ଏହି ପୃଷ୍ଠାଟି ବୈଧ ହୋଇସାରିଛି


୨୯. ସୁନା ଗୋସ୍ୱାମୀ

ଏ ଅନେକ ସେବକଙ୍କ ଦୀକ୍ଷା ଗୁରୁ । ଏହାଙ୍କର ଦର୍ପଣୀ ବା ଦର୍ପନାରାୟଣ ମଠ ଓ ସୁନାଗୋସାଇଁ ମଠ ନାମରେ ଦୁଇଟି ମଠ ରହିଛି ।

ବନକ ଲାଗି ସମୟରେ ରତ୍ନ ସିଂହାସନ ତଳ ମାର୍ଜନ, ସ୍ନାନପୂର୍ଣ୍ଣିମା ଦିନ ମୁଦିରଥଙ୍କ ସହିତ ସୁନା କୂଅରୁ ୧୦୮ ଗରା ଜଳ ଆଣି ଅଧିବାସ କରିବା, ଅକ୍ଷୟତୃତୀୟାଠାରୁ ସ୍ନାନପୂର୍ଣ୍ଣିମା ଯାଏ ନିଜ ମଠରୁ ଅଳକା ଯୋଗାଇବା, ଚନ୍ଦନ ଲାଗି ବେଳେ ଆଲଟ କରିବା, ପହଣ୍ଡିରେ ଡୋରି ଧରିବା, ବଡ଼ସିଂହାର ବେଶପାଇଁ ମହାପ୍ରଭୁଙ୍କ ବାଡ଼କୁ ଶ୍ରୀପୟର ମାଳ ଯୋଗାଇବା, ଅଣସର ବେଳେ ମଇଲମ ଭୋଗ ଓ ଶୁକ୍ଳ ଫୁଲ ଗଭାମାଳ ଯୋଗାଇବା, ବାମନ ଜନ୍ମରେ କୃଶ ବିଡ଼ାଏ ଦେବା, ମକରସଂକ୍ରାନ୍ତି ଦିନ ଅଁଳା ବେଢ଼ା ରଙ୍ଗ ହେବାପାଇଁ ଗେରୁ ଯୋଗାଇବା, ଦିଅ ବିଜେ ପୂର୍ବରୁ ରତ୍ନସିଂହାସନରେ ଚୁଆ, ଚନ୍ଦନ, କର୍ପୂର ଆଦି ଲାଗି କରିବା, ଗୁଣ୍ଡିଚା ଘରକୁ ଠାକୁର ବିଜେ ପୂର୍ବରୁ ସିଂହାସନ ଧୋଇ ଚୁଆ ଚନ୍ଦନ ବୋଳିବା କାର୍ଯ୍ୟ କରନ୍ତି ।

ସେବା ବଂଶାନୁକ୍ରମିକ ବ୍ରତ ପରେ ରାଜାଙ୍କଠାରୁ ଶାଢି ପାଇଲେ ସେବା କରନ୍ତି ।

୩୦. ମୁଦୁଲି

ପାତ୍ରସଜ, ପୂଜା ଉପକରଣ ଦାୟିତ୍ବରେ ଥିବା ସେବକ । ଆବଶ୍ୟକତା ଅନୁଯାୟୀ ପୂଜା ଉପକରଣ ସଂପୃକ୍ତ ସେବକଙ୍କୁ ଯୋଗାନ୍ତି ଓ ଫେରାଇ ଆଣନ୍ତି । ସକାଳେ ଭିତରଚ୍ଛ ଓ ଅନ୍ୟାନ୍ୟ ସଂପୃକ୍ତ ସେବକଙ୍କ ଉପସ୍ଥିତିରେ ଦକ୍ଷିଣ, ଜୟ ବିଜୟ, କଳାହାଟ ଆଦି ଦ୍ବାରର ମୁଦି ଖୋଲି ଭିତର କାଠରୁ ଜୟ ବିଜୟ ଦ୍ୱାର ପର୍ଯ୍ୟନ୍ତ ଚନ୍ଦନ ଛେରା ପକାନ୍ତି । ପହଡ଼ ପରେ ତିନି ଦ୍ବାର ବନ୍ଦ କରି ଦିଅନ୍ତି । ମୁଦା ଛାପ ଦିଅନ୍ତି ଓ ତଳିଚ୍ଛ ମୁଦ ଦିଅନ୍ତି । ଗୁଣ୍ଡିଚାଘରେ ମଧ୍ୟ ଅନୁରୂପ ସେବା କରନ୍ତି । ଚନ୍ଦନ ଯାତ୍ରା ସମୟରେ ଅଳଙ୍କାର ପେଡ଼ି ନେଇ ଚାପକୁ ଯାଆନ୍ତି। ଛେରାପହଁରା ବେଳେ ଛେରାପହଁରା ସାମଗ୍ରୀ ଧରି ଭଣ୍ଡାରମେକାପ ସହ ଉପସ୍ଥିତ ଥାନ୍ତି । ଦର୍ଶନ ବେଳେ ଯାତ୍ରୀଙ୍କ ମୁଣ୍ଡରେ ଯାଉଁଳି ବେତ ଛୁଅନ୍ତି ।

୩୧. ଆଳତି ବଳିତା ସେବା

ଏ ସେବକ ପ୍ରତିଦିନ ଠାକୁରମାନଙ୍କ ବିଭିନ୍ନ ଆଳତି ପାଇଁ ଆବଶ୍ୟକ ସଳିତା । ବଳିତା ସଂପୃକ୍ତ ସେବକମାନଙ୍କୁ ଯୋଗାନ୍ତି । ଏହା ଶାଢ଼ିବନ୍ଧା ସେବା ନୁହେଁ କିମ୍ବା ବଂଶାନୁକ୍ରମିକ ନୁହେଁ । ଏ ସେବା ସୁଆରବଡୁ ସେବାର ଅନ୍ତର୍ଭୁକ୍ତ ।

୩୨. ପୁରାଣ ପଣ୍ଡା

ସଂଧ୍ୟାଧୂପ ପରେ (ପୂର୍ବ ତିନି ଧୂପରେ) ଟେରା ପଡ଼ିବା ପରଠାରୁ ଫିଟିବା ଯାଏଁ କଳାହାଟ ଦ୍ବାର ନଣ୍ଡାବରେ ବଇରଖି ପୁରାଣ, ସଂସ୍କୃତ ଭାଗବତ ପଢ଼ନ୍ତି । ଗୁଣ୍ଡିଚା ଘରେ ମଧ୍ୟ ଅନୁରୂପ ସେବା କରନ୍ତି । ଅଣସରରେ ଓ ରଥ ଉପରେ

ଏହି ସେବା ବନ୍ଦ ରହେ । । ଏ ସେବା ଅଶାଢ଼ିବନ୍ଧା । ଏମାନଙ୍କର ପତ୍ରିବଡ଼ ଓ ହଡ଼ପ ନାୟକ ସେବା ମଧ୍ୟ ଅଛି ।

୭୨ ଶ୍ରୀଜଗନ୍ନାଥ