ପୃଷ୍ଠା:Typical selections from Oriya literature.pdf/୫୪

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୮
ଓଡ଼ିଆ ସାହିତ୍ୟ-ପରିଚୟ

ସାନ ବେଳହୁଁ ମାୟା ଅଗୋଚର ।
ତାର ପାପ ପୁଣ୍ୟକୁ ନାହିଁ ଡ଼ର ।
ଜୀଉଁ ଜୀଉଁ ଯେ ଆମ୍ଭଙ୍କୁ ଲେଛିଲା ।
ଆମ୍ଭେ ମଲେ ହିଁ ତାର କିସ ଗଲା ।
ଏକ ଗୋପୀଏ ବୋଲେ ଆଗସରି ।
ବୁଦ୍ଧି ହରାଇ ମରୁଅଛି ଝୁରି ।
ଆମ୍ଭେ ପୂର୍ବେ କରିଅଛୁଁ ପାତକ ।
ଗୋରୁ ବ୍ରାହ୍ମଣ ମାରିଛୁ ଅନେକ ।
କାର ଭର୍ତ୍ତା ଛଡ଼ାଇ ଦୂର କଲୁଁ ।
ଭୋଗୀ ଭୂଞ୍ଜିଲା ଅନ୍ନ ଫିଙ୍ଗି ଦେଲୁଁ ।
ଆମ୍ଭେ ବଡ଼ ଅଭାଗୀ ଗୋପନାରୀ ।
ତେଣୁ ଉପେକ୍ଷି ଗଲେ ନରହରି ।
ସଖି ଅଛିଟିକି ତୁମ୍ଭ ମନର ।
ଦିନେ ଯାହା କଲେ କୁଞ୍ଜବନର ।
ନିଶାକାଳେ ମୁରଲୀ ବଜାଇଲେ ।
ସବୁ ଗୋପୀଙ୍କି ବାଇ କରାଇଲେ ।
ଯେତେ ରଙ୍ଗ କଲେ କୁଞ୍ଜବନର ।
ବୃନ୍ଦାବତୀ ଘେନି ହେଲେ ଅନ୍ତର ।
ପାଦପଦ୍ମ ଚିହ୍ନି ଭେଟ ପାଇଲୁଁ ।
ତାଙ୍କ ଅଧରୁ ଅମୃତ ଖାଇଲୁଁ ।
ଛାଡ଼ ନ ଯାଇ ମନରୁ ସେ କଥା ।
କୁନ୍ତ ମାଇଲେ ଯେହ୍ନେ ଥାଇ ବ୍ୟଥା ।
ଏକ ଗୋପୀଏ ବୋଇଲା ନ ଭାଳ ।
ଆମ୍ଭ ହୃଦୟ ଦୁଃଖ ଅସମ୍ଭାଳ ।
ମନେ ବିଚାରି ଗୋପୀଏ ବୋଇଲା ।
ସେ ଗୋ ନ ପୋଷି ଆମ୍ଭଙ୍କୁ ନାଶିଲା ।
ଯାହା ସଙ୍ଗେ କରେ ଯେଉଁ ପୀରତି ।
ନିଶ୍ଚେ କାଳ ହୁଅଇ ସେହିମତି ।
ସେଗୋ ମରିଥିଲେ ଭଲ ହୁଅନ୍ତା ।
ଏତେ ଦୁଃଖ କିପାଁ ଦେହ ସହନ୍ତା ।
ଗଛ ଭାଜିଲା ମାଡ଼ି ନ ପଡ଼ିଲା ।
ପୋଡ଼ୁ ଶଗଡ଼ହିଁ ମାଡ଼ି ନ ଗଲା ।
ଭୂତ ଉଡ଼ାଇ ନେଇ ନ ଗିଳିଲା ।
ଅଜଗର ପେଟରୁ ନିକିଳିଲା ।