ପୃଷ୍ଠା:Typical selections from Oriya literature.pdf/୧୮୫

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୪୯
ଓଡ଼ିଆ ସାହିତ୍ୟ-ପରିଚୟ

ଖଳ ବୋଲକୁ ସେ ମହାରାଣୀ ପ୍ରତେ ଗଲା ।
ଦଶରଥ ରାଜାକୁ ସେ ସ‌ତ୍ୟ କରାଇଲା ।
ରାମ ବନ ଯାଉ ଭ୍ରତ ହେଉ ନୃପବର ।
ଶୁଣିଣ ଦଶରଥର କମ୍ପିଲା ଶରୀର ।
ପିତାର ବୋଲେ ଯେ ରାମ ବନସ୍ତକୁ ଗଲେ ।
ସଙ୍ଗତରେ ଜାନ‌କୀ ଯେ ଲକ୍ଷ୍ମଣକୁ ନେଲେ ।
ସୁମନ୍ତ୍ର ଛାଡ଼ିଣ ଯେ ଅଇଲେ ଗଙ୍ଗାକୂଳେ ।
ଶ୍ରୀରାମ ରହିଲେ ଯାଇଁ ଚିତ୍ରକୂଟ-ଶୈଳେ ।
ଶ୍ରୀରାମକୁ ନ ଦେଖିଣ ଦଶରଥ ମଲେ ।
ବଶିଷ୍ଠ ଋଷି ତାହାଙ୍କୁ ତଇଳେ ଥୋଇଲେ ।
ଅତି ଯତନରେ ତାହା ରଖାଇଣ ଥିଲେ ।
ବାରତାପାଇ ଭରତ ଶତ୍ରୁଘ୍ନ ଅଇଲେ ।
ତଇଳରୁ କଢ଼ାଇଣ ମଡ଼ା ପୋଡ଼ାଇଲେ ।
ଶୁଦ୍ଧ-କ୍ରିୟା ପାଇଁ ନାନାଦ୍ରବ୍ୟ ଭିଆଇଲେ ।
ପ୍ରେତ-କର୍ମ ସାରିଣ ହୋଇଲେ ଦେହଶୁଦ୍ଧି ।
ଭରତ ପଚାରିଲେ ବଶିଷ୍ଠ ତପୋନିଧି ।
ମୁହିଁ ଏ ଦେଶରେ କିପାଁ ହେବି ନୃପବର ।
ବାହୁଡ଼ାଇ ଆଣିବଇଁ କୌଶଲ୍ୟାକୁମର ।
ଏତେବୋଲି ଚତୁରଙ୍ଗ ବଳ ସଜ କରି ।
ରାମ ଦେଖିବାକୁ ଗଲେ ସର୍ବ ନରନାରୀ ।
ସକଳେ ଯେ ଗଙ୍ଗାନ‌ଦୀ ସୁଖେ ହେଲେ ପାରି ।
ତୀରେ ଦେଖିଲେ ଯେ ଭରଦ୍ୱାଜ ତପଚାରୀ ।
ସେ ମୁନି ରୁହାଇ ତାଙ୍କୁ ଗଉରବ କଲେ ।
ଯେ ଯାହାର ଅନୁରୂପେ ସଞ୍ଚାମାନ ଦେଲେ ।
ରାତ୍ରେ ତ‌ହିଁ ରହିଣ ପ୍ରଭାତେ ଚଳିଗଲେ ।
ଚିତ୍ରକୂଟ ପର୍ବତରେ ରାମଙ୍କୁ ଭେଟିଲେ ।
ଅନେକ ପ୍ରବୋଧି ଆଣିବାକୁ କଲେ ମନ ।
କେବେହେଁ ନ ବାହୁଡ଼ିଲେ କୌଶଲ୍ୟାନନ୍ଦନ ।
କେକୟୀନନ୍ଦନ ଯେ ଅନେକ କଷ୍ଟ କଲା ।
ଅନ୍ନ ଛାଡ଼ି କୁଶ ପାରି ତଳରେ ଶୋଇଲା ।
ଦେବତାଏ ଆସି ଅନ୍ତରୀକ୍ଷେ ଡ଼ାକ ଦେଲେ ।
ରାମ ଗଲେ ଅଯୋଧ୍ୟା ଭାଙ୍ଗିଯିବ ବୋଇଲେ ।
ତୁ ଶାପ ପାଇବୁଟି ହୋ କେକ‌ୟୀର ସୁତ ।
ଶୁଣି ଭୟକରି କର ଯୋଡ଼ିଲା ଭରତ ।