ପୃଷ୍ଠା:Typical selections from Oriya literature.pdf/୨୩୭

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୨୦୧
ଓଡ଼ିଆ ସାହିତ୍ୟ-ପରିଚୟ

ସକଳ ଜୀବେ ସମ ବୁଦ୍ଧି । ଉତ୍ତମ‌ଭାବେ ଏ ପ୍ରସିଦ୍ଧି ।
କେବେହେଁ ନୁହେ ଜ୍ଞାନଭ୍ରମ । ସେ ପ୍ରାଣୀ ନାରାୟଣ ସମ ।
ସିଦ୍ଧ ଯୋଗୀନ୍ଦ୍ର ମୁନିଗଣେ । ଚିନ୍ତନ୍ତି ଯେ ହରି-ଚରଣେ ।
ଭବ ବିରଞ୍ଚି ଯାର ପାଦେ । ଧ୍ୟାନେ ଭଜନ୍ତି ଅପ୍ରାମାଦେ ।
ସେ ପ୍ରଭୁ ପାଦ ନିତ୍ୟେ ଚିନ୍ତି । ଲବ ନିମିଷେ ନ ଛାଡ଼ନ୍ତି ।
ନୁହ‌ନ୍ତି ମାୟାରେ ମୋହିତ । ସେ ପ୍ରାଣୀ ମହାଭାଗ୍ୟବନ୍ତ ।
ବିଷ୍ଣୁ ଭକ‌ତେ ସେ ପ୍ରଧାନ । ତା ଦେଖି ନିସ୍ତରନ୍ତି ଜନ ।
କୃଷ୍ଣର ପାଦ-ନ‌ଖପନ୍ତି । ଚନ୍ଦ୍ରକିରଣ ପ୍ରାୟ ଜ୍ୟୋତି ।
ସେ ଯାର ହୃଦରେ ପ୍ରକାଶେ । ଅଶେଷ ଘୋର ଦୁଃଖ ନାଶେ ।
ମଧ୍ୟମ‌ଭାବ ଏବେ ଶୁଣ । ଯେବେ ଅର୍ଚ୍ଚଇ ନାରାୟଣ ।
ହରିର ପାଦେ ସେବା କରେ । ଭକ୍ତିସମ୍ଭତ ବୁଦ୍ଧି ଧରେ ।
ସଂସାର ମଧ୍ୟେ ଯେତେ ଜନ । ସମସ୍ତ ହୃଦେ ଭଗବାନ ।
ସତ ଅସତ କର୍ମ କରେ । ଏ ଭାବେ ହେତୁ ନ ବିଚାରେ ।
ସ୍ୱପ୍ରିୟ ଆନନ୍ଦ ପ୍ରମାବେ । ଅସତମୂର୍ଖ ବୋଲି ଜାଣେ ।
ସ୍ୱପ୍ରଜ୍ଞାଭାବେ ଦୟା କରେ । ଅହଂ ପଣ୍ତିତ ହେତୁ ଧରେ ।
ଯେ ପ୍ରିୟାପ୍ରିୟ ଶତ୍ରୁମିତ୍ର । ଏ ସର୍ବ କୃଷ୍ଣ ଏ ସର୍ବତ୍ର ।
ଏଣେ ନ ହୋଇ ଅହଂକାରୀ । ମନରେ ଦୋଷ ଗୁଣ ଧରି ।
ମାତ୍ର ନ ଧରେ ଗୁଣଦୋଷ । ଘେନି ଆପଣା ଶ୍ରେଷ୍ଠ ଅଂଶ ।
କର୍ମ କରଇ ବିଧିମତେ । ଫଳ-ଆକାଂକ୍ଷା କରି ଚିତ୍ତେ ।
ପଢ଼େ କ‌ହଇ ଦୁଇମତ । ଆପଣା ନାହିଁ ସେ କର୍ତ୍ତୃତ୍ୱ ।
ପ୍ରତିଷ୍ଠା-ଗୁଣେ କରେ ଶ୍ରମ । ଏଣୁ ସେ ବୋଲାଇ ମଧ୍ୟମ ।
ପ୍ରାକୃତଭାବ ଏବେ ଶୁଣ । ଯେବେ ପୂଜଇ ନାରାୟଣ ।
କେବଳ ଲୌକିକର ମତେ । ଶ୍ରଦ୍ଧା ନ ଥାଇ ଅନ୍ତର୍ଗତେ ।
ନ ସେବେ ବିଷ୍ଣୁର ଭକତ । ଇତର ଦେଖେ ସର୍ବମତ ।
ମନରେ ଅହଂକାର ଭରି । ଦଣ୍ତେ ବିଚାରେ ଭକ୍ତିକରି ।
ଏହା ପ୍ରକୃତବୋଲି କ‌ହି । ତ‌ଥାପି ଭକ୍ତ ସେ ବୋଲାଇ ।
ଏଣୁ ଯେ ଯେତେ ଭାବେ ଭଜେ । ହରି ତା ହୃଦୟ ନ ତେଜେ ।
ଚିତ୍ତେ ଚିନ୍ତିଲେ କ୍ଷଣମାତ୍ର । ହରଇ ଅଶେଷ ଦୁରିତ ।
ସେ ହରିପାଦ ହୃଦେ ଧରି । ଭକତ ଦୁସ୍ତରୁ ନିସ୍ତରି ।
ଶୁଣ ବିଦେହ-ମ‌ହୀପତି । ବିବିଧ ବୈଷ୍ଣବଙ୍କ ରୀତି ।
ଏକାଦଶରେ କୃଷ୍ଣରସ । କ‌ହିଲା ଜଗନ୍ନାଥ ଦାସ ।

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ଏକାଦଶସ୍କନ୍ଧେ ତ୍ରିବିଧ-ବୈଷ୍ଣବକଥନଂ ନାମ ତୃତୀୟୋଧ୍ୟାୟଃ