ପୃଷ୍ଠା:ShreeJagannath.pdf/୨୭୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପରବର୍ତ୍ତୀ ଦିନଠାରୁ ଦଇତାମାନେ ଦାରୁ ଅନ୍ବେଷଣପାଇଁ ବିଭିନ୍ନ ଦିଗକୁ ଯାତ୍ରା କରିଥିଲେ । ଦାରୁବୃକ୍ଷ ଓ ତା’ର ପରିବେଶରେ କେତେଗୋଟି ବିଶେଷ ଲକ୍ଷଣ ଥିବା ଆବଶ୍ୟକ । ଯଥା:
ବୃକ୍ଷଟି ମୂଳରୁ ଅନ୍ତତଃ ଦଶଫୁଟରୁ ଉର୍ଣ୍ଣ ସଳଖ ଓ ନିଦା ହେବା ଆବଶ୍ୟକ ବୃକ୍ଷ ମୂଳରେ କିମ୍ବା ବିକଟରେ ଉଈ ହୁଙ୍କା ଥିବ କିମ୍ବା ସର୍ପ ବାସ କରୁଥିବ । ବୃକ୍ଷ ନିକଟରେ ବରୁଣ ଗଛ କିମ୍ବା ସାହାଡ଼ା ଗଛ ଥିବ । ବୃକ୍ଷରେ କୌଣସି ପକ୍ଷୀ ବାସ କରୁ ନଥିବେ । ବୃକ୍ଷ ଦେହରେ କୀଟଦ୍ରଷ୍ଟ ଚିହ୍ନ କିମ୍ବା ବଜ୍ରପାତର ଚିହ୍ନ ନଥିବ । ବୃକ୍ଷଟି ନଦୀ, ଶ୍ମଶାନ, ମଠ କିମ୍ବା ମନ୍ଦିର ନିକଟରେ ଥିବ । ବୃକ୍ଷରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଚିହ୍ନ ଥିବା ଆବଶ୍ୟକ । ‘ସୁତ ସଂହିତା’ରେ ଲେଖାଅଛି ଯେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ଦାରୁର ବର୍ଣ ଯଥାକ୍ରମେ କୃଷ୍ଣ, ଶ୍ୱେତ, ପୀତ ଓ ରକ୍ତ ବର୍ଣ ହେବା ସଙ୍ଗେ ସଙ୍ଗେ ଏଥିରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଚିହ୍ନ ଥିବା ଆବଶ୍ୟକ ।
ଯେଉଁ ଦାରୁ ନିମ୍ବ ବୃକ୍ଷରେ ଉଲ୍ଲିଖିତ ଲକ୍ଷଣ ମଧ୍ୟରୁ ଅଧିକାଂଶ ଲକ୍ଷଣ ଥିବ ସେହି ବୃକ୍ଷକୁ ଦଇତାପତିମାନେ ମନୋନୀତ କରନ୍ତି ।
ପ୍ରଥମେ ସୁଦର୍ଶନଙ୍କ ଦାରୁ ବୃକ୍ଷ ଚିହ୍ନଟ ପରେ ବୃକ୍ଷର ଚଉପାଶ ସଫା ହୁଏ । ବୃକ୍ଷ ନିକଟରେ ଯଜ୍ଞଶାଳା ଓ ଅନତିଦୂରରେ ଦଇତାପତି ଓ ବ୍ରାହ୍ମଣମାନଙ୍କପାଇଁ ଚାଳିଆ ନିର୍ମାଣ କରାଯାଏ। ଯଜ୍ଞଶାଳାରେ ଲେଖି ସେବକ ନେଇଥିବା ସୁଦର୍ଶନ ଚକ୍ର ସ୍ଥାପନ କରାଯାଏ । ମହାନୃସିଂହ ମନ୍ତ୍ରରେ ଘୃତାହୁତି ଦେଇ ବ୍ରାହ୍ମଣମାନେ ବୃକ୍ଷରେ ଥିବା ଭୂତ, ପ୍ରେତ ତଥା ଅଦୃଶ୍ୟ ଶକ୍ତିମାନଙ୍କୁ ବୃକ୍ଷ ଛାଡ଼ି ଚାଲିଯିବାପାଇଁ ଆହ୍ବାନ କରନ୍ତି । କୃସିଂହ ମନ୍ତ୍ରରାଜ ବା ମହାକୃସିଂହ ମନ୍ତ୍ରରେ ହୋମ ହୁଏ । ପାତାଳ ନୃସିଂହ ମନ୍ତ୍ରରେ ଜପ ଓ ହୋମ ହୁଏ । ନୃସିଂହ ପୂଜା, ସୁଦର୍ଶନ ପୂଜା ଓ ଅସ୍ତ୍ର ପୂଜା ଇତ୍ୟାଦି କର୍ମ ହୁଏ । ବୃକ୍ଷଛେଦନ ନିମନ୍ତେ ଉଦ୍ଦିଷ୍ଟ ସୁନା, ରୁପା ଓ ଲୁହା କୁରାଢିକୁ ସୁଦର୍ଶନ ମନ୍ତ୍ରରେ ଅଭିମନ୍ତ୍ରିତ କରାଯାଏ । ସୁନା, ରୁପା ଓ ଲୁହା କୁରାଢ଼ିଦ୍ବାରା ଯଥାକ୍ରମେ ପତିମହାପାତ୍ର, ବିଶ୍ବାବସୁ ଓ ବିଶ୍ବକର୍ମାମାନେ ଜଣକ ପରେ ଜଣେ ଦାରୁ ବୃକ୍ଷକୁ ଆଘାତ କରିଥାନ୍ତି । ଏହି ସମୟରେ ମହା । ନୃସିଂହ ମନ୍ତ୍ର ଓ ବିଷ୍ଣୁ ସୂକ୍ତ ବୋଲାଯାଏ । ତା'ପରେ ବିଶ୍ବକର୍ମାମାନେ ବୃକ୍ଷକୁ ମୂଳରୁ କାଟିବା ଆରମ୍ଭ କରନ୍ତି ।
ବୃକ୍ଷଟି ଭୂତଳଶାୟୀ ହେଲା ପରେ ମାପ ଅନୁସାରେ ଏହାକୁ ଖଣ୍ଡ ଖଣ୍ଡ କଟାଯାଏ । କେବଳ ମଞ୍ଜ ଅଂଶଟିକୁ ରଖାଯାଏ । ଏହି ଅଂଶଟିକୁ ‘ଚଉପାଟ’ କୁହାଯାଏ । ଚଉପାଟ ହେବା ପରେ ବୃକ୍ଷର ବଳକା ତାଳପତ୍ର, ଛାଲି ଇତ୍ୟାଦି ଗତକରି ପୋତାଯାଏ । ଏହା ପରେ ଦାରୁକୁ ଶଗଡ଼ିରେ ପୁରୀକୁ ଅଣାଯାଏ । ଏହି ନବନିର୍ମିତ ଶଗଡ଼ିର ଦୈର୍ଘ୍ୟ ଆଠ ହାତ ଓ ଏହାର ଚାରିଟି ନିଦା ଚକ ଥାଏ । ଚକ, ଅଖ ଓ ଦଣ୍ଡା ସାଧାରଣତଃ ବର, ତେନ୍ତୁଳି ଓ କେନ୍ଦୁ କାଠରେ ତିଆରି ହୋଇଥାଏ । ଶଗଡ଼ିକୁ ବ୍ରାହ୍ମଣ ପ୍ରତିଷ୍ଠା କରନ୍ତି । ଦାରୁକୁ ଶଗଡ଼ିରେ ରଖାଯାଇ ପାଟବସ୍ତ୍ରଦ୍ୱାରା ଘୋଡ଼ାଇ ରଖାଯାଏ ଓ ଦଉଡ଼ିରେ ବନ୍ଧାଯାଏ । ଶଗଡ଼ିକୁ ମୋଟା କତା ଦଉଡ଼ିରେ ବନ୍ଧାଯାଇ ଟାଣି ଟାଣି ପୁରୀକୁ ଅଣାଯାଏ । ବାଟରେ ଜନସାଧାରଣ ତଥା ଭକ୍ତମାନେ ଟାଣିଟାଣି ନିଅନ୍ତି । ବାଟରେ ବିଭିନ୍ନ ଗ୍ରାମବାସୀ ଦାରୁ ଶଗଡ଼ିକୁ ଭକ୍ତି ଭାବରେ ପୂଜାର୍ଚ୍ଚନା କରନ୍ତି । ଘଣ୍ଟ, ମର୍ଦଳ ଓ ସଂକୀର୍ତ୍ତନ କରି ସମ୍ବର୍ଦ୍ଧନା ଜଣାନ୍ତି ।

ଶ୍ରୀଜଗନ୍ନାଥ ୨୭୯