ପୃଷ୍ଠା:ShreeJagannath.pdf/୨୭୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପରିଶିଷ୍ଟ - ୫
ଶତାବ୍ଦୀର ଶେଷ ନବକଳେବର


'ନବ କଳେବର' ଅର୍ଥ ନୂତନ ଶରୀର ବା ବିଗ୍ରହ । ଅର୍ଥାତ୍ ଶ୍ରୀମନ୍ଦିରର ରତ୍ନ ସିଂହାସନରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତିଙ୍କର ନୂତନ କଳେବର ଧାରଣ । ବହୁ ବ୍ୟକ୍ତିଙ୍କର ଭ୍ରାନ୍ତଧାରଣା ରହିଛି ଯେ ବାର ବର୍ଷରେ ଥରେ ନବ କଳେବର ହୁଏ । ଗତ ନବ କଳେବର ୧୯୯୬ ମସିହାରେ ହୋଇଥିଲା । ତତ୍ ପୂର୍ବରୁ ୧୯୭୭ ମସିହାରେ ହୋଇଥିଲା । ଗତ ଶତାବ୍ଦୀରେ ୧୯୧୨, ୧୯୩୧, ୧୯୫୦, ୧୯୬୯, ୧୯୭୭ ଓ ୧୯୯୬ ମସିହାରେ ଏହା ହୋଇଥିଲା । ସୁତରାଂ ବାର ବର୍ଷରେ ନବ କଳେବର ହୁଏ ନାହିଁ । ଯେଉଁବର୍ଷ ଦୁଇଟି ଆଷାଢ଼ ମାସ ପଡ଼େ ,ସେହି ବର୍ଷ ହିଁ ନବ କଳେବର ହୁଏ । ଶ୍ରୀମନ୍ଦିର ସ୍ୱତ୍ୱଲିପିରେ ଲେଖାଅଛି, “ଯେଉଁ ବର୍ଷ ଯୋଡ଼ା ଆଷାଢ଼ (ମଳ) ପଡ଼େ ସେହି ବର୍ଷ ଠାକୁରଙ୍କ ନବକଳେବର ବିଧି ହୁଏ ଓ ଅଣସର ସମୟ ଦେଢ଼ ମାସ ହୁଏ, ଏହାକୁ ମହାଅଣସର କୁହାଯାଏ ।”
ଇତିହାସରୁ ଜଣାଯାଏ ଯେ, ଅତୀତରେ ବେଳେବେଳେ ଯୋଡ଼ା ଆଷାଢ଼ ପଡ଼ିଥିଲେ ମଧ୍ୟ ନବ କଳେବର ବିଭିନ୍ନ ଅସୁବିଧାଯୋଗୁଁ ହୋଇପାରି ନାହିଁ । ଆହୁରି ମଧ୍ୟ ନବ କଳେବର ବର୍ଷରେ ସଂପୂର୍ଣ୍ଣ ନୂତନ ବିଗ୍ରହ ଗଠନ କରାଯାଇ ନାହିଁ । ନବ କଳେବର ବିଧି ଦୁଇ ପ୍ରକାର ରହିଛି । ଗୋଟିଏ ହେଉଛି- ନୂତନ ବିଗ୍ରହ ନିର୍ମାଣପାଇଁ ପରମ୍ପରା ବା ବିଧିବିଧାନ ଅନୁଯାୟୀ ବନଯାଗ, ଦାରୁ ଅକ୍ଳେଷଣ, ବିଗ୍ରହ ନିର୍ମାଣ ତଥା ବ୍ରହ୍ମ ପରିବର୍ତ୍ତନ ଓ ଅନ୍ୟଟି ହେଲା 'ଶ୍ରୀଅଙ୍ଗ ଫିଟା’ । ଏଥିରେ ବନଯାଗ ବା ଦାରୁ ଅନ୍ୱେଷଣ କରାଯାଏ ନାହିଁ । କେବଳ ଦିଅମାନଙ୍କର ଶ୍ରୀଅଙ୍ଗ ଫିଟା ଯାଇ ଶ୍ରୀଅଙ୍ଗର ଆବଶ୍ୟକ ନିର୍ମାଣ କାର୍ଯ୍ୟ କରାଯାଏ । 'ଶ୍ରୀଅଙ୍ଗ ଫିଟା’ରେ ‘ବ୍ରହ୍ମଙ୍କୁ ସ୍ପର୍ଶ କରାଯାଏ ନାହିଁ ।
ଚୈତ୍ରମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ନବ କଳେବରର ପ୍ରଥମ ପର୍ଯ୍ୟାୟ ‘ବନଯାଗର ଶୁଭାରମ୍ଭ ହୁଏ । ଏହି ଦିନ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ପତି ମହାପାତ୍ର ସେବକ ରତ୍ନ ସିଂହାସନ ଉପରକୁ ଉଠି ‘ଚାରିବାଡ଼’ର ଅର୍ଥାତ୍ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା,

୨୭୬ ଶ୍ରୀଜଗନ୍ନାଥ