ପୃଷ୍ଠା:Typical selections from Oriya literature.pdf/୬୮

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ମହାବଳବନ୍ତା ଅଟେ ସେ ନୃପତି ଜାଣ ।
ରାବଣକୁ ବାନ୍ଧି ଘରେ ଥୋଇଲା ଆପଣ ॥
ପଉଲସ୍ତି ମାଗି ନେଲେ ତା ବିକଳ ଦେଖି ।
ନାତିର ନିମନ୍ତେ ଲଜ୍ଜା ଭୟକୁ ଉପେକ୍ଷି ॥
ବାଳି ନାମେ ବାନର ଯେ କିଷ୍କିନ୍ଧାର ଥାଏ ।
ଯୁଦ୍ଧରେ ନ ପାରି ତାକୁ ମଇତ୍ରେ ବନ୍ଦାଏ ॥
ବ୍ରହ୍ମାଙ୍କର ବରେ ସେ ଜିଣିଲା ତିନିପୁର ।
ସେ ବ୍ରହ୍ମାଙ୍କୁ ସମରେ ଜିଣିଲା ନିଶାଚର ॥
ସୈନ୍ୟ ସହିତେଣ ଦିନେ ସ୍ବର୍ଗ କୁଇଁ ଗଲା ।
ଧାଡ଼ି ଦେଇଣ ଇନ୍ଦ୍ରାଦି ଦେବତା ଜିଣିଲା ॥
ପ୍ରାଣେ ନ ମାରିଣ ତାଙ୍କୁ ବୋଇଲା ଅସୁର ।
ସମସ୍ତେ ସେବା କରିବ ମୋତେ ଲଙ୍କାପୁର ॥
ରବିଚନ୍ଦ୍ର ପବନାଦି ଯମ ହୁତାଶନ ।
ତେତିଶ କୋଟି ଯେ ତୁମ୍ଭେ ଦେବ ଦେବୀମାନ ॥
ଅପସରୀ କିନ୍ନରୀ ଯେ ଗନ୍ଧର୍ବ ଚାରଣେ ।
ସମସ୍ତେ ସେବିବ ଆସି ମୋହରି ଚରଣେ ॥
ଡରେ ସବୁ ଦେବତାଏ ସନମତ କଲେ ।
ଯାର ଯଥା ଅଧିକାରେ ଲଙ୍କାରେ ସେବିଲେ ॥
ପୁତ୍ର ମେଘନାଦ ତାର ସ୍ବର୍ଗେ ଧାଡ଼ି ଦେଲା ।
ସେ ପୁତ୍ର ସଂଗ୍ରାମେ ପୁଣ ଇନ୍ଦ୍ରକୁ ବାନ୍ଧିଲା ॥
ବ୍ରହ୍ମା କହି ସେ ଇନ୍ଦ୍ରକୁ ନେଲେ ମୁକୁଳାଇ ।
ପ୍ରଶଂସି ତାହାକୁ ଇନ୍ଦ୍ରଜିତ ନାମ ଦେଇ ॥
ବିଭୀଷଣକୁ ଅମରବର ବ୍ରହ୍ମା ଦେଲେ ।
ଅସୁରକୁଳେ ତୁ ବିଷ୍ଣୁ ସେବିବୁ ବୋଇଲେ ॥
କୁମ୍ଭକର୍ଣ୍ଣ ଯହୁଁ ଦୁଷ୍ଟବୁଦ୍ଧିପଣ କଲା ।
ପୃଥ୍ବୀ ମଧ୍ୟେ ଜନ ପ୍ରଜା ସମସ୍ତ ଗିଳିଲା ॥
ଦେବେ କହିବାରେ ପିତାମହ ତା ଜାଣିଲେ ।
ସର୍ବଦା ନିଦ୍ରା ତୋ ନେତ୍ରେ ଘାରୁ ଯା ବୋଇଲେ ॥
ବରଷକେ ଥରେ ଉଠି କରିବୁ ଭୋଜନ ।
ତୋତେ କେ ଯୁଦ୍ଧେ ଜିଣି ନପାରିବେ ସେ ଦିନ ॥
ରାବଣ କର୍ଣ୍ଣରେ ଯେ କହିଲେ ମନ୍ତ୍ରସାର ।
ଛପନଗଣ୍ଡାଯୁଗ ନିଶ୍ଚିନ୍ତେ ଭୋଗ କର ॥
ଧାତାର ବଚନେ ସେ କ୍ଷତ୍ରିୟ ବୀରବର ।
ବାମଗୋଡ଼େ ଶୋହେ ଯେ ଅନର୍ଗଳ ତୋଢ଼ର ॥