ଅଗ୍ନିର ଭିତରୁ ସୀତା ହୋଇଲେ ବାହାର ।
ଶୁଦ୍ଧସୁବର୍ଣ୍ଣ ପ୍ରାୟେକ ରୂପ ଯେ ତାହାର ।
ନିଷ୍କଳଙ୍କଚନ୍ଦ୍ରମା ପ୍ରାୟେକ ମୁଖ ଦିଶି ।
ଶ୍ରୀରାମ ଯେ କୋଳ କରି ଘେନିଗଲେ ଆସି ।
ଉତ୍ତରାକାଣ୍ତ
(1)
ଲବକୁଶଙ୍କର ରାମାୟଣ-ଗାନ
ଏତେ ବୋଲି ନେଇଣ ଗୁରୁଙ୍କୁ ସମର୍ପିଲେ ।
ସ୍ନେହଭରେ ବେନି ଆକ୍ଷି ଥନଥନ କଲେ ।
ପୁତ୍ରଙ୍କୁ ସମର୍ପି ଦେଇ ସୀତା ତହୁଁ ଯାନ୍ତି ।
ଲେଉଟି ନ ଚାହାଁ ବାବୁ ପୁତ୍ରଙ୍କୁ ବୋଲନ୍ତି ।
ଶୁଣିଣ ଲବକୁଶେ ଲେଉଟି ନ ଚାହିଁଲେ ।
ମାତାଙ୍କୁ ଓଳଗିଣ ମୁନିଙ୍କ ସଙ୍ଗେ ଗଲେ ।
ହର ବୋଲନ୍ତି ଏ ଅନ୍ତେ ଶୁଣ ଗୋ ପାର୍ବତି ।
ସୀତାଙ୍କର ପୁତ୍ରଙ୍କୁ ଘେନିଣ ମହାଯତି ।
ଆବର ଅଛନ୍ତି ଯେ ଅନେକ ତପଚାରୀ ।
ଘେନିଗଲେ ସଙ୍ଗେ ଶିଷ୍ୟଗଣ ଆଦି କରି ।
ବାଟେ ଯାଉଁ ମୁନି ଲବକୁଶଙ୍କୁ କହନ୍ତି ।
ଶୁଣ ବାବୁ ମୋହର ଏ ସିଦ୍ଧାନ୍ତ ଭାରତୀ ।
ଯେଉଁ ରାମାୟଣ ଶ୍ଳୋକ କରିଅଛୁଁ ଆମ୍ଭେ ।
ସିଂହଦ୍ୱାରେ ବସି ଗାଉଥିବ ତାହା ତୁମ୍ଭେ ।
ଯେତେବେଳେ ଯହିଁ ଯେଉଁ ରାଗରେ ବସତି ।
ସୁସ୍ୱରେ ଗୀତ ଗାଇବ ହୋଇ ସ୍ଥିରମତି ।
ଆମ୍ଭର ଯୋଡ଼ିଲା ବୋଲି ପୁଚ୍ଛିଲେ କହିବ ।
କ୍ଷୁଧା ତୃଷା ଲାଗିଲେ ବସାକୁ ଚାଲିଯିବ ।
ଶୁଣିଣ ବେନିଭାଇ ତା ସନମତ କଲେ ।
ଯେ ତୁମ୍ଭର ଆଜ୍ଞା ଆମ୍ଭେ ପାଳିବୁ ବୋଇଲେ ।
ଏମନ୍ତ କହିଣ ପୋଏ ଯାନ୍ତି ତହୁଁ ଚଳି ।
ନଇମିଷ ଅରଣ୍ୟ ନିକଟେ ଯାଇଁ ମିଳି ।