ଦେଖଇ ଅନ୍ତର ବାହାରେ । ସକଳ ସୁଖ ଦେଶାନ୍ତରେ ।
ମୋହର ଭାବେ ଯେ ରମଇ । ତାର ସମ୍ପଦେ କାର୍ଯ୍ୟ ନାହିଁ ।
ବ୍ରହ୍ମା ପଦକୁ ନାହିଁ ଇଚ୍ଛା । ନ କରେ ଇନ୍ଦ୍ରପଦ ବାଞ୍ଛା ।
ସପତଦ୍ୱୀପେ ରାଜପଦ । ନ ବାଞ୍ଛେ ମୂର୍ତ୍ତିଯୋଗସିଦ୍ଧ ।
ପାତାଳ-ଭୋଗେ କାର୍ଯ୍ୟ ନାହିଁ । ନିର୍ବାଣ-ପଦ ନ ବାଞ୍ଛଇ ।
ମୋତେ ସମର୍ପି ସୁତ ବିତ୍ତ । ନୁହଇ ମାୟାରେ ମୋହିତ ।
ସେ ମୋର ଯେତେ ପ୍ରିୟ ହୋଇ । କହଇ ଶୁଣ ମନ ଦେଇ ।
ବ୍ରହ୍ମା ଯେ ମୋହର ନନ୍ଦନ । ତାକୁ ନ ରମେ ମୋର ମନ ।
ମୋହର ଆତ୍ମା ପଶୁପତି । ତେଣେ ମୋହର ନାହିଁ ପ୍ରୀତି ।
ମୋହର ଭାଇ ହଳପାଣି । ଲକ୍ଷ୍ମୀ ଯେ ମୋହର ଘରଣୀ ।
ନିତ୍ୟେ ବସଇ ବକ୍ଷସ୍ଥଳେ । ବିଖ୍ୟାତ ଭୁବନ-ମଣ୍ତଳେ ।
ତୁ ଯେ ମୋହର ପ୍ରିୟତମ । କେହି ନୁହନ୍ତି ତୋର ସମ ।
ସ୍ୱଭାବେ ନିରପକ୍ଷ ଶାନ୍ତ । ତପସ୍ୱୀ ରିପୁ-ବିବର୍ଜିତ ।
ସମଦରଶୀ ପ୍ରେମପ୍ଳୁତ । ଦୟାସାଗର ପରହିତ ।
ଏମନ୍ତ ପ୍ରାଣୀଙ୍କର ପଛେ । ନିତ୍ୟେ ମୁଁ ବୁଲଇ ପ୍ରତ୍ୟକ୍ଷେ ।
ଆବୋରି ଥାଇ ବେନିପାଶେ । ତାର ଚରଣ-ରେଣୁ-ଆଶେ ।
ସେ ପ୍ରାଣୀ ବହେ ଯେତେଗୁଣ । ଉଦ୍ଧବ ଏକମନେ ଶୁଣ ।
ସ୍ୱଭାବେ ଅକିଞ୍ଚନ ଦେହେ । ସକଳ ଭୂତେ ଦୟା ବହେ ।
କାମକୁ ଜିଣି ପ୍ରେମପ୍ଳୁତ । କେବଳ ସୁଶାନ୍ତ ମହତ ।
ସେ ମୋର ସୁଖ ଅନୁମାନେ । କେ ତାର ମହିମା ବଖାଣେ ।
ତା ଅନୁଭବ ସେ ଜାଣଇ । କେ ତାହା ମୁଖେ ପାରେ କହି ।
ଏମନ୍ତେ ଯେ ମୋର ଭକତ । ସେ ଯେବେ ବିଷୟ ବାଞ୍ଛିତ ।
ଅର୍ଜିତ ଇନ୍ଦ୍ରିୟଙ୍କ ଦୋଷେ । ଯେବେ ବିଷୟରସେ ରସେ ।
ମୋର ଭକତି ଭବବଳେ । ବିଷୟ ନ ଲାଗେ ନିଶ୍ଚଳେ ।
ଆନନ୍ଦେ ବିହରଇ ସୁଖେ । ମୋ ନାମ ନିତ୍ୟେ ଭଣେ ମୁଖେ ।
ଯେତେ ଏ ଦାନ-ବ୍ରତ ତ୍ୟାଗ । ଧର୍ମ-ଆଚାର ସାଙ୍ଖ୍ୟଯୋଗ ।
ଏ ମୋତେ ନ ପାରନ୍ତି ଧରି । ନାନା ପ୍ରକାରେ ବଶ କରି ।
ଭକତଜନେ ବଶ ମୁହିଁ । ତାର ରକ୍ଷଣେ ମୋର ଦେହୀ ।
ମୁଁ ଯେ ସଂସାର ଅଛି ଛନ୍ଦି । ଭକତ ପାରେ ମୋତେ ବାନ୍ଧି ।
ଦୁର୍ଜ୍ଜୟ ଦେହେ ମୋର ଶୂନ୍ୟ । ଭକତ ଭାବେ ମୁଁ ବନ୍ଧନ ।
ଭକତଜନଙ୍କର ପାଶେ । ନିତ୍ୟେ ମୁଁ ଥାଇ ଭାବବଶେ ।
ଏଣୁ ଭକତ ଏ ସଂସାରେ । ଅଶେଷ ଜନ୍ମ ପାପ ହରେ ।
ଚାଣ୍ତାଳ ପତିତ ପାମର । ମ୍ଳେଚ୍ଛ ଅଧମ ଦୁରାଚାର ।
ଏ ଆଦି ପ୍ରାଣୀଜନ ଯେତେ । ଯେବେ ମୋ ଭକତ-ଅଗ୍ରତେ ।
ପୃଷ୍ଠା:Typical selections from Oriya literature.pdf/୨୬୯
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୨୩୩
ଓଡ଼ିଆ ସାହିତ୍ୟ-ପରିଚୟ