ପୁଣି ଯେ ପଚାରନ୍ତି ଉମା । ଭୋ ନାଥ କହ ତୂଳାଭିଣା ।
ମହାମନ୍ତ୍ର ଯେ ତତ୍ତ୍ୱସାର । କହିବା ତହିଁର ବିଚାର ।
କାହାକୁ ମହାମନ୍ତ୍ର କହି । ତ୍ରୟବୀଜଟି କେ ବୋଲାଇ ।
ମହାମନ୍ତ୍ରର ପିତା ମାତା । କେ କେ ହେକହ ଜଗଜ୍ଜିତା ।
ସ୍ତ୍ରୀରୀକେ ପୁରୁଷକେ ହେଲା । କେମନ୍ତେ କାହୁଁ ଜନମିଲା ।
ମହାମନ୍ତ୍ରର ଭେଦ ଯେତେ । ସନ୍ତୋଷେ କହ ମୋ ଅଗ୍ରତେ ।
ଶୁଣ ପାର୍ବତୀ ଦେଇ ମନ । ତୋତେ କହିବା ବ୍ରହ୍ମଜ୍ଞାନ ।
ମହାମନ୍ତ୍ରର ତତ୍ତ୍ୱ-ଭେଦ । ଉତ୍ପତ୍ତିସ୍ଥିତି-ତତ୍ତ୍ୱ-ବୋଧ ।
ଯେତେକ ପ୍ରଶ୍ନ କଲୁ ତୁହି । ଆନକୁ ନ କହନ୍ତି ମୁହିଁ ।
ତୋତେ କହିବା ଗୋ ପାର୍ବତୀ । ତୁ କାହିଁ ନ କରିବୁ ଖ୍ୟାତି ।
ଅବ୍ୟକ୍ତ ବ୍ରହ୍ମ ଶୂନ୍ୟ ଜ୍ୟୋତି । ତା ପାଦୁଁ ବ୍ରହ୍ମ ଉତପତ୍ତି ।
ସେ ବିନ୍ଦୁ ତ୍ରୟଭାଗ ହେଲା । ତ୍ରୟବୀଜ ସେ ବୋଲାଇଲା ।
ତ୍ରୟବୀଜରୁ ଷଡକ୍ଷର । ତ୍ରିଗୁଣ ବୋଲିଣ ବିଚାର ।
ଓଁକାର ଗୋଟିଏ ହୋଇଲା । ଅଧେ ଅଧେକ ପୁଣ ହେଲା ।
ସେ ବିନ୍ଦୁ ଶୂନ୍ୟେ ଅଛିରହି । ଅର୍ଦ୍ଧମାତ୍ରାଟି ଅଛି ବହି ।
ମାତ୍ରାର ତଳେ ସେ ଓଁକାର । ତହୁଁ ସେ ତ୍ରିଗୁଣ ବିଚାର ।
ଓଁକାରୁ କ୍ଳୀୟଜାତ ହୋଇ । କ୍ଳୀୟରୁ ଶ୍ଳୀୟ ଜାତକହି ।
ଶ୍ଳୀୟରୁ ହ୍ଳୀୟ ଜାତ ହେଲା । ତ୍ରୟବୀଜ ସେ ବୋଲାଇଲା ।
ବିରାଟ ସୁରାଟ ମୁରାଟ । ଏ ତିନିକ୍ଷରେ ଯାଇଁ ଭେଟ ।
ସକଳ ମନ୍ତ୍ର ଯନ୍ତ୍ର ଏହି । କ୍ଳୀୟରୁ କୃଷ୍ଣ ଜାତ ହୋଇ ।
ଶ୍ଳୀୟରୁ ରାମ ବେନି କହି । ହ୍ଳୀୟରୁ ହରେ ଜାତ ହୋଇ ।
ଏ ଷଡକ୍ଷରର ବିଚାର । ଏମନ୍ତେ ମହାମନ୍ତ୍ର-ସାର ।
ଏ ଷଡକ୍ଷର ମହାମନ୍ତ୍ର । ଶୁଣ ଏହାଙ୍କ ତାତ ମାତ ।
କ୍ଳୀୟ ଅକ୍ଷର ପିତା କହି । ଶ୍ଳୀୟ ଅକ୍ଷର ଗୁରୁ ହୋଇ ।
ହୀୟ ଅକ୍ଷର ମାତା ହେଲା । ମହାମନ୍ତ୍ରକୁ ଜାତ କଲା ।
ଶୁଣ ପାର୍ବତି ! ମନ ଦେଇ । କହିବା ଗୁରୁ ଶିଷ୍ୟ ଫେଇ ।
କ୍ଳୀୟ ଅକ୍ଷର ଜଗନ୍ନାଥ । ଶ୍ଳୀୟଟି ଗୁରୁ ଜାଣ ତତ୍ତ୍ୱ ।
ହ୍ଳୀୟ ଅକ୍ଷର ଶିଷ୍ୟ କହି । ଏମନ୍ତେ ଗୁରୁ ଶିଷ୍ୟ ହୋଇ ।
ସ୍ତ୍ରୀରୀ ପୁରୁଷ ଏବେ ଶୁଣ । କହିବା ତୋତେ ବୁଝାଇଣ ।
କ୍ଳୀୟଟି ପୁରୁଷ ବୋଲାଇ । ଶ୍ଳୀୟବୀଜଟି ରାଧା ହୋଇ ।