ମଞ୍ଜୂଷା ଭିତରକୁ ଶ୍ରୀରାମ ଦେଲେ ଦୃଷ୍ଟି ।
ସିଂହ ଦେଖଇ ଯେହ୍ନେ କନ୍ଦରେ ମତ୍ତହସ୍ତୀ ।
ଧନୁ ଦେଖିଣ ଶ୍ରୀରାମ ହେଲେ ତୋଷଚିତ୍ତ ।
ଜନକକୁ ଚାହିଁଣ ବୋଲନ୍ତି ରଘୁନାଥ ।
ଭୋ ମହାମୁନି ହୋଇଲ ଯେବେ ସୁପ୍ରସନ୍ନ ।
ବାହାରକୁ କାଢ଼ି ଆଣିବଇଁ ଶରାସନ ।
ସଦାଶିବ କୋଦଣ୍ତ ଛୁଇଁଲେ ପାପ ଯାଉ ।
ହରଷଚିତ୍ତରେ ମୁନି ଆଜ୍ଞା ମୋତେ ହେଉ ।
ଶ୍ରୀରାମଙ୍କ ବଚନେ ଯେ ବୋଲଇ ଜନକ ।
ଏ କଥାକୁ କେମନ୍ତ ତୁ ମଣୁ କଉଶିକ ।
ଅକଳ ବଳ ଧନୁ ବାହାରେ ଲୋଡ଼େ ଆଣି ।
ଏଥିର ସଂଶୟ ମୁନି ଅଛ ତୁମ୍ଭେ ଜାଣି ।
ବିଶ୍ୱାମିତ୍ର ବୋଇଲେ ମୁଁ କହିବଇଁ କିସ ।
ପ୍ରତ୍ୟକ୍ଷରେ ତୁହି ଋଷି ଅଟୁ ଜ୍ଞାନଦକ୍ଷ ।
ଏ ଯେବେ ଧନୁକୁ ଦେଖିବାକୁ କଲାସଧ ।
ପାରିଲେ ସେ ଆଣୁ କିନା ନ କର ବିରୋଧ ।
ଅସଂଖ୍ୟ ଏ କଥା ଗୋଟି ବୁଝିବାନା ଦେଖି ।
ଆଣି ପାରିଲେଟି ସନା ବଳବନ୍ତ ଲେଖି ।
ବୋଲଇ ଜନକ ବିଶ୍ୱାମିତ୍ର ମୁଖ ଚାହିଁ ।
ମହାଦେବ ବିନୁ ଯେ ଛୁଁଅନ୍ତା କେହି ନାହିଁ ।
ଅନେକ ଦେଶର ଏଥେ ରାଜାମାନେ ଛନ୍ତି ।
ତୋଳି ନ ପାରିଣ ଲଜ୍ଜା ପାଇଲେ ନୃପତି ।
ଏ ବାଳକପୁଅ ଧନୁ ଧରିବ କେମନ୍ତେ ।
ମାୟା କଲେ ପରଲୋକ ଜାଣିବାନା ଏଥେ ।
ଜନକର ମୁଖରୁ ଏସନ ବାଣୀ ଶୁଣି ।
ରାଜାମାନେ ତହିଁ ଯେ ବୋଲନ୍ତି ଉଚ୍ଚ ବାଣୀ ।
ଭୋ ଜନକ କିପାଁ ତୁ ନ ବୋଲୁ ଧନୁ ଆଣ ।
ଦେଖିବା ଏହାର ବେଳେ କେଡ଼େ ବଡ଼ପଣ ।
ଭରସା ନ ଥିଲେ କି ପର୍ବତ ମୁଣ୍ତେ ବହି ।
ପୁଣ ପୁଣ ସଭାମଧ୍ୟେ ତୋଳିବି ବୋଲଇ ।
ଆମ୍ଭମାନଙ୍କର ଭାଙ୍ଗି ଆସିବା ଦେଖିଲା ।
ଭରସା ନ ଥିଲେ କି ମାନସ ବଳାଇଲା ।
ବୋଲ ତୁମ୍ଭେ ମୁନିବର ଧନୁ ଘେନି ଆସୁ ।
ବାହାରକୁ ଆଣିଣ ଯେ କୋଦଣ୍ତ ଆମଞ୍ଚୁ ।
ପୃଷ୍ଠା:Typical selections from Oriya literature.pdf/୮୯
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୫୩
ଓଡ଼ିଆ ସାହିତ୍ୟ-ପରିଚୟ