ପୃଷ୍ଠା:Typical selections from Oriya literature.pdf/୮୮

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୫୨
ଓଡ଼ିଆ ସାହିତ୍ୟ-ପରିଚୟ

ଗୁଆ ନାରୀକେଳ କାହିଁ ହୋଇଛି କେଞ୍ଚୁଡି ।
ଜାଇଫଳ ଲବଙ୍ଗ ମରିଚ ଅଛି ବେଢ଼ି ।
ମାଧବୀ ଜାଈ ଜୂଈ ଦୟଣା ଚମ୍ପା ମଲ୍ଲୀ ।
ତରାଟ ତଗର ଯେ ପୁନ୍ନାଗ କୁରୁବେଲୀ ।
ନାନା ପୁଷ୍ପ ଫଳମାନ କେ କରୁ ଗଣିତା ।
ସ୍ୱର୍ଗର କି ଉପବନ ରଚିଲା ବିଧାତା ।
ଇନ୍ଦ୍ର ଉପବନ ପ୍ରାୟ ଦିଶଇ ସେ ଶୋଭା ।
ନ‌ଦୀତଟେ ଦେଶ ଗ୍ରାମ ଅତି ମନ ଲୋଭା ।
ଶମ୍ବର ହରିଣ ରୁରୁ ମୃଗ ଯୂଥ ଯୂଥ ।
ବନ ପୋରୁଅ ମଇଁଷି କେ କରିବ ଅନ୍ତ ।
ବ୍ୟାଘ୍ର ଗଣ୍ତା ସିଂହ ଯେ ଅନେକ ମତ୍ତ‌ହସ୍ତୀ ।
ଶଶା ଶାଳିଆ ଶୂକର ଅନେକ ଅଛନ୍ତି ।
ମର୍କଟଙ୍କ କୋଳାହଳ ବୃକ୍ଷ ଫଳ ଖାଇ ।
ମନୁଷ୍ୟଙ୍କୁ ଦେଖିଲେ ସେ ଆସନ୍ତି ଗୋଡ଼ାଇ ।
ପକ୍ଷୀଏ ଭାଷନ୍ତି କୋଳାହଳ ମୃଦୁବାଣୀ ।
ଶୁଣିଣ ଶ୍ରୀରାମ ଯେ ହରଷ ହୋନ୍ତି ପୁଣି ।
ମୟୂର ତିତ୍ତିରି ଯେ କୁକ୍କୁଟ ଚକ୍ରବାକ ।
ସାରସ ହଂସ କୋକିଳ କାକ ଶୁକ ବକ ।
ସରାଳି ଡାହୁକ ଯେ ଭାଷନ୍ତି ଧ୍ୱନି କରି ।
ବିବିଧ ଭାଷା ଭାଷନ୍ତି କାକତୁଆ ଶାରୀ ।
କାମ୍ୟକ ଯେ ନୀଳକଣ୍ଠ ବନଭାରତିଆ ।
ରା‌ଜ‌ହଂସ ଆବର ଅଛନ୍ତି ପାଣିକୁଆ ।
ଜାଇଫଳ ବୃକ୍ଷରେ ଯେ ବକେ ଥାନ୍ତି ବସି ।
ମନୁଷ୍ୟ ଦେଖି ତଳକୁ ପଡ଼ନ୍ତି ସେ ଖସି ।
ଉଟ ଗର୍ଦ୍ଦଭ ଭଲ୍ଲୂକ ଗଣ୍ତା ଯେ ଗୟଳ ।
ବନ‌କୁକ୍କୁଟ ମଥାରେ ଶୋହେ ରଙ୍ଗଚୂଳ ।
ଭାଷନ୍ତି ଯେ ନାନା ପକ୍ଷୀ ନାନା ଧ୍ୱନି କରି ।
ଦେଖି ଶ୍ରୀରାମ ଲକ୍ଷ୍ମଣ ମୁନିଙ୍କି ପଚାରି ।

(5)
ଧନୁର୍ଭଙ୍ଗ


ଏଥୁଅନନ୍ତରେ ତୁମ୍ଭେ ଶୁଣ ଶାକମ୍ଭରୀ ।
ରାମ ବିଜେକଲେ ଯେ ଲକ୍ଷ୍ମଣ ଭୁଜ ଧରି ।