ଇନ୍ଦ୍ରର ମନ କଲେ ଶୁଭ । ସୁଖେ ସେ ଭୁଞ୍ଜଇ ଦୁର୍ଲ୍ଲଭ ।
ସେ ପୁଣି ଭୃଗୁବଂଶେ ହରି । ପରଶୁରାମ ରୂପ ଧରି ।
ଏକବିଂଶତିବାର କୋପେ । ଅବନୀ ଭ୍ରମି ବିଶ୍ୱରୂପେ ।
କ୍ଷତ୍ରିୟକୁଳ ସଂହାରଣ । କଲେ ଅନାଦି ନାରାୟଣ ।
ରାବଣ ରାମରୂପେ ମାରି । ସଙ୍କଟୁ ଜାନକୀ ଉଦ୍ଧରି ।
ଧରଣୀ ମଧ୍ୟେ ଯଶ ଥୋଇ । ପ୍ରାଣୀ ତରଇ ଯାହା ଗାଇ ।
ପୁଣି ଅନନ୍ତ ଅବତାରେ । ହଳ ମୂଷଳ ଧରି କରେ ।
ଘୋର ଦାନବ ଦର୍ପ ହରି । ସୁଖେ ସ୍ଥାପିଲେ ବସୁନ୍ଧରୀ ।
ପ୍ରବୋଧ ବୁଦ୍ଧ ଅବତାରେ । ଜ୍ଞାନ ବିସ୍ତାରି ଏ ସଂସାରେ ।
ଅଶ୍ୱ ଆରୋହି କଳ୍ପିରୂପେ । ମ୍ଳେଚ୍ଛ ସଂହାରି ମହାକୋପେ ।
ଏମନ୍ତ ନାନାରୂପ ଧରେ । ସେ ହରି ଜଗତେ ବିହରେ ।
କେ ତାର ଗୁଣ କର୍ମ ମୁଖେ । ସଂଖ୍ୟା କରିବ ଶତକଳ୍ପେ ।
କେ ଅବା କହିବ ସଂକ୍ଷେପେ । ଭୋ ରାଜା ତୋହର ସମୀପେ ।
ନାରଦ ବସୁଦେବ ମେଳେ । ଶୁକ ପରୀକ୍ଷ ଗଙ୍ଗାକୂଳେ ।
ଏ ଷଡ଼ ପ୍ରଶ୍ନେ ଏକାଦଶ । କହିଲା ଜଗନ୍ନାଥ ଦାସ ।
ଶ୍ରୀଭାଗବତ ଧର୍ମ କଥା । ଶୁଣି ଛାଡ଼ିବ ମନୋବ୍ୟଥା ।
(13)
ବର୍ଣ୍ଣଭେଦ-ଭକ୍ତିଯୋଗ (Sk. XI, Ch. VI).
ବିଦେହ ଉବାଚ
ବୋଲଇ ବିଦେହ-ରାଜନ । ଭୋ ମୁନି ଶୁଣ ମୋ ବଚନ ।
ଏ ଭୂମିମଧ୍ୟେ ଦୁଷ୍ଟଲୋକେ । ବିଷ୍ଣୁଙ୍କୁ ନ ଭଜନ୍ତି ଥୋକେ ।
କାମ ସଂକଳ୍ପ ଲୋଭେ ଜଡ଼ି । ଅଜ୍ଞାନ ମୋହେ ଥାନ୍ତି ପଡ଼ି ।
ଧର୍ମ ଅଧର୍ମ ନ ଜାଣନ୍ତି । ଅନ୍ତେ ଲଭନ୍ତି ଅଧୋଗତି ।
ଏ ବଡ଼ ସଂଶୟ ମୋ ହୃଦେ । ଛେଦ କଳୁଷ ଜ୍ଞାନଭେଦେ ।
ଚମସ ଶୁଣି ତା ବଚନ । କହନ୍ତି ସଭା ବିଦ୍ୟମାନ ।
ବିଷ୍ଣୁର ମୁଖ ଭୁଜ ଉରୁ । ଅଭୟ ପାଦପଙ୍କଜରୁ ।
ବ୍ରାହ୍ମଣ ଆଦି ଚାରିବର୍ଣ୍ଣେ । ଜନ୍ମିଲେ ସ୍ୱଭାବେ ତ୍ରିଗୁଣେ ।
ଏଣୁ ସେ ବିଷ୍ଣୁ ପିତା ମାତା । ଗୁରୁ ବାନ୍ଧବ ଇଷ୍ଟଦାତା ।
ଏମନ୍ତ ସ୍ୱାମୀ ସେବା ତେଜେ । ଲୋଭେ ଯେ ଅନ୍ୟଦେବ ଭଜେ ।