ଶ୍ରୀରାମ ବୋଲନ୍ତି ମୁନିମାନେ କାହିଁ ଛନ୍ତି ।
ଶବରଣୀ କହେ ତୁମ୍ଭେ ଶୁଣ ରଘୁପତି ।
ତପର ବଳରେ ସେହୁ ସ୍ୱର୍ଗପୁର ଗଲେ ।
ଯିବା ବେଳରେ ସେ ମୋତେ ଏମନ୍ତ ବୋଇଲେ ।
(3)
ଶ୍ରୀରାମଙ୍କର କ୍ଷୀର-ପାନ
ତେଣୁ ପ୍ରଭୁ ରଘୁନାଥ ବୁଲନ୍ତି ବନସ୍ତେ ।
ବନଘୋର ଲତା ବୃକ୍ଷ ଦୁର୍ଗମ ପର୍ବତେ ।
ପମ୍ପାସରୋବର କୂଳେ ଯାଇଣ ମିଳନ୍ତି ।
ପଶ୍ଚିମ ଦେଶକୁ ରାମ ପଥ ବହିଯାନ୍ତି ।
ଶ୍ରୀରାମ ବୋଇଲେ ବାବୁ ଶୁଣ ସଉମିତ୍ରି ।
ଭୋକେ ଶରୀର ବିଭ୍ରମ ବିଚଳିତ ମତି ।
ଅନ୍ନଖାଇଲେ ଯେ ସ୍ଥିର ହୋଏ ସିନା କାୟେ ।
ନୋହିଲେ ଏ ଜୀବନକୁ ନାହିଁ ନା ଉପାୟେ ।
ସୀତା ହଜିଲା ଦିନୁ ଆହାର ମୋର ନାହିଁ ।
ଶବରୀ ଦେଲାକ ଆମ୍ବ ବେଳେ ଅଛି ଖାଇ ।
ଶ୍ରୀରାମ ବୋଲନ୍ତି ଆରେ ଶୁଣ ସଉମିତ୍ରି ।
ଅନ୍ନମୟ ପିଣ୍ତକୁ ଯେ ଧରଇ ଧରିତ୍ରୀ ।
ପୂର୍ବରୁ ଯଦ୍ୟପି ଆମ୍ଭେ ଅନ୍ନ ଦେଇଥାନ୍ତୁ ।
ତେବେ ସିନା ଭାଇ ଆରେ ଅନ୍ନ ଏବେ ପାନ୍ତୁ ।
ଯେ ଯାହାକୁ ପ୍ରାପତ ଯେ ସେହି ତାହା ଖାଇ ।
ପୂର୍ବେ ଯାହା ଦେଇଥାଇ ତାହା ଏବେ ପାଇ ।
ଆମ୍ଭେ ଭୋକିଲେ ଯେ କାହୁ ପାଇବାକ ଭାତ ।
ଏତେ ବୋଲି ବିସ୍ମୟ ହୋଇଲେ ରଘୁନାଥ ।
ଥୋକାଏକ ଦୂରେ ଯାଇଁ ଗୋଷ୍ଠେକ ଯେ ଦେଖି ।
ଶ୍ରୀରାମର ନିର୍ମଳ ହୋଇଲା ବେନିଆଖି ।
ଲକ୍ଷ୍ମଣକୁ ବୋଇଲେ ଯେ ଆସ ଆରେ ଭାଇ ।
ଗୋଗୋଷ୍ଠକୁ ଯିବା ଚାଲ ଦୁଧ ମାଗି ଖାଇ ।
ଏତେ ବିଚାରିଣ ଯେ ଗଲେକ ଭାଇ ବେନି ।
ମାଗି ନ ପାରନ୍ତି କ୍ଷୀର ଲଜ୍ଜାଭାବ ଘେନି ।
ଲକ୍ଷ୍ମଣ ବୋଲନ୍ତି ଆମ୍ଭେ ଗୋପାଳଙ୍କୁ ମାରି ।
ସବୁ ଗୋରୁ ଆମ୍ଭେ ନେବା ଆବରଣ କରି ।