ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶ୍ରୀମନ୍ଦିର ଗଠିତ ବୋଲି କେହି କେହି କହିଛନ୍ତି । ସ୍ୱାମୀ ବିବେକାନନ୍ଦ ମଧ୍ୟ ଏହା କହିଛନ୍ତି । ତେବେ ଏହାର ପ୍ରମାଣ ଅଦ୍ୟାବଧି ମିଳିନାହିଁ ।

୩) ବୌଦ୍ଧ-ବଜ୍ରଯାନ 'ଜ୍ଞାନସିଦ୍ଧି' ଗ୍ରନ୍ଥର ପ୍ରଣେତା ହେଉଛନ୍ତି ଖ୍ରୀଷ୍ଟୀୟ ସପ୍ତମ-ଅଷ୍ଟମ ଶତାବ୍ଦୀର ସମ୍ବଳକ (ଏବର ସମ୍ବଲପୁର)ର ରାଜା ଇନ୍ଦ୍ରଭୂତି । ଏହି ଗ୍ରନ୍ଥର ମଙ୍ଗଳାଚରଣରେ ଥିବା ଶ୍ଳୋକ "ପ୍ରଣିପତ୍ୟ ଜଗନ୍ନାଥଂ..." ପାଠକରି କେହି କେହି ମତ ଦିଅନ୍ତି ଯେ, ଏଥିରେ ଥିବା 'ଜଗନ୍ନାଥ' ହେଉଛନ୍ତି ପୁରୀର ଜଗନ୍ନାଥ; ଯେ କି ବୁଦ୍ଧ । ପ୍ରଥମକରି 'ଜଗନ୍ନାଥ' ଶବ୍ଦ ଏଥିରେ ବ୍ୟବହୃତ ହୋଇଅଛି । ଏଥି ପୂର୍ବରୁ ଅନ୍ୟ କୌଣସି ଗ୍ରନ୍ଥରେ 'ଜଗନ୍ନାଥ' ଶବ୍ଦ ବ୍ୟବହୃତ ହୋଇନାହିଁ । ସଂସ୍କୃତ ଭାଷାର ରାମାୟଣ, ମହାଭାରତ, ଭାଗବତ, ବିଷ୍ଣୁପୁରାଣରେ 'ଜଗନ୍ନାଥ' ଶବ୍ଦ ବ୍ୟବହୃତ ହୋଇଥିଲେ ହେଁ ତାହା ବିଷ୍ଣୁ/କୃଷ୍ଣଙ୍କ ବିଶେଷଣ ଭାବରେ ବ୍ୟବହାର କରାଯାଇଛି । ପ୍ରଶ୍ନ ହେଲା- 'ଜ୍ଞାନସିଦ୍ଧି'ରେ 'ଜଗନ୍ନାଥ' ଶବ୍ଦକୁ ଏକ ନାମବାଚକ ବିଶେଷ୍ୟ ରୂପରେ ଗ୍ରହଣ କରାଯାଇପାରେ କି ? 'ଜ୍ଞାନସିଦ୍ଧି' ବଜ୍ରଯାନର ଏକ ଗ୍ରନ୍ଥ । ବଜ୍ରଯାନର ଆରାଧ୍ୟ ଦେବତା ହେଉଛନ୍ତି ବଜ୍ରସତ୍ତ୍ୱ ବା ବଜ୍ରସତ୍ତ୍ୱ-ବୁଦ୍ଧ । ସେ ବଜ୍ରହସ୍ତ ହୋଇଥିବାରୁ ତାଙ୍କୁ ବଜ୍ରୀ ମଧ୍ୟ କୁହାଯାଏ । ରାଜା ଇନ୍ଦ୍ରଭୂତି ଅନେକ ଅର୍ଥରେ ଜଗନ୍ନାଥ ଶବ୍ଦକୁ ବ୍ୟବହାର କରିଛନ୍ତି । 'ଜ୍ଞାନସିଦ୍ଧି'ରେ ଅନ୍ୟତ୍ର କୁହାଯାଇଛି-

ଦେଶିତଂ ଲୋକନାଥୈସ୍ତୁ ଜ୍ଞାନ ମତ୍ୟଦ୍ଭୁତଂ ପରମ୍‍
ସିଦ୍ଧିଦଂ ଜନ୍ମନୀହୈବ ସର୍ବବୁଦ୍ଧମୟଂ ଶିବମ୍‍ ।

ଏଠାରେ ଲୋକନାଥ ଶବ୍ଦକୁ ଜଗନ୍ନାଥ ଅର୍ଥରେ ବ୍ୟବହାର କରାଯାଇଛି । 'ଜ୍ଞାନସିଦ୍ଧି'ର 'ଜଗନ୍ନାଥ'ଙ୍କୁ ଯଦି ପୁରୀର ଜଗନ୍ନାଥ ଅର୍ଥରେ ନେବାକୁ ହେବ, ତେବେ ଏଠାରେ ଥିବା 'ଲୋକନାଥ'ଙ୍କୁ ପୁରୀର ଲୋକନାଥ ଅର୍ଥରେ ନେବାକୁ ହେବ । 'ଜ୍ଞାନସିଦ୍ଧି'ରେ ଅନେକଥର 'ଭୁବନେଶ୍ୱର' ଶବ୍ଦ ବ୍ୟବହାର କରାଯାଇଛି । ଏହି 'ଭୁବନେଶ୍ୱର' ଶବ୍ଦକୁ ଭୁବନେଶ୍ୱରର ଲିଙ୍ଗରାଜ ମହାପ୍ରଭୁ ଅର୍ଥରେ ନେଇ ହେବ କି ? 'ଜ୍ଞାନସିଦ୍ଧି'ରେ ଜଗନ୍ନାଥ ଓ ଲୋକନାଥ ଏକାର୍ଥବାଚକ ଶବ୍ଦ । ଉଭୟ ଶବ୍ଦର ଅର୍ଥ ବୁଦ୍ଧ । 'ଜ୍ଞାନସିଦ୍ଧି'ର 'ଜଗନ୍ନାଥ'ଙ୍କୁ ଜଗତ୍‍ ସ୍ୱାମୀ, ଜଗତ୍‍ ପତି, ଜଗତ୍‍ ଗୁରୁ ଅର୍ଥରେ ନେବାକୁ ପଡ଼ିବ । ତାନ୍ତ୍ରିକ ପରମ୍ପରାରେ ଗୁରୁ, ଦେବତା ଓ ଶିଷ୍ୟ ଅଭିନ୍ନ (୨୫)

'ଜ୍ଞାନସିଦ୍ଧି'ରେ 'ଜଗନ୍ନାଥ' ଶବ୍ଦ କେବଳ ବୁଦ୍ଧ ନୁହେଁ, ଜୈନଙ୍କୁ ମଧ୍ୟ ବୁଝାଏ । ପଣ୍ଡିତ ନୀଳକଣ୍ଠ ଦାସ କହିଛନ୍ତି :

In about the early 8th century, Indravuti a king of Uddian made Jagannath represent both Jain and Buddha, which he says mean the same thing. I bow to Jagannath, who is worshipped by all great Jains and who also represents all Buddha and in perfection is like the all pervading sky.


୨୫. ପ୍ରଣିପତ୍ୟ ଜଗନ୍ନାଥଂ- ପ୍ରଫେସର ପ୍ରହ୍ଲାଦ ପ୍ରଧାନ (ଶ୍ରୀଜଗନ୍ନାଥ - ଓ.ସା.ଏ, ପ୍ରଥମ ସଂସ୍କରଣ, ୧୯୮୨)

ଶ୍ରୀଜଗନ୍ନାଥ ୩୫