କୃକ ବାସ କାକ ଚକ୍ରବାକ ଡ଼ାକ ଶୁଭିଲା ଚାରିଆଡ଼ରେ ।
କେଉଁ ରସନିଧି ବିରହେ ଅବଧି ଗାର କାଟିଲା ବାଡ଼ରେ ।
କମ୍ବୁ କଟକରେ ନୀଳାଦ୍ରି ନଗରେ ପାହାନ୍ତି ଶଙ୍ଖ ବାଜିଲା ।
କମ୍ବୁ ଚକ୍ରଧର ଦେବରାଜାଙ୍କର ନିଦ୍ରା ତୁରିତେ ଭାଜିଲା ।
କନକ ପଲ୍ୟଙ୍କ କମଳାଙ୍କ ଅଙ୍କ ତେଜି ସିହାସନେ ବିଜେ ।
କବାଟ ଫିଟାଇ ତୋରା ହୋଇ ଯାଇଁ ଖଟିଲେ ସେବକଦ୍ୱିଜେ ।
କୁସୁମମାଳକୁ ପକାଇ ତଳକୁ ତଡ଼ପ ଲାଗି ହୋଇଲେ ।
କାଠିଲାଗି ପାଇଁ ଚଉକିରେ ଯାଇ ତୁରିତେ ବିଜୟ କଲେ ।
କରି ତ୍ରିଫଳଜଳେ ମୁଖ ପଖାଳ କାଠିଲାଗି ସ୍ନାନ ସାରି ।
କମନୀୟ ବାସ ଲାଗିହୋଇ ବେଶ ହେଲେ ନୀଳାଦ୍ରିକେଶରୀ ।
କରେ କଚଟୀ ବାହୁଟୀ ମଧ୍ୟଦେଶେ ରତ୍ନ ଓଡ଼ିଆଣି ଶୋହେ ।
କଣ୍ଠରେ ଶାର୍ଦ୍ଦୂଳନଖ କଣ୍ଠିମାଳ ଜଗଜ୍ଜନ ମନ ମୋହେ ।
କର୍ଣ୍ଣରେ କୁଣ୍ତଳ ଶିରେ ଦିବ୍ୟଚୂଳ ହୃଦରେ କୁସୁମମାଳ ।
କରିଛି ଦର୍ଶନ ତାହା ଯେଉଁ ଜନ ଜନ୍ମ ତାହାର ସଫଳ ।
କୋଟି ବ୍ରହ୍ମାଣ୍ତରେ ଏମନ୍ତ ଠାକୁର ଥିବାର ଶୁଣିଛ କାହିଁ ।
କିଞ୍ଚିତ ଲୋକହିଁ ପରମ ପଦହିଁ ଲଭନ୍ତି ଯାହାକୁ ଚାହିଁ ।
କଳାପର୍ବତରେ ବିଜୟ ସଧୀରେ କରୁଣାହୃଦୟ ହୋଇ ।
କଳ୍ମସୀ ଲୋକଙ୍କୁ କଳମସପଙ୍କୁ ଉଦ୍ଧାର କରିବା ପାଇଁ ।
କଥା ନ କହନ୍ତି ଜଗତ ମୋହନ୍ତି ସବୁଠାରେ ସମଚାହାଁ ।
କାଳଦଣ୍ତଭୟ କରିବାକୁ କ୍ଷୟ ନିରନ୍ତରେ ଊର୍ଦ୍ଧ୍ୱବାହା ।
କରନ୍ତି ମଣୋହି ଯେଉଁ ଦ୍ରବ୍ୟ ତହିଁ ମହିମା ଅତି ବିଚିତ୍ର ।
କୁଶକେତୁ ନେଇ ଆନନ୍ଦେ ଭକ୍ଷଇ ଥିଲେ ନୀଚକରପାତ୍ର ।
କରୁଥିଲେ ଗତି ପରିକ୍ରମା ମତି କଳହ ସ୍ତୁତି ପରାୟେ ।
କରନ୍ତେ ଆମିଷ ଆଦି ଦ୍ରବ୍ୟ ଗ୍ରାସ ହବିଷ୍ୟକର୍ମକୁ ପାଏ ।
କଲେ ନିଦ୍ରା ଯହିଁ ଦଣ୍ତପ୍ରଣାମହିଁ ଫଳ ହୁଅଇ ପ୍ରାପତ ।
କଳତ୍ରାଦିସୁତ ଘେନିକରି ଭୃତ୍ୟମାନେ ଜୀବନ ମୁକତ ।
କରିଥିଲା ଆଶ ସେ କ୍ଷେତ୍ରେ ନିବାସ କରିବାକୁ ଦୀନକୃଷ୍ଣ ।
କି ଅଭାଗ୍ୟୁଁ ତହିଁ ନ ପାରିଲା ରହି ପ୍ରଭୁ ନୋହିଲେ ସତୃଷ୍ଣ ।
କର୍ମେ ଥିଲା ଯାହା ଭୋଗକଲା ତାହା କେ ତାହା କରିବ ଆନ ।
କରମକରତା କଇବଲ୍ୟଦାତା ଯେବେ ନୋହିଲେ ପ୍ରସନ୍ନ ।
କଣ୍ଠରେ ଭୂଷଣ କରି ତାଙ୍କ ଗୁଣ ଗାଉଥାଇଁ ନାମମାନ ।
କୃପଣ ଗୁଆଁର କୁବୁଦ୍ଧିକି ଦାନ ମାଗି ପାଉଥାଇ ମାନ ।
କରେ ଚିନ୍ତାମଣି ପାଇଁ କରି ଆଣି ନ ରହିଲା ମୋର କିଛି ।
କରଇ ବିଚାର କେତେବେଳେ ଛାରଜୀବନ କାହିଁକି ଅଛି ।
ପୃଷ୍ଠା:Typical selections from Oriya literature.pdf/୪୫୦
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୧୨
ଓଡ଼ିଆ ସାହିତ୍ୟ-ପରିଚୟ