ପୃଷ୍ଠା:Typical selections from Oriya literature.pdf/୨୫୯

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୨୨୩
ଓଡ଼ିଆ ସାହିତ୍ୟ-ପରିଚୟ

ଉପାଧି-ବର୍ଜିତ ଈଶ୍ୱର । ଫେଣ ବିକାଶେ ଯେହ୍ନେ ନୀର ।
ସୃଷ୍ଟି ଇଛଇ ଯେତେ ବେଳେ । ସୃଜଇ ମାୟା ଯୋଗବଳେ ।
ତ୍ରିଗୁଣମୟୀ ବିଷ୍ଣୁମାୟା । ବେଦ ବେଦାନ୍ତ କ‌ହେ ଯାହା ।
ସେ ମାୟା ନାନା ମୂର୍ତ୍ତି ଧରି । ବ୍ରହ୍ମାଣ୍ତ ମଧ୍ୟେ ଅଛି ପୂରି ।
ସେ ମାୟାବଳେ ନାରାୟଣ । ଜଗତ କରେ ପୁଣ ପୁଣ ।
ଯେସନେ କୀଟ ଭର୍ଣ୍ଣନାଭି । ନିଜ ବଦନୁ ସୂତ୍ର ଭାବି ।
ଜାଲ ନିର୍ମାଇ ରାତ୍ରମୁଖେ । ମଧ୍ୟେ ବିହରେ ନାନା ସୁଖେ ।
ଏକାନ୍ତେ ରାତ୍ରେ କ୍ରୀଡ଼ା କରେ । ସୂର୍ଯ୍ୟ-ଉଦ‌ୟେ ତା ସଂହରେ ।
ଏରୂପେ ସୃଷ୍ଟି-ଲୀଳା କରି । ସଂସାରେ ଖେଳେ ନରହରି ।
ଏବେ ହୋ ଶୁଣ ନରପତି । ସଂସାରେ ଜୀବଆତ୍ମା-ଗତି ।
ଦେହ ବିଯୋଗକାଳେ ଜନ୍ତୁ । ମନେ ଚିନ୍ତଇ ଯେତେ ହେତୁ ।
ଏକାନ୍ତ ସ୍ନେହବଶ ଭୟେ । ନିଶ୍ଚଳ ଧ୍ୟାନ ଯ‌ହିଁ ରହେ ।
ଜନ୍ମଇ ସେହି ରୂପ ଧରି । ଯେସନେ କୀଟ ପେଷକାରୀ ।
କୀଟ ଆଣଇ ନାନାରୂପେ । ନିଜ ଭୁବନେ ନେଇ ସ୍ଥାପେ ।
ସେ କୀଟ ପ୍ରାଣ‌ଯିବାବେଳେ । ଯାହାକୁ ଦେଖିଥାଇ ଡୋଳେ ।
ଭୟେ ଚିନ୍ତଇ ତାର ରୂପ । ଜନ୍ମଇ ଘେନି ସେହିରୂପ ।
ମୋହର ମନ ସେହିମତେ । କୃଷ୍ଣ-ଚରଣେ ଅବିରତେ ।
ନିଶ୍ଚଳେ ଥାପି ଅବଧାନେ । ବୁଲଇ ମୁହିଁ ପର୍ଯ୍ୟଟନେ ।
ଏମନ୍ତେ ଗୁରୁ ମୋର ଯେତେ । ତାହାଙ୍କ ଉପଦେଶମତେ ।
କାୟ,ବଚନ, ମନେ ଧରି । ଭ୍ରମଇ ଅବନୀ ବିହରି ।
ଆତ୍ମାର ଗୁରୁ ମୁଁ ଆପଣେ । ତେଣୁ ଧରଇ ତାକୁ ମନେ ।
ଦେହରେ ଜନ୍ମ ମୃତ୍ୟୁ ଦୁଇ । ବିଷ୍ଣୁ-ମାୟାରେ ପ୍ରବର୍ତ୍ତଇ ।
ଏ ବୋଲ ବୁଝି ମୋର ମତି । ଏ ଦେହଁଏ ନ କରେ ପୀରତି ।
ଅନେକ ଜନ୍ମ କର୍ମ‌ଭାଗେ । ମୋହର ଜନ୍ମ ବଇରାଗ୍ୟେ ।
ଉଦାସୀମତେ ଦେହେ ଥାଇ । ଗୁରୁଙ୍କ ଉପଦେଶ ଧ୍ୟାୟି ।
ପୁତ୍ର, କଳତ୍ର, ଦାସୀ, ଦାସେ । ଏହାକୁ ପୋଷି ଦେହ-ଆଶେ ।
ଦେହର ସଙ୍ଗେ ଏ ରହ‌ନ୍ତି । ମରଣେ କେହି ନ ଗମନ୍ତି ।
ନିୟତ କର୍ମ ସଙ୍ଗ କରି । ଅନ୍ଧ ଯେସନେ ଯଷ୍ଟି ଧରି ।
ବୃକ୍ଷଙ୍କ ଧର୍ମ ପ୍ରାୟେ ଦେହୀ । ଅବଶ୍ୟ ଜନ୍ମିଲେ ମରଇ ।
ଏଣୁ ଅନିତ୍ୟ ଦେହେ ମୁହିଁ । କେବେହେଁ ବିଶ୍ୱାସ ନ ଯାଇ ।
ଇନ୍ଦ୍ରିୟେ ଏହାକୁ ଆବୋରି । ଭୁଞ୍ଜନ୍ତି ଜଣେ ଜଣେ କରି ।
ଶ୍ମଶାନେ ମୃତପିଣ୍ତ ଯେହ୍ନେ । ଶ୍ୱାନ ଶୃଗାଳଙ୍କ ବଦନେ ।
ରସ-ଲାଳସେ ଜିହ୍ୱା ଧରେ । ଆହାର ଅର୍ଥେ କର୍ମ କରେ ।
ନିଜ ସ୍ୱଭାବେ ଷଡ଼ରସେ । ଭ୍ରମଇ ନାନା ଦେଶେ ଦେଶେ ।