ପୃଷ୍ଠା:Typical selections from Oriya literature.pdf/୬୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୭
ଓଡ଼ିଆ ସାହିତ୍ୟ-ପରିଚୟ

କୀଟୁଁ ବ୍ରହ୍ମପରିଯନ୍ତେ ତୋହର ଯେ କେଳି ।
ଭୟ ନ କରିଣ ମୁହିଁ ନିର୍ଭୟେ ଭଜିଲି ॥
ଶାସ୍ତ୍ର ପୁରାଣ ଶୁଣିଲି ମୁହିଁ ବିପ୍ରମୁଖେ ।
ତେଣୁ ସେବାକରେ ତୋ ଚରଣ ଆତ୍ମସୁଖେ ॥
ତୋହର ସୁଦୟା ଯେ ହୋଇଲେ ଦେବଗଣେ ।
ତୋତେ ଆଶ୍ରେ କରି ଯେ ଅଛନ୍ତି ସର୍ବଜନେ ॥
ଯେ ତୋହର ସୁଦୟାରୁ କିଛି ଅଛି ପାଇ ।
ବ୍ରହ୍ମାଣ୍ଡଭିତରେ ତାକୁ ସମ ଅଛି କାହିଁ ॥
ଜୟ ଭୂତଆତ୍ମା ତୁ ଯେ ସର୍ବ ଶାସ୍ତ୍ରାର୍ଥକ ।
କଉସ୍ତୁଭ ମଣି ତୋର ଗଳାର ଆଲୋକ ॥
ମୁହିଁ ବଳରାମ ଦାସ ତୁମ୍ଭର ସେବକ ।
କରୁଣା ବଦନେ ମୋତେ କର ଅବଲୋକ ॥
ରାମନାମ ବହି ଛେଦିବଇଁ କାଳଫାଶି ।
ସପତମ ଅବତାର ହେବେ ଗୋପବାସୀ ।
ରାବଣ ଦର୍ପ ଧ୍ବଂସିବେ ସେ ଯେ ରାମସ୍ୱାମୀ ।
ଯାହାପୁଣି ବଖାଣିଲେ ବାଲମିକ ମୁନି ॥
ତାହା ସୁମରି ଛେଦିବି ମୁଁ ଯେ କାଳଫାଶି ।
କରସି କରୁଣା ମୋତେ ନୀଳଗିରିବାସୀ ॥
ଶୁଣି ସୁପ୍ରସନ୍ନ ମୋତେ ହେଲେ ଜଗନ୍ନାଥ ।
ହୃଦୟେ ପ୍ରସନ୍ନ ହେଲେ ଶଙ୍ଖ-ଚକ୍ରହସ୍ତ ॥
ଶ୍ରୀ ଜଗନ୍ନାଥଙ୍କ ଆଜ୍ଞା ଶିରରେ ମୁଁ ଧରି ।
ଗ୍ରନ୍ଥ-ବଖାଣିବା ଇଛା ଆଦିଅନ୍ତ କରି ॥
ଶୁଣିବା ହେ ସୁଜ୍ଞଜନେ ଶ୍ରୀରାମ-ମହିମା ।
ସଦାଶିବ ଛାମୁରେ ଯା ପୁଛାକଲେ ଉମା ॥
ପ୍ରସନ୍ନ ହୋଇ କହନ୍ତି ତାଙ୍କୁ ତ୍ରିପୁରାରି ।
ମୁହିଁ ତାହା ବଖାଣିବି ହୃଦରେ ବିଚାରି ॥
ନୀଳଗିରିବାସୀ ଜଗନ୍ନାଥଙ୍କ ପ୍ରସନ୍ନେ ।
କହିବା ଯେ ରାମାୟଣ ଅମୃତବଚନେ ॥
କପିଳାସ କନ୍ଦରେ ଯେ ବିଜେ ବିଶ୍ବନାଥ ।
ଏସନସମୟେ ମିଳିଲେ ଚଉମାଥ ॥
ଦେଖି କୃତକୃତ୍ୟ ହୋଇ ଦେବ ତ୍ରିପୁରାରି ।
ଉଠିଣ ବ୍ରହ୍ମାଙ୍କୁ ଶିବ କୋଳାଗ୍ରତ କରି ॥
ପ୍ରୀତିକରି ଧାତାଙ୍କୁ ସେ ବସାଇଲେ ନେଇ ।
ବ୍ରହ୍ମାଙ୍କୁ ଦେଖିଣ ହର ସମ୍ଭାଷଣ ହୋଇ ॥