ପୃଷ୍ଠା:Typical selections from Oriya literature.pdf/୩୭୪

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୩୬
ଓଡ଼ିଆ ସାହିତ୍ୟ-ପରିଚୟ

କରେ କାଠତାଳି ପତରକାହାଳି ବେଣୁ ବଇଁଶୀ ଶିଙ୍ଗା ବାଜେ ।
ମଥୁରାଭୁବନ କି ଭାଗ୍ୟ କରିଛି ଆଜ ଦେଖିବ ଦେବରାଜେ ।
ରୋହିଣୀ ନନ୍ଦନ ହୋଇଲେ ଆଗର ।
ଧୀରେ ଧୀରେ ବିଜେ ପ୍ରଭୁ ଦେବରାଜେ ମେଦିନୀ ଦିଶୁଛି ସୁନ୍ଦର ।
ଶିରେ ଭୁଜଙ୍ଗଭୁକପୁଚ୍ଛ ଶୋହିଛି ନିନ୍ଦଇ ଇନ୍ଦ୍ରଶରାସନ ।
ଅଳକାପନ୍ତି ବାଳଅଳି ଗଞ୍ଜଇ ଦେଖି କେ ନୋହିବ ଉଚ୍ଛନ୍ନ ।
ଭ୍ରୁଲତା କି ଅବା ମଦନ କୋଦଣ୍ତ ।
ମନସିଜ କର ଆଦରଶ ପ୍ରାୟ ଶୋଭାପାଉଛି ବେନି ଗଣ୍ତ ।
ତିଳଫୁଲ ନାସା ଦକ୍ଷିଣ ପୁଡ଼ାରେ ଶୋହିଛି ବର୍ତ୍ତୁଳ ମୁକୁତା ।
କଳାକର କୋଳେ କି ଅବା ନିଶ୍ଚଳେ ଉଦେ ହୋଇଅଛି ସବିତା ।
କର୍ଣ୍ଣରେ କୁଣ୍ତଳ କିଏ ମାରତଣ୍ତ ।
ଅଞ୍ଜନଲତାକୁ ଗୁଣ କରିଅଛି କିବା ନୟନ ପଞ୍ଚକାଣ୍ତ ।
ପଦ୍ମଲପନ‌କୁ ଉଦ୍ଧରି ଧରିଛି ଅଧର ରକତ ମନ୍ଦାର ।
କୁଳବତୀ ଦେଖି ଚେତା ହରାଇବେ ଘୋଟିବ ମଦନଅନ୍ଧାର ।
କଣ୍ଠରେ ମୁକୁତା ମାଳଆ ଝଟକନ୍ତି ।
ମତ୍ତଦନ୍ତୀ ଶୁଣ୍ତ ଜାଣିଭୁଜଦଣ୍ତ ଆଜାନୁ ବଳି ଦିଶୁଛନ୍ତି ।
କଟିପ୍ରଦେଶରେ କନ‌କବସନ ଅନେକ ବିଜୁଳୀ ଗଞ୍ଜଇ ।
ଓଡ଼ିଆଣି ଠାଣି ମନ ନିଏ କିଣି ଜାନୁ ରମ୍ଭା ଠାଣି ଜିଣଇ ।
ଚରଣ ଯୁଗରେ ଅପୂର୍ବ ମଞ୍ଜରୀ ।
ଧୀରଗମନ‌କୁ ମଧୁର ନିସ୍ୱନ କରଇ ଜନମନ ଚୋରି ।
ଏହି ପ୍ରକାରେ ଶୋଭାବନ ଦିଶନ୍ତି ରାମ କ‌ହ୍ନାଇ ଗୋପାଳାଦି ।
ସଙ୍ଗେ ଦେବବୃନ୍ଦ ଘେନି କି ମେଦନୀ ମଣ୍ତି ଆସଇ ଜମ୍ବଭେଦୀ ।
କି ଅବା ବିଜୟେ ମଦନରାଜନ ।
ଦେଖି ନୟନ ମନ ବଶ ହେଉଛି ଶୋଭା ଦିଶେ ମଧୁ ଭୁବନ ।
ମଥୁରା ଗଡ଼ ଦ୍ୱାରେ ଯାଇ ହୋଇଲେ ଦେଖିଲେ ଅପୂର୍ବ ପାଚେରୀ ।
ଲୁହାର କିଳଣି ତମ୍ବାର କବାଟ ଜଗି ରହିଛନ୍ତି ପାହାରୀ ।
ସଦନ ଉପରେ ଉଡ଼ଇ ପତାକା ।
ନର ଅସୁର ଅମରଗଣ ଖଣ୍ତଦୂରୁଁ ଦେଖି ହେବେ ତାଟକା ।
ଦ୍ୱାର ଦେଖି ତାମରସବଦନୀୟ କରନ୍ତି ବ‌ହୁତ ପ୍ରଶଂସା ।
ଧନ୍ୟ ମାମୁ କଂସ କେତେ ତପ କରି ଏ ପୁରେ କରିଅଛୁ ବସା ।
ଯେସନେ କନ‌କ ପଞ୍ଜରୀ ଭିତର ।
କାକ ରଖିଥାଇ ପୟପାନ ଦେଇ ସେ ନିକି ଜାଣେ ସୁଖ ତାର ।
ନାନାପ୍ରକାରେ ବିଚାର କରୁ ଥାଇ କେମନ୍ତେ ଯିବ ସେ ପଳାଇ ।
ସେହିରୂପେ ମଧୁନ‌ଗର ଏ ନରବର କଂସକୁ ନ ରୁଚଇ ।