ପୃଷ୍ଠା:Typical selections from Oriya literature.pdf/୧୦୮

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୭୨
ଓଡ଼ିଆ ସାହିତ୍ୟ-ପରିଚୟ

ମୁଁ କିପାଁ ଏଥେ ରହିବି ତୁମ୍ଭେ ଛାଡ଼ି ଗଲେ ।
ନିଶ୍ଚେ ପ୍ରାଣ ହରାଇବି ଜାଣିଥାଅ ଭଲେ ।
ନିଶ୍ଚେ ସ୍ତିତୀ-ହତ୍ୟା ଯେ ଘେନିବ ରଘୁରାଜ ।
ତୁମ୍ଭେ ସଙ୍ଗେ ବନ‌କୁ ନ ନେବ ଯେବେ ଆଜ ।
ସୀତାର ଏପରି ନିରାଧାର ବାଣୀ ଶୁଣି ।
କରେ କର ଦେଇ ଆଶ୍ୱାସନ୍ତି ରଘୁମଣି ।
ନୁହସି ବିମୁଖ ଗୋ ମୋହର ପ୍ରାଣସ‌ହୀ ।
ତୋତେକି ଉପେକ୍ଷି ସଖି ଯାଇପାରେ ମୁହିଁ ।
ଜନ‌କ ମହ‌ଋଷି ଯେ ଦେଲେ ସତ୍ୟ ମନେ ।
ନିଶ୍ଚୟ ପ୍ରିୟା ଗୋ ତୋତେ ନେବି ଘୋର ବନେ ।
ନିଜ ପତି ବଚନେ ହରଷ ଶୁଭ୍ରକେଶୀ ।
ତିନି ଜଣେ ଏକମନ ହୋଇ ତ‌ହିଁ ବସି ।
କୌଶଲ୍ୟାପୁରେ ପ୍ରବେଶ ହେଲେ ପୁଣି ଆସି ।
ନମସ୍କାର କରି ଯେ କ‌ହ‌ନ୍ତି ରଘୁବତ୍ସି ।
ଯିବି ମାଗୋ ବନେ ସୀତା ଲକ୍ଷ୍ମଣକୁ ଘେନି ।
ଶୁଦ୍ଧ ଚିତ୍ତରେ ଗୋ ଆଜ୍ଞା ଦେବାକ ଜନନୀ ।
ଶୋକେ କଉଶଲ୍ୟା ସୀତାଙ୍କୁ ଯେ କୋଳେ ଧରି ।
ଶରୀରକୁ ଆଉଁଷିଣ ବଚନେ ତିଆରି ।
ତୁ ଦେବୀ ଜାନ‌କୀ ଗୋ ଶ୍ରୀରାମ ସଙ୍ଗେ ଯିବୁ ।
ଅପୂର୍ବ ପଦାର୍ଥ ଗୋ ଦେଖିଲେ ନ ମାଗିବୁ ।
ସ୍ୱାମିକି ଛାଡ଼ି ନ ଯିବୁ ଆନସ୍ଥାନେ କାହିଁ ।
ଭର୍ତ୍ତା ସେବା କରିବୁ ଗୋ ବିନୟୀ ଯେ ହୋଇ ।
କନ୍ଦମୂଳ ଯେଉଁ ଦିନ ଯାହା ଗୋ ପାଇବୁ ।
ଆଗ ଦିନ‌କୁ ଥୋକାଏ ତ‌ହୁଁ ଥୋଇ ଥିବୁ ।
ନ ପାଇଲା ଦିନରେ ସେ ରଖିବ ଯେ ପ୍ରାଣ ।
ଏକଥା ସୀତା ଗୋ ତୁହି ତ‌ଥ୍ୟ କରି ଜାଣ ।
ସ୍ୱାମୀକି ବିମୁଖ ନୋହିବୁଟି ଆଗେ ମାଏ ।
ଯେମନ୍ତେ ତୁମ୍ଭର ଭଲ ରହିବ ଗୋ କାୟେ ।
ସେ କଥାକୁ ଜାଣିଣ ତୁ ଥିବୁ ସେବା କରି ।
ସେ ତୋହର ପ୍ରାଣର ଅଟଇ ଅଧିକାରୀ ।
ତୁ ତାହାର ଜୀବନ ଯେ ଅଟୁ ଚନ୍ଦ୍ରମୁଖୀ ।
ଯେମନ୍ତେ ଶ୍ରୀରାମ ବନେ ନୁହଇଟି ଦୁଃଖୀ ।
ସେ କଥା ବିଚାରି ଥିବୁ ଆଗୋ ଚନ୍ଦ୍ରମୁହିଁ ।
ତୁମ୍ଭଠାରୁ ରାମର ଯେ ଆନପ୍ରିୟା ନାହିଁ ।