କେବଳ ଆକାଶ ପରାୟେ ପ୍ରକାଶ ନୟନେ ମାତ୍ର ଦେଖିବାକୁ ।
କେ କେଉଁ ବେଶେ ଗମନ କରନ୍ତି ସେ ନୂଆ ସେ କବି ଲେଖିବାକୁ ।
କିଅବା, ବୋଲିବା ସ୍ୱର୍ଗଅପସରା ।
କ୍ରୀଡ଼ା ଅର୍ଥରେ ନନ୍ଦନକୁ ଗମନ୍ତି ତାଙ୍କର କାହିଁ ଏଡ଼େ ତୋରା ।
କବି କଳ୍ପିବାରେ ତୁଳେ ତୁଳିବାରେ ତୁଳାପ୍ରାଏ ହେଲେ ଉଶ୍ୱାସ ।
କଳାକେ ସମାନ ନୋହି ନୃତ୍ୟ ଗାନ କରି ସ୍ୱର୍ଗେ କଲେ ନିବାସ ।
କେମନ୍ତେ, ବୋଲିବା ତାହାଙ୍କ ପରାୟେ ।
କୃତାର୍ଥ ହୋଇଛି ରମ୍ଭାପରା ନାରୀ ଯାହାଙ୍କ ଜାନୁ ଉପମାଏ ।
କିଛି ପ୍ରତିଆସ ଥିବାରୁ ସୁରେଶ-ଆସନ ହେଲା ଗଜରାୟେ ।
କଳହଂସ ଏହି କାରଣରୁ ବିହିବାହାନ ହୋଇ ପୂଜା ପାଏ ।
କେତେହେଁ, ଥିବାରୁ ଚନ୍ଦ୍ରେ ମୁଖଅଂଶ ।
କପର୍ଦ୍ଦୀ କରେ ଧରି ଡ଼ାକି ନାଚନ୍ତି ମସ୍ତକେ କରି ଅବତଂଶ ।
କୁଚ ସଦୃଶରୁ ଦେବତାଏ ମେରୁପର୍ବତ କଲେ ନିକେତନ ।
କଣ୍ଠକୁ ଅନାଇଁ ମହାତୋଷ ହୋଇ ବିଷ୍ଣୁ ବହିଲେ ପାଞ୍ଚଜନ୍ୟ ।
କାହିଁକି, ଦେବେ କରନ୍ତି ସୁଧାପାନ ।
କୁଟିଳକେଶୀ ଚଟୁଳବେଶୀ ଗୋପୀକଥାକୁ କାହୁଁ ସେ ସମାନ ।
କାହିଁ ପାଇଁ ଅଙ୍ଗେ ମଣ୍ତି ହୁଅନ୍ତି ସେ ପାରିଜାତକକୁସୁମକୁ ।
କେତେ ତପ କରି ପାଇଁଚି ଯହୁଁ ସେ ମନୋହରହାସ ସମକୁ ।
କାନ୍ତିକି, ସମାନ ନୋହେ କ୍ଷଣକାନ୍ତି ।
କାଦମ୍ବିନୀକୋଳେ ଥାଇଁ ସେ ଚଞ୍ଚଳେ ଦେଖାଇଁ ନ ଦେଖାଇ ଜ୍ୟୋତି ।
କଳଧଉତ ଅନେକ ଲାଜ ପାଇଁ ଅନଳେ ଅଙ୍ଗକୁ ଦହିଲା ।
କି ବିଚାରି ପୁଣି ଅମରଧରଣୀଧରେ ନଦୀ ହୋଇ ବହିଲା ।
କରଜ, ସମାନ ନୋହି ତାରାଗଣ ।
କଲେ ଶୂନ୍ୟଗତି ଦିବସରେ ଜ୍ୟୋତି ନ ଦେଖାଇ ଲାଜ ପାଇଣ ।
କହିଲି ଯେତେକ ସ୍ୱର୍ଗବାସୀଯାକ ତୁଳରେ ସମସ୍ତେ ଉଶ୍ୱାସ ।
କୃଷ୍ଣପ୍ରିୟତମା ଗୋପୀଙ୍କ ଉପମା କଲେ ହୋଇବ କେଉଁ ଯଶ ।
କେବଳ, କବିତା ବନିତା ବ୍ରତତୀ ।
କରିଅଛି ବିହି ବିରଚିତ କେହି ଆଶ୍ରେ ନ ଥିଲେ ନ ବର୍ତ୍ତନ୍ତି ।
କନକବଲ୍ଲରୀ ଫଳ ଫୁଲ ଧରି ଚଳନ୍ତେ ଯେମନ୍ତ ବିଚିତ୍ର ।
କାମକଳାବତୀ ଗୋପୀ ସେହିମତି ଚାଲନ୍ତେ ମୋହେ ମନ ନେତ୍ର ।
କ୍ରମେ ସେ, ବୃନ୍ଦାବନେ ହୋଇ ପ୍ରବେଶ ।
କଲେ ସେ ଶ୍ରବଣ ନାନା ପକ୍ଷିଗଣନାଦେ ପୂରିଛି ଦଶଦିଶ ।
କାଳିନ୍ଦୀ-ଶୀତଳ ପୁଷ୍ପପରିମଳ ଘେନି ବହେ ମନ୍ଦପବନ ।
କୁରଙ୍ଗମଦ ସଉରଭ କରନ୍ତେ ବଢ଼େ କନ୍ଦର୍ପ ଉବ୍ଦୀପନ ।
ପୃଷ୍ଠା:Typical selections from Oriya literature.pdf/୪୩୪
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୯୬
ଓଡ଼ିଆ ସାହିତ୍ୟ-ପରିଚୟ