ପୃଷ୍ଠା:Typical selections from Oriya literature.pdf/୩୧୧

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ଓଡ଼ିଆ ସାହିତ୍ୟ-ପରିଚୟ

ତାହା ଶୁଣି ଯୁଧିଷ୍ଠିର କାତର ହୋଇଲେ ।
ବୃକୋଦର ଡ଼ାକ ଅର୍ଜୁନ‌କୁ ଆଜ୍ଞା ଦେଲେ ।
ଅର୍ଜୁନ ଡାକିଲେ ଦେବ ଆସ ହେ ବାହୁଡି ।
ନ ଆସିଣ ଭୀମସେନ ଦେଲା ଏକ ରଡି ।
ପୁଣି କେ ଡାକିଲେ ଉଚ୍ଚେ ଆରେ ରେ ପାଣ୍ତବେ ।
ଯୁଧିଷ୍ଠିର ଅର୍ଜୁନ ନ‌କୁଳ ସ‌ହଦେବେ ।
ନୟନ ବୁଲାଇ କ‌ହେ ତୁମ୍ଭେମାନେ କେ ରେ ।
ଜାଣିବା ତୁମ୍ଭର ବଳ ଏଣିକି ଆସ ରେ ।
ର‌ହୁଁ ସ‌ହଦେବ ପୁଚ୍ଛା କଲେ ଯୁଧିଷ୍ଠିର ।
କେବଣ ବୃତ୍ତାନ୍ତ ଏହା କ‌ହ ହେ ସ‌ତ୍ୱର ।
ତାହା ଶୁଣି ସ‌ହଦେବେ ଦିଅଇ ଉତ୍ତର ।
ଆହେ ପ୍ରଭୁ ଯୁଧିଷ୍ଠିର ଶୁଣ ମୋ ଉତ୍ତର ।
ସତ୍ୟ‌ଯୁଗେ ମାନ‌ଧାତା ଯଜ୍ଞ ଏଥି କଲେ ।
ମ‌ହୀମଣ୍ତଳର ରାଜା ସବୁ ନିମନ୍ତ୍ରିଲେ ।
ଏହି ସ୍ଥାନେ ଋଷିଗଣେ ରାଜା ଡକାଇଲେ ।
ଅମୋକ୍ଷ ଏ ଭୂମି ଜାଣି କେହି ନ ପଶିଲେ ।
ମାନ୍ୟ ଗଉରବ ନାହିଁ ସବୁ ଏକାକାର ।
ଦ୍ୱିଜ ଚାଣ୍ତାଳ ଯେ ଏକ ନୁହଇ ଅନ୍ତର ।
ଭୋଜନ କରିଲେ ଦେବ ନୁହଇ ଅଇଁଠା ।
ମଦ୍ୟ ମାଂସ ଏକତ୍ରରେ କରନ୍ତି ଯେ ଲଟା ।
ଅନୁକ୍ଷଣେ ଏଠାବାସୀ ରମଣ କରନ୍ତି ।
କେଉଁ ଥିରେ ସେମାନଙ୍କ ନ ଥାଇ ଯେ ଭ୍ରାନ୍ତି ।
ସେହି ହେତୁ ଏ ସ୍ଥାନରେ ଯାଗ ଯେ ନ ହେଲା ।
ଅମୋକ୍ଷ ହୋଇଣ ଏହି ସ୍ଥାନ ଯେ ରହିଲା ।
ତାହା ଶୁଣି ଯୁଧିଷ୍ଠିର ବୋଲନ୍ତି ଏ ବାଣୀ ।
ସେହି ସ୍ଥାନେ କେଉଁ ପରି ଯିବା ଆମ୍ଭେ ପୁଣି ।
ସେହି ସ୍ଥାନେ ଗଲେ ନିଶ୍ଚେଁ ହେବ ମହା ଦୋଷ ।
ଏହା କ‌ହି ଡାକିଲେ ସେ ଭୀମ ଫେରି ଆସ ।
ନିସ ଫୁଲାଇଣ ଭୀମ ବୁଲାଏ ଲଉଡ଼ି ।
ଆସ ତୁମ୍ଭେ ତାହାକୁ ମୁଁ ମାରିବି କଚାଡି ।
ତ‌ହୁଁ ହସି ଯୁଧିଷ୍ଠିର କ‌ହ‌ନ୍ତି ବଚନ ।
ଲେଉଟି ଆସିବ କେଉଁ ପରି ଭୀମସେନ ।
ସ‌ହଦେବ ଅର୍ଜୁନ ହେ ଯାଅ ଏହିକ୍ଷଣି ।
ଗାଢେ ଧରି ଭୀମ‌କୁ ଯେ ଘେନିଆସ ପୁଣି ।