ ସ୍ୱୟଂ ଜଗନ୍ନାଥଙ୍କ ସ୍ୱରୂପ ଅଂଶଗ୍ରହଣ କରନ୍ତି । ରଥଯାତ୍ରାରେ ମାଧବ ଯାଆନ୍ତି ନାହିଁ; ଶ୍ରୀମନ୍ଦିରରେ ରହିଥାନ୍ତି ଶ୍ରୀଜଗନ୍ନାଥଙ୍କ ସତ୍ତା ଭାବରେ ।

ଶ୍ରୀଜଗନ୍ନାଥ ତତ୍ତ୍ୱ ବୁଝିବା ଓ ବୁଝାଇବା ସହଜ ବା ସମ୍ଭବ ନୁହେଁ । ଏ ସମ୍ପର୍କରେ ଯାହା କହିଲେ ବି ସଂପୂର୍ଣ୍ଣ ଠିକ୍‍ ହେବନାହିଁ । ପୁରାଣ, କିମ୍ବଦନ୍ତୀ ଓ ଇତିହାସ ତାଙ୍କର ରହସ୍ୟକୁ ଭେଦ କରିପାରି ନାହାନ୍ତି । ତାଙ୍କର ତତ୍ତ୍ୱ ଜାଣିବାକୁ ଅଧ୍ୟୟନ କଲେ ସେ ଅଧିକ ରହସ୍ୟମୟ ମନେହୁଅନ୍ତି । 'ନେତି', 'ନେତି' (not this, not this) ହେଉଛି ଦାରୁବ୍ରହ୍ମରୂପୀ ପରଂବ୍ରହ୍ମ ଜଗନ୍ନାଥଙ୍କ ତତ୍ତ୍ୱର ସମୁଚିତ ବ୍ୟାଖ୍ୟାନ ।

Not this, not this, is an appropriate description of Brahman in as much as no better description can be given (Bruhadaranyaka Upanishad, 2.6.6)

ଶ୍ରୀଜଗନ୍ନାଥ ପ୍ରଥମେ ନୀଳମାଧବ ନାମରେ ବିଶ୍ୱାବସୁ ନାମକ ଜନୈକ ଶବର ରାଜାଙ୍କ ଦ୍ୱାରା ଗୋପନରେ ଅରଣ୍ୟରେ ପୂଜିତ ହେଉଥିଲେ ବୋଲି କେତେକ ପୁରାଣରେ କୁହାଯାଇଛି । ସେ ଥିଲେ ମୂଳତଃ ଆଦିବାସୀ (ଶବର) ଦେବତା । ଜଗନ୍ନାଥ ସଂସ୍କୃତିର ଜଣେ ପ୍ରସିଦ୍ଧ ଗବେଷକ ଡକ୍ଟରର ବେଣୀମାଧବ ପାଢ଼ୀ ଲେଖିଛନ୍ତି; "ଜଗନ୍ନାଥ ଶବ୍ଦଟି ମଧ୍ୟ ଯେପରି ପାଲି-ମୂଳ ନୁହେଁ ସେହିପରି ସଂସ୍କୃତ-ମୂଳ ବି ନୁହେଁ; ବରଂ ଏହାକୁ ଶାବର-ମୂଳ କହିବାରେ ଅଧିକ ଯୁକ୍ତି ରହିଛି । ମନେହୁଏ, ଏହା ଶାବର ଭାଷାରେ ବ୍ୟବହୃତ 'ଜଗନ୍ତ' ଶବ୍ଦର ସଂସ୍କୃତ ରୂପ । 'ଜଗନ୍ତ' ହେଉଛନ୍ତି ଶବର ଦେବତା । ଶାବର ବା ସୌରା ଭାଷାରେ 'କିତୁଙ୍ଗ' କହିଲେ 'ଦେବତା' । 'କିତୁଙ୍ଗ' ବୋଲି କୌଣସି ନିର୍ଦ୍ଦିଷ୍ଟ ଦେବତାଙ୍କ ନାମ ନାହିଁ । ଦେବତା ଶବ୍ଦ ଯେପରି ସାଧାରଣ ଅର୍ଥ ସୂଚକ 'କିତୁଙ୍ଗ' ମଧ୍ୟ ସେହିପରି ସାଧାରଣ ଅର୍ଥବାଚୀ । .....କିତୁଙ୍ଗ ସମସ୍ତ ଶବର ଜାତିର

ଶ୍ରୀଜଗନ୍ନାଥ * ୨୩