ପୃଷ୍ଠା:Typical selections from Oriya literature.pdf/୧୦୧

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୬୫
ଓଡ଼ିଆ ସାହିତ୍ୟ-ପରିଚୟ

କଟୀରେ କଟୀମେଖଳା ଖଞ୍ଜି ଯତ୍ନ‌କରି ।
ବସିଲାକ ଓଡ଼ିଆଣି ଅଣ୍ଟାକୁ ଆବୋରି ।
ଗଜମୋତି ହୀରା ଯେ ଲମ୍ବଇ ପାଶେ ତାର ।
ଦିନମଣି ମଳିନ ଦିଶଇ ଶୋଭାକର ।
ପୟରେ ନୂପୁର ଦେଲେ ରତ୍ନମୟ କମ ।
ଚରଣ ଚଳନ୍ତେ ଯେ ବାଜଇ ରୁଣଝୁଣ ।
ପାଦଅଙ୍ଗୁଷ୍ଠରେ ଯେ ମୁଦିକା ଝଟକନ୍ତି ।
ବିବିଧ ରତ୍ନମଣି ଯେ ତ‌ହିଁ ବିରାଜନ୍ତି ।
ମାତାଗଣ ମଧ୍ୟରେ ଯେ ଉଭା ଚନ୍ଦ୍ରମୁଖୀ ।
ସୁରଭୀ ଅଗ୍ରତେ କି ନନ୍ଦିନୀ ଶୋଭା ଲେଖି ।
ଶିରରେ ସିନ୍ଦୂରଟୋପି ତିଥି ମୋତିମାଳି ।
ତ୍ରିଶାଖା ହୋଇଣ ସେ ଲ‌ଲାଟେ ଅଛି ଲୁଳି ।
ତାମ୍ବୁଳ ଭୁଞ୍ଜାଇ ଦେଇ ରଞ୍ଜିଲେ କଜ୍ଜ୍ୱଳ ।
ସ‌ହଜେ ଲୋଚନ ତାର ନୀଳଉତ୍‌ପଳ ।
କଜ୍ଜ୍ୱଳ ରଞ୍ଜିବାରେ ସେ ଦିଶିଲା ସୁନ୍ଦର ।
ପଦ୍ମ‌ଫୁଲ ଆବୋରି କି ଅଛଇ ଭ୍ରମର ।
ମଦନ କାର୍ମୁକ ପୁଣ ଅଛଇ ଆବୋରି ।
ଦେଖିଣ ସେ ନାରୀମାନେ ମନରେ ବିଚାରି ।
ସରୁକଜ୍ଜ୍ୱଳ ବ୍ୟାପିଲୀ ଦେଖ ଆଗୋ ଆସି ।
ସ୍ୱାମିର ସୌଭାଗୀ ଏ ହୋଇବ ଶଶୀହାସୀ ।
ଏତେ ବୋଲି କପାଳରେ ଚନ୍ଦନ ଲେଖନ୍ତି ।
ସିନ୍ଦୂର-ବିନ୍ଦୁ ଯେ ତଥି ମଧ୍ୟରେ ଦିଅନ୍ତି ।
କି ଅବା ଅରୁଣ ସେ ଚନ୍ଦ୍ରମା ମଧ୍ୟେ ରହି ।
ତେସନ ପଟାନ୍ତର ଦିଶଇ ଚନ୍ଦ୍ରମୁହୀଁ ।
ଅଳତା ରଙ୍ଗ ଦେଇଣ ଚରଣ ରଞ୍ଜିଲେ ।
ଶ୍ରୀଅଙ୍ଗରେ ଚତୁଃସମ ମିଶାଇ ଘଷିଲେ ।
ଅଳକା ମଣ୍ତିଲେ ନେଇ କେରି କେରି କରି ।
ବିକଚ କମଳଦଳେ ଭ୍ରମର ଆବୋରି ।
ବିଚିତ୍ର ପାଟେକ ତ‌ହିଁ ଆବରଣ କଲେ ।
ଶ୍ରୀଫଳ ଗୋଟିଏ ଆଣି ତ‌ହିଁ ହସ୍ତେ ଦେଲେ ।
କୋଳ କରିଣ ଆସି ସେ କୁଶଧ୍ୱଜ ନେଲା ।
ସଭାର ମଧ୍ୟରେ ସେ ଜନ‌କ କୋଳ କଲା ।