ପୃଷ୍ଠା:Typical selections from Oriya literature.pdf/୨୦୧

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୬୫
ଓଡ଼ିଆ ସାହିତ୍ୟ-ପରିଚୟ

ସ‌କ‌ଳ ବେଦ ହୋଇ ବୃକ୍ଷେ । ଫଳ ଫଳିଲେ ଅନ୍ତରୀକ୍ଷେ ।
କେତେହେଁ ଦିନେ ପାଚିତଳେ । ବୃକ୍ଷୁଁ ପଡ଼ିଲେ ବାୟୁ-ବଳେ ।
ଶୁକ ଧାଇଁଲେ ତାହା ଦେଖି । ପକ୍ଷିଙ୍କ ସଙ୍ଗତ ଉପେକ୍ଷି ।
ତୋଷେ ଅଧର କ୍ଷତ କଲେ । ଭିତରେ ସୁରଙ୍ଗ ଦେଖିଲେ ।
ତହୁଁ ଗଳିଲା ରସସାର । କି ଅବା ଦେବା ପଟାନ୍ତର ।
ଅମୃତ ନିନ୍ଦେ ସ୍ୱାଦୁଗୁଣେ । ସୁଜନେ ପିବ ଅନୁକ୍ଷଣେ ।
ଆନନ୍ଦେ କର ସୁଧାପାନ । ଯେଣୁ ପାଇବ ଦିବ୍ୟଜ୍ଞାନ ।
ଏ ଚାରି ରସଙ୍କର ମୂଳ । ନିଗମ‌ବଳ ବୃକ୍ଷଫଳ ।
ଯିବ ଜୀବନ-ଅନ୍ତ‌ଯାଏ । ଯେବେ ତରିବ ମାୟାମୋହେ ।
ଏବେ ହୋ ଶୁଣ ସାଧୁଜନେ । ହରି-ଚରିତ ଶୁଦ୍ଧ ମନେ ।
ସର୍ବ ଦେବଙ୍କ ରମ୍ୟସ୍ଥାନ । ନାମ ଯେ ନୈମିଷା ଅରଣ୍ୟ ।
କଳିର ଆଗମନ ଦେଖି । ମୁନିଏ ସ୍ୱସ୍ଥାନ ଉପେକ୍ଷି ।
ଶୌନ‌କ ଆଦି ମୁନିଗଣେ । ମିଳିଲେ ନୈମିଷା ଅରଣ୍ୟେ ।
କଳି-କଳୁଷେ ଭୟ କରି । ଏକାନ୍ତେ ମୁନିଏ ବିଚାରି ।
ସଂକଳ୍ପ କରି ଏକତୁଲେ । ସତ୍ର ଯଜ୍ଞକୁ ଆରମ୍ଭିଲେ ।
ଜାଣନ୍ତି ଶୁଭେ ସର୍ବଦୀକ୍ଷା । ସ୍ୱର୍ଗାପର୍ଗେ କଲେ ଇଚ୍ଛା ।
ସକଳେ ମିଳି ପ୍ରାତଃକାଳେ । କର୍ମ ସମ୍ପାଦିତ ଅନଳେ ।
ସୁତ ମୁନିଙ୍କୁ ମଧ୍ୟ କରି । ସକଳେ ବସିଲେ ଆବୋରି ।
ସକଳ ମୁନି ଶୁଦ୍ଧ ମନେ । କ‌ହ‌ନ୍ତି ଅମୃତ ବଚନେ ।

ଋଷୟଃ ଉଚୁଃ

ଭୋ ସୁତ ଶୁଣ ସାବଧାନେ । ତୋର ମହିମା ଅନୁମାନେ ।
ସର୍ବ ପୁରାଣ ଇତିହାସେ । ଶୁଣିଲୁ ତୁମ୍ଭରି ଅଭ୍ୟାସେ ।
ସଂସାରେ ଧର୍ମଶାସ୍ତ୍ର ଯେତେ । ସବୁ ଗୋଚର ତୁମ୍ଭମତେ ।
ବ୍ୟାସ ମୁନିଙ୍କ ଶିଷ୍ୟ ତୁମ୍ଭେ । ଏ କଥା ଜାଣୁ ଭଲେ ଆମ୍ଭେ ।
ପୂର୍ବେ ଯେ ଥିଲେ ବ୍ରହ୍ମମୁନି । ତାଙ୍କ ବଦନୁଁ ଅଛୁ ଶୁଣି ।
ସକଳ ଶାସ୍ତ୍ର ତୁମ୍ଭ ତ‌ହିଁ । ବେଦପୁରାଣେ ଯେତେ କ‌ହି ।
ବ୍ୟାସଙ୍କ ଅନୁଗ୍ରହ ଘେନି । ସକଳ ଶାସ୍ତ୍ରେ ତୁମ୍ଭେ ଜ୍ଞାନୀ ।
ଦଇବେ ଅଛି ଏହିମତି । ଯେ ଶିଷ୍ୟ ଗୁରୁରେ ଭକ‌ତି ।
ଶିଷ୍ୟର ହିତେ ଦୟାବ‌ହେ । ସ‌କଳ ତ‌ତ୍ତ୍ୱଜ୍ଞାନ କ‌ହେ ।
ଏଣୁ ବ୍ୟାସଙ୍କ ଶିକ୍ଷାଯେତେ । ପ୍ରକାଶ ଆମ୍ଭର ଅଗ୍ରତେ ।
ନିଶ୍ଚେ ଏମନ୍ତେ ଶ୍ରେୟ‌ଯେତେ । ଏ ଜୀବ ତରିବ ଯେମନ୍ତେ ।
ଯେଣେ ତୁଟଇ ବିଷ୍ଣୁମାୟା । କ‌ହ ଆମ୍ଭଙ୍କୁ ଯେବେ ଦୟା ।
ଏ କଳିଯୁଗେ ଯେତେ ପ୍ରାଣୀ । ଅଳ୍ପ ଆୟୁଷ ପରିମାଣି ।