ପୃଷ୍ଠା:Typical selections from Oriya literature.pdf/୪୮୦

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୪୨
ଓଡ଼ିଆ ସାହିତ୍ୟ-ପରିଚୟ

ନାମରୁ ପ୍ରଣବ ସମ୍ଭୂତ । ପ୍ରଣବୁଁ ଚାରି ବେଦ ଜାତ ।
ଶ୍ରୁତି ଯେ ମାତା ରୂପ ଧରି । ଅଠର ପୁତ୍ର ଜାତ କରି ।
ଷଡ଼ ଦୁହିତା କଲେ ଜାତ । ଏ ରୂପେ ବଂଶ ଅପ୍ରମିତ ।
ସଚ୍ଚିଦାନନ୍ଦ ଭଗବାନ । ନାମ ପରମ ବ୍ରହ୍ମଜ୍ଞାନ ।
ମାତା ଯେ ବୋଇଲେ ଏମତ । ପୁତ୍ରଙ୍କ ବାକ୍ୟେ ମନମତ ।
ପ୍ରଣାମ କରି ତାଙ୍କ ମତେ । ସେମତ ବଂଶାନୁ ଚରିତେ ।
ଏଣୁ ଯେ ଭଜେ କୃଷ୍ଣନାମ । ସର୍ବସମ୍ମତେ ସେ ଉତ୍ତମ ।
ଯେ ସୁରନର ନାଗଭାଷା । ବିବିଧ ବାକ୍ୟ ଦେଶଭୁଷା ।
କୃଷ୍ଣ-ମହିମା ଯ‌ହିଁ ଶୁଣି । ସେ ସର୍ବବାକ୍ୟରେ ମୂର୍ଦ୍ଧନି ।
ଯେବେ ନ ଥାଇ କୃଷ୍ଣରସ । ସେ ସଂସ୍କୃତେ ବା କାର୍ଯ୍ୟକିସ ।
ପାଟ ବସନେ ଗୁଞ୍ଜଫଳ । ସେ ଯେ ନୁହଇ ବ‌ହୁମୂଲ୍ୟ ।
ଚୀରାକନାରେ ମୋତିବର । ମୂଲ୍ୟ ଯେ ନ ତୁଟେ ତାହାର ।
ସୁରଭାଷାହିଁ ରସମୟେ । ସେ ନାରିକେଳ ଫଳ ପ୍ରାୟେ ।
କ୍ଳେଶେ ହୁଅଇ ରସଭୋଗ । ସବୁଙ୍କୁ ନୋହେ ଉପ‌ଯୋଗ ।
ଭାଷା ସୁପକ୍ୱ ରମ୍ଭାପ୍ରାୟେ । କୋମଳ ସ୍ୱାଦୁ ରସମୟେ ।
ଅକ୍ଳେଶେ କରି ତାକୁ ଭୋଗ । ସବୁଙ୍କୁ ନୋହେ ଉପ‌ଯୋଗ ।
କି ପରାକୃତ କି ସଂସ୍କୃତ । ସେ ଭାବଗ୍ରାହୀ ନନ୍ଦସୁତ ।
ଗାଳି ଗୁଣଇଁ ଗୋପୀମୁଖେ । ବେଦ ନ ଶୁଣେ ତେଡ଼େ ସୁଖେ ।
ଏ ଭାବ ମନରେ ବିଚାରି । ଭାଷାକୁ ଅବଜ୍ଞା ନ କରି ।
ସୁଜନେ ଶୁଣ ଦେଇ ଚିତ୍ତ । ନିର୍ମଳ ଗୋବିନ୍ଦ ଚରିତ ।
ଯେସନେ ଗଉରୀନାୟକ । ହସ୍ତରେ ଧରି ଫଳ ଏକ ।
ସୁନ୍ଦର ସୁଗନ୍ଧ ସୁମ୍ବାଦ । ଦଶନେ ବଢ଼ଇ ଆନନ୍ଦ ।
କୋଳରେ ଛନ୍ତି ଗଣନାଥ । ଅମୃତଫଳ ଘେନି ହସ୍ତ ।
କାର୍ତ୍ତିକ ବିଚାରନ୍ତି ମନେ । ଏ ମୂଢ଼ କେଉଁବଢ଼ ପଣେ ।
ବିଅର୍ଥେ ମୋତେ ବୁଲାଇଲା । ଅମୃତଫଳ ତାକୁ ଦେଲା ।
ମତେ କରାଇ ଅପମାନ । କୋଳରେ ଧରିଛି ନନ୍ଦନ ।
ଏକ୍ଷଣି ଯୁଦ୍ଧ ଆରମ୍ଭିଲେ । ପଳାଇ ପଶିବ ପାତାଳେ ।
ପିତାହିଁ ତାର ପାଶେ ହେଉ । ଯେ ରୁଦ୍ରଗଣେ ଛନ୍ତି ଆଉ ।
ସାକ୍ଷୀସ୍ୱରୂପେ ଦେଖୁ ମାତା । ମୋତୁଲେ ଯୁଦ୍ଧ କରୁ ପିତା ।
ଯୁଦ୍ଧେ ଜିଣିଲେ ଫଳ ନେଉ । ନୋହିଲେ ମତେ ଫଳ ଦେଉ ।
ନିଶ୍ଚେ କରିବି ଆଜ ରଣ । ମୁଁ ଯେ ନ ସ‌ହେ ଅପମାନ ।
ଏମନ୍ତେ ବିଚାରି କୁମାର । ହୃଦେ ବସିଲା ଅହ‌ଙ୍କାର ।
ରୋଷେ କମ୍ପଇ ତାର ଦେହ । ଗଦ୍ଗଦ ହୋଇ ଉଠେ କୋହ ।