ଦିବ୍ୟସିଂହ ଦେବଙ୍କ ୯ମ ଅଙ୍କରେ ଅର୍ଥାତ୍ ୧୬୯୪ ମସିହାରେ ପ୍ରବଳ ଝଡ ତୋଫାନ୍ରେ ବଡ଼ଦେଉଳ ଉପରୁ ନୀଳଚକ୍ର ଉପୁଡ଼ି ପଡ଼ି ଭଣ୍ଡ ଗଣେଶ ମନ୍ଦିର ଆଗରେ ପଡ଼ିଥିଲା । ସବୁ ଦେଉଳରୁ ପରର ଚକ୍ରମାନ ଉପୁଡ଼ି ପଡ଼ିଥିଲା । ଦିବ୍ୟସିଂହ ଦେବଙ୍କ ରାଜତ୍ୱର ୩୩ ଅଙ୍କରେ ମନ୍ଦିର ଶିଖରରେ ନୀଳଚକ୍ର ପୁନଃ ପ୍ରତିଷ୍ଠିତ ହେଲା । ଗଣନା ଅନୁସାରେ ଏହି ସ୍ମରଣୀୟ ଘଟଣା ଘଟିଥିଲା ୧୭୧୫ ମସିହା ଜାନୁୟାରି ମାସ ୨୬ ତାରିଖରେ । ପରମାନନ୍ଦ ପଟ୍ଟନାୟକଙ୍କ ପୁଅ ଧରମୁ ହରିଚନ୍ଦନ ମହାପାତ୍ର ନବନିର୍ମିତ ଅଷ୍ଟଧାତୁର ନୀଳଚକ୍ରକୁ ବଡ଼ଦେଉଳ ଉପରେ ବସାଇଥିଲେ । ଦୀର୍ଘ ପ୍ରାୟ ୨୦ ବର୍ଷ ଧରି ନୀଳଚକ୍ର ବଡ଼ଦେଉଳ ଉପରେ ନଥିଲା । ପରବର୍ଷ ଅର୍ଥାତ୍ ୧୭୧୬ ମସିହାରେ ରାଜା ଦିବ୍ୟସିଂହ ଦେବ ପୁରୀଠାରେ ଦେହତ୍ୟାଗ କରିଥିଲେ ।
ଦିବ୍ୟସିଂହ ଦେବଙ୍କ ପରେ ତାଙ୍କର ସାନଭାଇ ହରକେୃଷ୍ଣ ଦେବ ରାଜା ହେଲେ । ତାଙ୍କର ଅଭିଷେକ ୯.୫.୧୭୧୬ ତାରିଖରେ ହୋଇଥିବା ଜଣାଯାଏ । ତାଙ୍କ ରାଜତ୍ୱ କାଳରେ କୌଣସି ମୋଗଲ ଆକ୍ରମଣ ହୋଇନାହିଁ । ଏହି ସମୟରେ ବୈଦିକ ଧର୍ମର ପୁନରୁତ୍ଥାନପାଇଁ ପ୍ରବଳ ଉଦ୍ୟମ ହୋଇଥିଲା ବୋଲି 'ଖୁରୁଧା ଇତିହାସ'ରେ ଲେଖାଅଛି । ତାଙ୍କ ସମୟରେ ହଳଧର ରାଜଗୁରୁ ବହୁ କାଳରୁ ଲୁପ୍ତ ହୋଇଥିବା ଶାରଦ ବାଜପେୟ ଯଜ୍ଞ ସଂପନ୍ନ କରିଥିଲେ । ରାଜାଙ୍କ ନାମରେ ପୁରୀ ନିକଟରେ ବୀର ହରେକୃଷ୍ଣପୁର ଶାସନ ବସାଯାଇଥିଲା । ରାଜା ବଡ଼ ଦେଉଳକୁ ଚୂନ ଦେଇଥିଲେ । ସେ ଜଗନ୍ନାଥ ମନ୍ଦିରର ଜୀର୍ଣ୍ଣ ସଂସ୍କାର ଓ ଅନ୍ୟାନ୍ୟ କୀର୍ତ୍ତିିର ନିର୍ମାତା ଥିଲେ । ୧୭.୩.୧୭୨୦ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । (ଏହି ରାଜାଙ୍କ ନାମ ପ୍ରକୃତରେ 'ହରିକୃଷ୍ଣ', 'ହରେକୃଷ୍ଣ' ନୁହେଁ ବୋଲି ଚକ୍ରଧର ମହାପାତ୍ର ତାଙ୍କର "ଉତ୍କଳ ଇତିହାସର ଏକ ଅଜ୍ଞାତ ଅଧ୍ୟାୟ' ପୁସ୍ତକରେ ଲେଖିଛନ୍ତି ।)
ହରେକୃଷ୍ଣ ଦେବଙ୍କ ପରେ ତାଙ୍କର ପୁତ୍ର ଗୋପୀନାଥ ରାୟ ଗୋପୀନାଥ ଦେବ ନାମ ଧାରଣ କରି ରାଜା ହେଲେ । ସେ ରାଜା ହେବା ପରେ କରଣ ଦେଓ୍ୱାନଙ୍କ ସ୍ଥାନରେ ଜଣେ ମୋଗଲ ମିର୍ଜା ସୟଦ୍ ବେଗ୍ଙ୍କୁ ଦେଓ୍ୱାନ୍ ପଦରେ ନିଯୁକ୍ତ କରିଥିଲେ । ମିର୍ଜା ସୟଦ୍ ବିଧର୍ମୀ ହେଲେ ହେଁ ଭଦ୍ର ଓ ବିଶ୍ୱସ୍ତ ଥିଲେ । ପାର୍ଶିଭାଷା ଭଲ ଭାବେ ଜାଣିଥିବାରୁ ସେତେବେଳେ ଶାସନ କାର୍ଯ୍ୟରେ ଓଡ଼ିଆ ସହିତ ପାର୍ଶି ଭାଷା ଚଳୁଥିବାରୁ ମୋଗଲ ସୁବା ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରିବା ସହଜ ହୋଇଥିଲା ।
'ଏ ରାଜା ଗୋପୀନାଥପୁର ଶାସନ କଲେ' ବୋଲି ମାଦଳା ପାଞ୍ଜିରେ ଲେଖାଅଛି । ଗବେଷକ ଫକୀର ହରିଚନ୍ଦନ ଲେଖିଛନ୍ତି- "ବିଡମ୍ବନା ଯେ, ଗୋପୀନାଥ ଦେବଙ୍କ ଚରିତ୍ରଦୋଷ ହେତୁ ତାଙ୍କରିଦ୍ୱାରା ନିଯୁକ୍ତ ଦେଓ୍ୱାନ ମିର୍ଜା ସୟଦ ବେଗ୍, ବେନୁ ଭ୍ରମରବର ରାଏ ଓ ଖୋଜା ବକ୍ସି କୃଷ୍ଣନରେନ୍ଦ୍ର ତାଙ୍କୁ ହତ୍ୟା କଲେ ।" ଏ ତିନିଜଣ ଖୋର୍ଦ୍ଦା ନଅରରେ ପଶି ରାଜାଙ୍କୁ ମାରି ପଳାଇଲେ ବୋଲି ମାଦଳାପାଞ୍ଜିରେ ଉଲ୍ଲେଖ ଅଛି । ଐତିହାସିକ କେଦାରନାଥ ଲେଖିଛନ୍ତି ଯେ, ସିଂହାସନ