ବୁଡ଼ିଲେ ଦୁଃଖସାଗରେ ହରାଇଲେ ଜ୍ଞାନ ।
ଅମାବାସ୍ୟାନିଶି ଦେଖି ଚକୋର ଯେସନ ।
କେ ବୋଲଇ ଦେଖ ସଖି କର୍ମର ଭବିଷ୍ୟ ।
ପିୟୁଷ ବିଚାରିଥିଲୁଁ ବଦଳିଲା ବିଷ ।
କି ବୁଦ୍ଧି କରିବା ନ ଦିଶଇ ଦଶଦିଶ ।
ଭଗ୍ନଗୃହକୁ ପ୍ରହାର କଲା ଅଣଞ୍ଚାଶ ।
ଶୁଖିଲା ସମିଧ ପ୍ରାୟ ତନୁ ହୋଇଥିଲା ।
ଉଦ୍ଧବ ତହିଁକି ଅଗ୍ନି ପରାୟ ହୋଇଲା ।
ଦଇବବିଗ୍ରହ ନନ୍ଦନନ୍ଦନ ସଲିଳ ।
ସେ ଆଗିଲେ ଲିଭିଯିବ ନଇଲେ ପ୍ରବଳ ।
ଏହା ଶୁଣି ବୋଇଲା ଆରତେ ନିତମ୍ବିନୀ ।
ଏମନ୍ତ କହିଲୁ କିଂକେ ହାଟକ-ଅଙ୍ଗିନୀ ।
ଲଲାଟପଟରେ ଯାହା ଲିହିଛି ବିରଞ୍ଚ ।
କେ କରିବ ଆନ ତାହା ଉପାୟ କାହିଁଛି ।
ସେହି ଅନୁକ୍ରମେ ଦ୍ରୋଣଘନ ଉଠାଇଲା ।
ନୀର ନ ଦେଇ ଅଶନି ନିଠାଇ ମାଇଲା ।
ପଡି ଚୂର ହେଲା ଆମ୍ଭ ମନମହୀରୁହ ।
ଏତେ ଭାଷି ମଦାଳସୀ ଆରମ୍ଭିଲା କୋହ ।
ଆର ପ୍ରେମଶୀଳା ବୋଲେ ଶୁଣରେ ଲଳନା ।
ଘୃତ ଛଣା ସଜଳସ ଅଗ୍ନିରେ ଜାଳ ନା ।
ନ ପକାଅ କୁବୁଜାଙ୍କ ପ୍ରାଣପତି କଥା ।
ଏତେ କହି କ୍ରୋଧେ ସେ ମହୀକି କଲା ମଥା ।
ଏମନ୍ତ ଦେଖିଲା ଯହୁଁ ଆର ଖଞ୍ଜନାକ୍ଷୀ ।
ଉଦ୍ଧବଙ୍କୁ ଅନାଇଁ ସେ କହେ ହୋଇ ଦୁଃଖୀ ।
ବିଧାତା କି କଲା ଧନ ଦେଖାଇ ହରିଲା ।
ମୃଗତୃଷ୍ଣା ଜଳ ପ୍ରାୟେ ଆଶାରେ ମାଇଲା ।
ଶୁଣି ତିଳୋତ୍ତମା ବୋଲେ ଶୁଣରେ ସଙ୍ଗାତ ।
ଏକଥା ହୋଇଲା ଗଜ ଗିଳିଲା କପିଥ ।
ସେ ଯେହ୍ନେ ଶୂନ୍ୟ ଉଦର ବାହାରକୁ ତୋରା ।
ତୃଷାର୍ତ୍ତିକି ତୁଛାକୁମ୍ଭ ଦେଲା ପ୍ରାୟ ହେଲା ।
ସରଳାଙ୍ଗୀ ବୋଲେ ଆଗୋ କହୁଛି ଶୁଣିମା ।
ଭଗ୍ନ ବୃକ୍ଷ ପ୍ରାୟ କଥା ମନକୁ ଆଣିମା ।
ହୃଦୟ ଶୀତଳ ଅଙ୍ଗ ଶୋଭା ଦିଶୁଥିଲା ।
ଫଳିବା ବେଳକୁ ମୁଖ ତଳକୁ ହୋଇଲା ।
ପୃଷ୍ଠା:Typical selections from Oriya literature.pdf/୩୮୬
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୪୮
ଓଡ଼ିଆ ସାହିତ୍ୟ-ପରିଚ୍ୟୟ