ପ୍ରଥମ ପୁରୁଷ/ଘର ବାହୁଡା
ଘର ବାହୁଡ଼ା
ଘର ଛାଡ଼ି ବାହାରିବା ବେଳେ
ପ୍ରଥମରେ ଭାବିଥିଲି ଆକାଶରୁ ନେବି କିଛି
ରଙ୍ଗ ଓ ଆଲୁଅ
ସୂର୍ଯ୍ୟରୁ ଉତ୍ତାପ କିଛି ମେଘରୁ ଚିତ୍କାର
ଅରଣ୍ୟରୁ ରୋମାଞ୍ଚ
ଓ ଶୂନ୍ୟତାରୁ ଅଭିଜ୍ଞତା କିଛି
ନ ପାଇ ଭାବିଲି ତେଣୁ
ଆକାଶରୁ ଆଶା କିଛି ନେବି
ସୂର୍ଯ୍ୟରୁ ଶପଥ ଏବଂ
ମେଘଠାରୁ ସ୍ୱପ୍ନର ସାମଗ୍ରୀ
ଶୂନ୍ୟତାରୁ ମାଗିନେବି ସାମାନ୍ୟ ବିସ୍ମୟ
ପବନ ମୋ ପାଇଁ ଦେବ
ରାସ୍ତା ପାଇଁ ସମସ୍ତ ପାଥେୟ
ହଜିଗଲା ରାସ୍ତା ମୋର
ନିରୁପାୟ ପ୍ରତ୍ୟାବର୍ତ୍ତନରେ
ଏବେ ମୁଁ ଭାବୁଛି ବସି
ଅନ୍ୟାୟ ଓ ଅବିଚାର ଅଦୃଷ୍ଟର କଥା
ଆଜି ମୋର ପାପୁଲିର ଗାରକୁ ଅନାଇ
ଗୋଟିଏ ନିରାଶା ଏବଂ
ଅନ୍ୟଟିର ମାପୁଛି ଦୂରତା
ବଞ୍ଚିବାର ସୀମାବଦ୍ଧ ଯୋଜନାରେ
ସୂର୍ଯ୍ୟ ଏବଂ ଆକାଶର ସ୍ଥାନ ନାହିଁ
ପ୍ରତୀକ ଓ ଅର୍ଥ ତାର ପଥ ଓ ପାଥେୟ
ହୋଇଗଲେ ଏକାକାର ଜୀବନର ସହଜ ସୂତ୍ରରେ
ସମୟ ଓ ବୟସ ସହିତ
ପ୍ରାତ୍ୟହିକ ଲେଖାପଢ଼ା ହେଲା ଅସୁମାରି
ଲଢ଼ିବା ଓ ହାରିବାର ମୁହୁର୍ତ୍ତ ବି ଗଲାଣି ପାଶୋରି
ଆଜି ଯଦି କେବେ କେବେ ମୁହଁସଂଜ ବେଳେ
ସେ ପୁରୁଣା ଇଚ୍ଛା ମୋର
ଉଙ୍କି ମାରେ ଅକସ୍ମାତ
ଆମେ ଦୁହେଁ ଘରକୁ ବାହୁଡ଼ି ଆସୁ
କଳା ଏବଂ ଗୋପନୀୟ ସତ୍ୟ ଭଳି
ପ୍ରିୟ ମୋର କୁକୁର ଓ ମୁଁ
ସ୍ୱସ୍ତିର ନିଶ୍ୱାସ ନେଇ କବାଟ ମୁଁ ଖୋଲେ
ହାଇ ମାରି ଅନାସକ୍ତ ସମ୍ମତିରେ
କୁକୁର ତା ମୁହଁକୁ ହଲାଏ