ପୃଷ୍ଠା:Typical selections from Oriya literature.pdf/୨୨୨

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୮୬
ଓଡ଼ିଆ ସାହିତ୍ୟ-ପରିଚୟ

ଅତିତାପେ ତାପିବି ଯେ ତୋହର ଗମନେ ।
ଏମନ୍ତ କୁମର ଶୁଣି ଜନନୀ-ବଚନେ ।
ବିଷ୍ଣୁର ପୟରେ ହୃଦେ କରି ନମସ୍କାର ।
ମଙ୍ଗଳମୁହୂର୍ତ୍ତେ ଧ୍ରୁବ୍ର ହୋଇଲା ବାହାର ।
ଜନନୀର ମନ ଯେ ପୁତ୍ରର-ପଛେ ଗଲା ।
ଚଳନ୍ତେ ରାଜାରପୁରେ କେହି ନ ଦେଖିଲା ।
ବାଳକକାଳ ଆଦିତ୍ୟ ପ୍ରାୟେ ପଥେ ଯାନ୍ତେ ।
ଅନୁକୂଳ ପବନ ବହିଲା ଅକସ୍ମାତେ ।
ପବନେ ଚଳତି ବନ ଲତା ତରୁଗଣ ।
ହସ୍ତପ୍ରସାରିଲା ପ୍ରାୟେ କରନ୍ତି କଲ୍ୟାଣ ।
କାନନେ ପଶିଲେ ଧ୍ରୁବ ଗୋବିନ୍ଦ ସୁମରି ।
ଜନନୀ-ଚରଣବେନ ହୃଦଗତେ ଧରି ।
ଭୂମିକି ଅନାଇ ସେ ଅନେକ ଦୂର ଗଲା ।
ଗହନ କାନନେ ରାଜପଥ ନ ଜାଣିଲା ।
ନ ଭକ୍ଷିଣ ତୃଷିତ ବାଧିତ ଦୁଃଖମନେ ।
ବୃକ୍ଷମୂଳେ ବସିଲା ଆଦିତ୍ୟ-ଅବସାନେ ।
ବାଳକ ଭାବଇ ମନେ ଦଶଦିଶ ଚାହିଁ ।
କାହାକୁ ପୁଛିବି ମୋର ସଙ୍ଗେ କେହି ନାହିଁ ।
ବେନିଚ‌କ୍ଷୁ ବୁଜି ସେ କୃଷ୍ଣଙ୍କୁ ସୁମରଇ ।
ବନ‌ଜନ୍ତୁ ଭୟେ ଧ୍ରୁବ ପୁଣିହିଁ ଅନାଇ ।
ତାର ପୂର୍ବତପବଳେ ସେ ଘୋର କାନନେ ।
ସାୟଂକାଳେ ସମୀପେ ମିଳିଲେ ମୁନିମାନେ ।
ପର୍ବତ କାନନ ଦ୍ରୁମ ଜଳ ଅଗ୍ନି ପଥେ ।
ବାଳ ବୃଦ୍ଧ ବନିତା ଦୁର୍ବଳ ବ୍ୟାଧିଗ୍ରସ୍ତେ ।
ପୂର୍ବ ଭାଗ୍ୟ ଥିଲେ ପ୍ରାଣୀ ଦୁସ୍ତରୁ ତରନ୍ତି ।
ଭାଗ୍ୟ-ହୀନ ଗୃହେ ଯତ୍ନ କରନ୍ତେ ମରନ୍ତି ।
ଦେଖ ତାର ଭାଗ୍ୟବଳ ସପ୍ତରୁଷିଗଣେ ।
ସମୀପେ ମିଳିଲେ ଆସି ଭୟଙ୍କର ବନେ ।
ରାଜାର କୁମର ଅବା କାହିଁ ବନବାସ ।
ଦୈବର ଘଟନ ଦେଖ ଧର୍ମର ବିଶ୍ୱାସ ।
ଏଣୁ ନିଜକର୍ମକୁ କରିବ ନମସ୍କାର ।
ଯାହାର ଉପରେ ନାହିଁ ପ୍ରଭୁ ଅଧିକାର ।
ଯାହାର ସେ ଶୁଭାଶୁଭ ପୁଣ୍ୟବଳ ଥାଇ ।
ମନେ ନ କଳ୍ପିଲେ ଅକସ୍ମାତେ ସେ ମିଳଇ ।