ଦେବ ମାନବ ରାକ୍ଷସ ଯକ୍ଷ ବିଦ୍ୟାଧର ।
ପିଶାଚ ଉରଗ ଆଦି ଯେତେକ କିନ୍ନର ।
ଏହାଙ୍କର ସଙ୍ଗରେ ସମର କଲେ ଜିଣୁ ।
ମନୁଷ୍ୟ ରୂପେଣ ରାମ ଜନମିଲେ ତେଣୁ ।
ରାଘବଙ୍କ ସଙ୍ଗତେ ନୁହସି ଖଡ଼ିଆଳି ।
ଦଶଦିଗେ ହୋଇବ ତୋ ଦଶମୁଣ୍ତ ବଳୀ ।
ଆଉ କ୍ଷଣେମାତ୍ର ଏଥେ ଯେବେ ରହିଥିବୁ ।
ଏହିକ୍ଷଣି ତୋହର ପ୍ରାଣକୁ ହରାଇବୁ ।
କୋପେଣ ରାବଣ ଯେ କହିଲା କଟୁବାଣୀ ।
ଏ ମୋହର ମହିମା ନାହିଁ କି ତୁହି ଶୁଣି ।
କପିଳାସ କନ୍ଦର ତୋଳିଲି ବାମକରେ ।
ତ୍ରିଦଶ ଦେବତାଙ୍କୁ ମୁଁ ଜିଣିଲି ସମରେ ।
ପାତାଳେ ନାଗଲୋକଙ୍କୁ ଜିଣିଲଇଁ ମୁହିଁ ।
ତିନିପୁରେ କେହି ମୋତେ ସରିସମ ନାହିଁ ।
ଶ୍ରୀରାମ ଉପରବଂଶେ ଅନରଣ୍ୟ ରାୟେ ।
ସେ ମୋର ସଙ୍ଗତେ ରଣ କଲାକ ସମୟେ ।
ଏକ ଚାପୋଡ଼କେ ତାର ପ୍ରାଣ କ୍ଷୟ କଲି ।
ପୃଥ୍ୱୀର ସମ୍ପଦ ଲଙ୍କାଗଡ଼ରେ ଥୋଇଲି ।
ଏ ରାମ ନିର୍ବଳ ଯେଣୁ ବନକୁ ଅଇଲା ।
ବଳୀଆରପଣେ ଭ୍ରତ ନୃପତି ହୋଇଲା ।
ମନ୍ତ୍ରୀ ଅମାତ୍ୟେ ଯେ ପୁଣ ନ ପୁଚ୍ଛିଲେ ଏହା ।
ଅଧଇର୍ଯ୍ୟପଣ ହୋଇ ବୁଲଇ ତୋ ନାହା ।
କେବଣହିଁ ଦେଶରେତ ଅଛ ଏହା ଶୁଣି ।
ଜ୍ୟେଷ୍ଠ ଥାଉଁ କନିଷ୍ଠ ହୋଇଛି ନୃପମଣି ।
ପିତା ମାତା ବିଚାରି ବାହାର କରି ଦେଲେ ।
ଦେଶ କଟକ ସୀମାରେ ତାକୁ ନ ଥୋଇଲେ ।
ପଶୁଜନଙ୍କ ପରାୟେ ବନରେ ବୁଲଇ ।
ତୋର ପ୍ରାୟେ ଯୁବତୀକି ଏ କଷ୍ଟ ଦିଅଇ ।
ମୁହିଁ ଯେ ବୀରମର୍ଦ୍ଦନ ଲଙ୍କା ନୃପନାଥ ।
ଆସ ଆସ ସୁନ୍ଦରି ରେ ଧର ମୋର ହାତ ।
ତୋର କର ଛୁଇଁଲେ ପାଇବି ବହୁସୁଖ ।
ଶୁଣିଣ ଜାନକୀ ଯେ ହୋଇଲେ କୋପମୁଖ ।
ବୋଲନ୍ତି ଚାଣ୍ତାଳ ରେ ତୁ କିପାଁଇ ଅଇଲୁ ।
ପୁରୁଷ ନାହିଁ ମୋହର ଘରେ ତୁ ପଶିଲୁ ।
ପୃଷ୍ଠା:Typical selections from Oriya literature.pdf/୧୨୭
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୯୧
ଓଡ଼ିଆ ସାହିତ୍ୟ-ପରିଚୟ