ପୃଷ୍ଠା:Typical selections from Oriya literature.pdf/୩୮୫

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୪୭
ଓଡ଼ିଆ ସାହିତ୍ୟ-ପରିଚୟ

ଯାଦବ ସର୍ବ ନାଶ କର ।
ରାମ କୃଷ୍ଣ ଦୁଇ ଭାଇଙ୍କି ସ୍ୱହାତେ ମୁହିଁ ପେଶିବି ଯମ‌ପୁର ।
ଏହା ଶୁଣି ହରି ଧାଇଁଲେ କେଶରୀ ଯେସନେ ଧରଇ ଗଜକୁ ।
କିବା ଖଗବର ଫଣୀକି ଗ୍ରାସିଲା ଫଣୀ ଗ୍ରାସିଲା କି ବେଙ୍ଗକୁ । ତେମନ୍ତ ।
ପରାୟେ ଝାମ୍ପିଲେ ମୋହ‌ନ ।
ମଞ୍ଚାରେ ଉଠିଲେ ଦେଖି କଂସ ବୀର କୃପାଣ ଧଇଲା ବ‌ହ‌ନ ।
ଚାହିଁ ପୀତବାସ ବାମକରେ କେଶ ଧଇଲେ ହୋଇ କୋପମୂର୍ତ୍ତି ।
ଦଇତ ଦଇତ୍ୟାରିମୁଖ ଅନାଇ ଜୀବନ ଛାଡ଼ିଲା ତଡ଼ତି । ନିର୍ବ୍ଦାଣ ।
ମୁକତିପଥରେ ପଶିଲା ।
ଅଶେଷ ଜନ୍ମର କଳୁଷ ଯେତେକ ଗୋବିନ୍ଦ ଦର୍ଶନେ ନାଶିଲା ।
କଂସର କେଶ ଧରି ବ୍ରଜସୁନ୍ଦର ଡ଼େଇଁଲେ କେଶରୀ ପରିରେ ।
ତଳେ ପଡ଼ିଲେ କଂସକୁ ତଳକରି ଶାମଳ କି ବକଉପର । ଯତନେ ।
ବୋଲନ୍ତି ଜଗତଜୀବନ ।
ଛାଡ଼ ଛାଡ଼ ମାମୁ ଉଚିତ ନୁହଇ ମୁଁ ତୁମ୍ଭ ଭଗିନୀ ନନ୍ଦନ ।
ଛାଡ଼ି ତା ବାଳ ନାଚନ୍ତି ନନ୍ଦବାଳ ସଙ୍ଗରେ ଗୋପାଳଶାବକ ।
କୁସୁମ ବରଷି ଜୟ ଜୟ ଭାଷି ଆନନ୍ଦ ହେଲେ ତିନିଲୋକ । ଗନ୍ଧର୍ବେ ।
ଗାଇଲେ ନାଚିଲେ କିନ୍ନର ।
ବୈଶ୍ୱାନର ଶିଖାମାନ ପ୍ରକାଶିଲା ସଧୀରେ ବ‌ହିଲା ସମୀର ।
ବିଦ୍ୟାଧରକୁଳ ହରଷ ହୋଇଲେ ସ୍ତୁତି କରଇ ବେଦବର ।
ବସୁମତୀ ମତି ଯାହା ହେଉଅଛି ତାହା ଜାଣନ୍ତି ଗଦାଧର । ବରୁଣ ।
ଅରୁଣ କୁବେର ଶଶାଙ୍କ ।
ଅତି ଆନନ୍ଦରେ ନିମଗ୍ନ ହୋଇଲେ ଶଙ୍କା ଛାଡ଼ି ହେଲେ ନିଃଶଙ୍କ ।
କୃତ୍ତିବାସ ରଙ୍ଗେ ତାଣ୍ତବ କରନ୍ତି ସରିଲା ଯହୁଁ ଦୁଃଖଭାର ।
ଅଙ୍ଗ ଉଲ୍ଲସାଇ କୁଳିଶଧାରଣ ମୁଖ କଲା ପଦ୍ମଆକାର । ଗୋବିନ୍ଦ ।
ରଖିଲେ ସକଳ ଅମର ।
ବୋଲଇ ଭକତଚରଣ ଅଶେଷ ଜନ‌ଙ୍କ ସମ୍ପଦସାଗର ।

ଷଡ଼ବିଂଶ ଛାନ୍ଦ
ରାଗ-କଳଶା

ଉଦ୍ଧବଦର୍ଶନେ ଗୋପୀଙ୍କ ବିଚାର ଓ ତାଙ୍କଠାରୁ କୃଷ୍ଣକଥା ଶ୍ରବଣ
ଏଥୁ ଅନନ୍ତରେ ଗୋପୀ ଦେଖିଲେ ଉଦ୍ଧବ ।
ଚିହ୍ନିଲେ ନୁହ‌ନ୍ତି ପ୍ରାଣଈଶ୍ୱର ମାଧବ ।