ପୃଷ୍ଠା:ShreeJagannath.pdf/୨୭୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶ୍ରୀଜଗନ୍ନାଥ ଓ ସୁଦର୍ଶନଙ୍କର ଶ୍ରୀଅଙ୍ଗରୁ ଅଜ୍ଞାମାଳ (ଫୁଲମାଳ) ବାହାର କରି ଆଣି, ତିନି ବାଡ଼ର ଆଜ୍ଞା ମାଳ ତିନିବାଡ଼ର ମୁଖ୍ୟ ଦଇତା ବା ବାଡ଼ଗ୍ରାହୀମାନଙ୍କୁ ଦେଇ, ନିଜେ ସୁଦର୍ଶନଙ୍କର ଆଜ୍ଞା ମାଳ ନିଅନ୍ତି । କାରଣ ପତି ମହାପାତ୍ର ହେଉଛନ୍ତି, ସୁଦର୍ଶନଙ୍କ ବାଡର ବାଡଗ୍ରାହୀ । ଦଇତା ଓ ପତି ମହାପାତ୍ରଙ୍କୁ ମିଶାଇ 'ଦଇତାପତି’ କୁହାଯାଏ । ଏମାନଙ୍କର ନିଯୋଗର ନାମ ଦଇତାପତି ନିଯୋଗ ପତି ମହାପାତ୍ର ବ୍ରାହ୍ମଣ ସେବିକା ଦଇତାମାନେ ବ୍ରାହ୍ମଣ ନୁହଁନ୍ତି ।
ଗର୍ଭଗୃହ ସମ୍ମୁଖସ୍ଥ ଅଣସର ପିଣ୍ଡିଠାରେ ଭିତରଛୁ ମହାପାତ୍ର ଦାରୁ ଅନ୍ବେଷଣପାଇଁ ଆଜ୍ଞା ମାଳ ପାଇଥିବା ବାଡ଼ଗ୍ରାହୀ ଦଇତାପତିଙ୍କୁ ଓ ଅନ୍ୟାନ୍ୟ ଦଇତା ସେବକଙ୍କୁ ବାରଲାଗି ଶାଢ଼ି (ପାଟ ବସ୍) ସେମାନଙ୍କ ଶିରରେ ବାନ୍ଧନ୍ତି । ଗତ ନବ କଳେବର (୧୯୯୬)ରେ ଭିତରଛି ମଧୁସୂଦନ ମହାପାତ୍ର ନିମ୍ନଲିଖିତ ଆଜ୍ଞାମାଳ ପାଇଥିବା ବାଡ଼ଗ୍ରାହୀଙ୍କୁ ଶାଢ଼ି ବାନ୍ଧି ଥିଲେ ।
ସୁଦର୍ଶନଙ୍କ ବାଡ଼- ଶ୍ରୀ ରଘୁନାଥ ପତି ମହାପାତ୍ର
ବଡ଼ବାଡ଼ (ବଳଭଦ୍ର)- ଶ୍ରୀ ହଳଧର ଦାସ ମହାପାତ୍ର
ମଝିବାଡ଼ (ସୁଭଦ୍ରା)- ଶ୍ରୀ ବିଶ୍ବନାଥ ଦାସ ମହାପାତ୍ର
ମହାପ୍ରଭୁଙ୍କ ବାଡ଼ (ଜଗନ୍ନାଥ)- ଶ୍ରୀ ଜଗନ୍ନାଥ ସ୍ବାଇଁ ମହାପାତ୍ର
ତା'ପରେ ଅନ୍ୟାନ୍ୟ ଦଇତା ସେବକମାନଙ୍କୁ ଶାଢ଼ି ବାନ୍ଧିବା ପରେ ଜୟ ବିଜୟ ଦ୍ୱାରଠାରେ ଦେଉଳକରଣ ଓ ତଡ଼ାଉକରଣଙ୍କୁ ଭିତରଛୁ ମହାପାତ୍ର ଶାଢି ବାନ୍ଧନ୍ତି । ଦେଉଳକରଣ ଶ୍ରୀ ଚନ୍ଦ୍ରଶେଖର ମଙ୍ଗରାଜ ଓ ତଡ଼ାଉକରଣ ଶ୍ରୀ ସୁଧ୍ୟଶୁ ଶେଖର ପଟ୍ଟନାୟକଙ୍କୁ ଶାଢ଼ି ବନ୍ଧାଯାଇଥିଲା । ଏହା ଥିଲା ‘ବାରଲାଗି ଶାଢ଼ି । ତାପରେ ଉକ୍ତ ଦ୍ବାରଠାରେ ଲେଖି ସେବକ (ଈଶ୍ବର ଚନ୍ଦ୍ର ମହାନ୍ତି) ଓ ଚାରିଜଣ ବିଶ୍ୱକର୍ମା (ବଢ଼େଇ) ସେବକଙ୍କୁ ସୂତାଶାଢ଼ି ବନ୍ଧାଯାଇଥିଲା । (ଏହି ବିଶ୍ବକର୍ମାମାନେ ଥିଲେ ସୁଦର୍ଶନ ବାଡ଼- ଶ୍ରୀ ବଳରାମ ମହାରଣା, ବଡ଼ବାଡ଼- ଶ୍ରୀ ଦାମୋଦର ମହାପାତ୍ର, ମଝିବାଡ଼- ଶ୍ରୀକୃଷ୍ଣ ମହାରଣା ଓ ମହାପ୍ରଭୁଙ୍କ ବାଡ଼ ଶ୍ରୀ ଲିଙ୍ଗରାଜ ମହାପାତ୍ର) ।
ବନଯାଗ ଯାତ୍ରାରେ ଦଇତାପତି, ଦେଉଳକରଣ, ତଡ଼ାଉକରଣ, ଲେଖେ, ବିଶ୍ବକର୍ମା ପ୍ରଭୃତିଙ୍କ ସହିତ ଶ୍ରୀମନ୍ଦିରର ରାଜଗୁରୁ ଓ ଦେଉଳ ପୁରୋହିତ ଯାଇଥିଲେ। ଏମାନଙ୍କ ବ୍ୟତୀତ ଆଉ ତିନି ଜଣ ବ୍ରାହ୍ମଣ ଯାଇଥିଲେ । ସର୍ବମୋଟ ଏହିପରି ସାତଜଣ ବ୍ରାହ୍ମଣ ବିଭିନ୍ନ କର୍ମକର୍ମାଣି କରିବାକୁ ଯାଇଥିଲେ । ସେମାନେ ହେଲେ ସର୍ବଶ୍ରୀ ରମେଶ ଚନ୍ଦ୍ର ରାଜଗୁରୁ, ପ୍ରମୋଦ କୁମାର ରାଜଗୁରୁ, କେଶବ ଚନ୍ଦ୍ର ରାଜଗୁରୁ, ସିଣେଶ୍ବର ମହାପାତ୍ର (ଦେଉଳ ପୁରୋହିତ), ବଳରାମ ଦାଶ, କୃଷ୍ଣଚନ୍ଦ୍ର ମହାପାତ୍ର, ଶରତ ଚନ୍ଦ୍ର ଷଡ଼ଙ୍ଗୀ । ଏମାନେ ପୃଥକ ଭାବରେ ଚରୁ, ସମିଧ, ବ୍ରହ୍ମା, ମନ୍ତ୍ର ଓ ଅସ, ଜାପକ, ପୁସ୍ତକାଚାର୍ଯ୍ୟ, ଆଚାର୍ଯ୍ୟ ଓ ମଣ୍ଡଳାଚାର୍ଯ୍ୟ କର୍ମ କରିବାପାଇଁ ବନଯାଗରେ ଯାଇଥିଲେ ।
ନବ କଳେବର ବନଯାଗ ଯାତ୍ରାରେ ବିଶ୍ବାବସୁ ଭାବରେ ଜନୈକ ଅଭିଜ୍ଞ ଦଇତା ସେବକ କାର୍ଯ୍ୟ କରନ୍ତି । କେଉଁ ଦଇତା ଏହି କାର୍ଯ୍ୟ କରିବେ ତାହା ଦଇତାପତି ସେବକମାନେ ସ୍ଥିର କରନ୍ତି । ଗତ ନବ କଳେବର ବେଳେ ଦଇତାପତି ନିଯୋଗର ପରିଚାଳନା କମିଟି ଶ୍ରୀ ରାଜ

ଶ୍ରୀଜଗନ୍ନାଥ ୨୭୭