ପୃଷ୍ଠା:Typical selections from Oriya literature.pdf/୨୬୬

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୨୩୦
ଓଡ଼ିଆ ସାହିତ୍ୟ-ପରିଚୟ

ଏଣୁ ପରମ ନାମ ତାର । ନିର୍ଲ୍ଲେପ ନିତ୍ୟ ନିରାକାର ।
କେବେହେଁ ନ କରିବ ସଙ୍ଗ । ସମୁଦ୍ରେ ଯେସନେ ତରଙ୍ଗ ।
ସର୍ବବିଷୟ ପରବଶ । କେବେହେଁ ନ ଯିବ ବିଶ୍ୱାସ ।
ଆସନ ଶୟନ ମାର୍ଜ୍ଜନେ । ଭୋଜନ ପାନ ଅବଧାନେ ।
ଶ୍ରବଣ ଗମନ ସ୍ପର୍ଶନେ । ପ୍ରପଞ୍ଚରୂପ ଦରଶନେ ।
ଏ ସର୍ବଭାବେ ଉଦାସୀନ । ଯେ କରେ ସେହି ମହାଜନ ।
ନିର୍ଲ୍ଲୋଭମାନ ଗୃହୀ ଦେହେ । କରି ଭ୍ରମିବ ସବୁଠାଏ ।
ସଂକଳ୍ପ ନ ଭାବିବ ମନେ । ଗୃହ-ଶରୀର-ଅଭିମାନେ ।
କେ କରେ ହିଂସା ଅହଂକାର । କେ ପୁଣି କରେ ନମସ୍କାର ।
କେ ଅବା କରେ ନିନ୍ଦା ସ୍ତୁତି । କେ ଉପ‌ହାସେ ବା ହସନ୍ତି ।
ଅଦୃଷ୍ଟ ମାନି ଅବଧାନେ । ଚିତ୍ତ ବୋଧିବ ସାବଧାନେ ।
ସମେ ଦେଖିବ ସର୍ବ ଅଂଶେ । ଭେଦ ନ କରି ଗୁଣ ଦୋଷେ ।
ଚିତ୍ତ ନିରୋଧି ଏ ଶରୀରେ । ଯେ କିଛି ନ ବୋଲେ ନ କରେ ।
ତାହାକୁ ବୋଲିବ ପଣ୍ତିତ । ସେ ଆତ୍ମାରାମେ ଜଡ଼ବତ ।
ସେ ଯେବେ ଏତେ ଗୁଣ ଘେନି । ପରମାନନ୍ଦଙ୍କୁ ନ ଚିହ୍ନି ।
ସକଳ ଶାସ୍ତ୍ର ବ୍ୟର୍ଥ ତାର । କେବଳ ଶ୍ରମମାତ୍ର ସାର ।
କୁଧେନୁ ବାନ୍ଧି ଗୃହେ ଯେହ୍ନେ । ନିରାଶ ହୋନ୍ତି କ୍ଷୀରପାନେ ।
ଦୁଷ୍ଟା ଭାରିଯା ଦୋଷ ଦେଖି । ଯେ ଗୃହେ କାମଲୋଭେ ରଖି ।
ସକଳ ଧର୍ମ ତାର ନାଶ । ନରକ ତାର ଗୃହବାସ ।
ଯାର ଶରୀର ପରାଧୀନ । କୁପୁତ୍ର-କୁତ୍ସିତ-ବଚନ ।
ମୋ ନାମ ନ ଗୁଣେ ଯେ ମୁଖେ । ଲୋଭେ ଯେ ଘରେ ଧନ ରଖେ ।
ପାତ୍ରେ ନ କରେ ସମର୍ପଣ । କୁମତି କୁତ୍ସିତ କୃପଣ ।
ଦୁଃଖୀହୁଁ ଦୁଃଖୀ ସେ ବୋଲାଇ । ଉଭୟଲୋକେ ସୁଖ ନାହିଁ ।
ମୋର ନିର୍ମଳ ଯଶ ନାମ । ଯେ ଅବା ଅଛି ଗୁ‌ଣ‌ଗ୍ରାମ ।
ଯେ ବା ପଣ୍ତିତ ଇ‌ହଲୋକେ । ମୋ ନାମ ନିତ୍ୟେ ଭଣେ ମୁଖେ ।
ତ‌ତ୍ତ୍ୱବିଚାରେ ତୁଟେ ଭ୍ରାନ୍ତି । ଭବସାଗରୁ ତରିଯାନ୍ତି ।
ବୋଲନ୍ତି ଜଗତଜୀବନ । ଏ ଯୋଗତ‌ତ୍ତ୍ୱ ଗତି ଜ୍ଞାନ ।
ଯେ ଏହା ଚିତ୍ତେ ନ ଧରଇ । ନାନାଭିମାନ ଦମ୍ଭ ବ‌ହି ।
କୁତ୍ସିତ କ‌ଥାରତ ନିତ୍ୟେ । ନାନା କୁପ‌ଥ ମନୋରଥେ ।
ମନ ଭ୍ରମାଇ ଭ୍ରମୁଥାନ୍ତି । ଦୁର୍ଗମ ଦୁଃଖପ‌ଥ ଚିନ୍ତି ।
ତୁ ଯେବେ ମନ ମୋର ଦେହେ । ଧରି ନ ପାରୁ ମାୟାମୋହେ ।
ତେବେ ସକଳ କର୍ମ ମୋତେ । ସମର୍ପି ରହ ଦୃଢ଼ଚିତ୍ତେ ।
ସକଳ ଧର୍ମ ଏ ଜଗତେ । ଭାବ କ‌ହିବି ତୋ ଅଗ୍ରତେ ।
ମୋହର ଜନ୍ମ କର୍ମ ନାମ । ସ‌ତ୍ୟ ପବିତ୍ର ଗୁଣ ଧାମ ।