ପୃଷ୍ଠା:Typical selections from Oriya literature.pdf/୧୭୮

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୪୨
ଓଡ଼ିଆ ସାହିତ୍ୟ-ପରିଚୟ

ଏଡ଼େ ନିର୍ଦୟ ହୋଇଲା କଉଶଲ୍ୟାସୁତ ।
ଏହା ପରା ସ୍ତିରୀକି ନ କଲା ସନମତ ।
ଋକ୍ଷ କପି କାନ୍ଦନ୍ତି ଯେ କଲୁଁ ଏଡ଼େ ରଣ ।
ଏତେ ଦୁଃଖେ ପଡ଼ିବାର ହେଲା ଅକାରଣ ।
ଭୋ ରଘୁନାଥ ଧଇଲୁ କିପାଁ ପାପବୁଦ୍ଧି ।
ହୁତାଶନେ ଧ୍ୱଂସିଲୁ ଯୁବତୀ ରତ୍ନନିଧି ।
ଅଷ୍ଟସେନା ଯେ ପଞ୍ଚିଶ ଯୂଥପତି କାନ୍ଦି ।
ବସ୍ତ୍ରହିଁ ନ ସମ୍ଭାଳନ୍ତି କେଶ‌ହିଁ ନ ବାନ୍ଧି ।
ସୁଗ୍ରୀବ ବିଭୀଷଣ ଅଙ୍ଗଦ ହ‌ନୁମନ୍ତ ।
ନଳ ନୀଳ ସୁଷେଣ ତାରାଖ୍ୟ ଜାମ୍ବବନ୍ତ ।
ଓପ୍ରୋଧେ ଶ୍ରୀରାମଙ୍କୁ ଯେ ନ ବୋଲନ୍ତି କିଛି ।
ସବୁଙ୍କରି ଦେହ ଯେ ଆଉଟି ହେଉଅଛି ।
ଖଳ ଖଳ ନୟନରୁ ବ‌ହେ ଅଶ୍ରୁଜଳ ।
ବୁକୁରେ କୋଡ଼ି ହୁଅଇ ସୁମିତ୍ରାର ବାଳ ।
ଶ୍ରୀରାମହିଁ ମନରୁ ମୁରୁଛି ନୁଆରିଲେ ।
ସୀତା ସୀତା ବୋଲି ଆପେ କାନ୍ଦିଣ ଉଠିଲେ ।
ହା ହା ଜାନ‌କୀ ଗୋ ତୁହି ଜନ‌କଦୁହିତା ।
କଥାର ଛଟକେ ହରାଇଲି ଆଗୋ ସୀତା ।
କି ପାପବୁଦ୍ଧି ଯେ ପ୍ରସରିଲା ମୋର ଚିତ୍ତେ ।
କେବଣ ମୂର୍ଖପଣେ କ‌ହିଲି ଏହା ତୋତେ ।
ଏ ଜନ୍ମେ ସ‌ଖି ଗୋ ତୋତେ ଦେଖିବି ଯେ ନାହିଁ ।
ତୋହର ପରା ସୁନ୍ଦରୀ ପାଇବଇଁ କାହିଁ ।
କାହାର ବୋଲେ ମୁଁ ଏଡ଼େବଡ଼ କୃତ୍ୟ କଲି ।
ମୋ ପ୍ରାଣବଲ୍ଲଭୀକି ଅଖଡ଼େ ହରାଇଲି ।
ଏସନେକ ବୋଲିଣ କାନ୍ଦନ୍ତି ରାମରାଣ ।
ରଘୁନାଥ କାନ୍ଦନ୍ତେ ଭାଳନ୍ତି ସୁରଗଣ ।
କେବଣ ପ୍ରକାରେ ବୋଧ ହେବେ ରାମରାହୁ ।
କେବଣମତେ ଜାନ‌କୀଦେବୀ-ପ୍ରାଣ ରହୁ ।
ବ୍ରହ୍ମା ଆଦି ଦେବତାଏ ଏସନ ବିଚାରି ।
ରୁଦ୍ର ବୋଲନ୍ତି ଶୁଣ ଗୋ ଦେବି ଶାକମ୍ଭରି ।
ଜଳନ୍ତା ଅଗ୍ନିରେ ଯେ ପଶିଲେ ଦେବୀ ସୀତା ।
ଚଉଦଭୁବନ-ଲୋକେ ପାଉଛନ୍ତି ଚିନ୍ତା ।
ଶ୍ରୀରାମଙ୍କର ରୋଦନ କ‌ହିଲେ ନ ସରି ।
ଅଗ୍ନିକି ତେରଛି ଯେ ଚାହାଁନ୍ତି ରାବଣାରି ।