ପ୍ରଥମ ପୁରୁଷ ଲେଖକ/କବି: ଜଗନ୍ନାଥ ପ୍ରସାଦ ଦାସ
ଝରକା

ଝରକା

ଆହୁରି ଗୋଟିଏ ଦିନ ଚାଲିଗଲା
ଏକାକୀ ରାସ୍ତାରେ
ଦି ପାଖର ଝରକାରେ
ମୁଁ ଖୋଜୁଚି ଚିହ୍ନ ମୁହଁ
ସେମାନେ କାହାନ୍ତି ସବୁ
ଯେଉଁମାନେ ଶୂନଶାନ ସିଡ଼ି ଘରେ
ସମୁଦ୍ରକୂଳରେ ଏବଂ ନିର୍ଜନ ଗଳିରେ
ସେମାନଙ୍କ ନୂଆ ନୂଆ ବୟସର ରହସ୍ୟ ସବୁକୁ
ବୁଝିବାକୁ ଆସୁଥିଲେ ମୋ ପାଖକୁ ଛପି ଛପି
ସକାଳ ସନ୍ଧ୍ୟାରେ
ଅନେକ ସନ୍ଧାନୀ ଆଖି ପାଖ ଘରେ ହସକୁ ନ ମାନି
ସ୍ୱପ୍ନର ଅଞ୍ଜନ ନେଇ ସେମାନଙ୍କ ଅବାକ ଆଖିରେ
ପଞ୍ଜୁରୀରେ ବନ୍ଦ କରି
ପକ୍ଷୀ ଭଳି ସେମାନଙ୍କ କୁମାରୀ ମନକୁ
ଯେଉଁମାନେ କେବେ ଦିନେ
ନିଜକୁ ବି ମୋ ପାଖରେ ସମର୍ପଣ କଲେ

ଗୋଟିଏ ଅଧ୍ୟାୟ ଗଲା
ହଜିଗଲେ ସେମାନେ ସମସ୍ତେ
ଇନ୍ଦ୍ରଜାଲ ସରିଗଲା
ପରୀମାନେ ଅନ୍ତର୍ଦ୍ଧାନ ହେଲେ
ଯେତେକ କୁଆଁରୀ ଝିଅ ପାଦରେ ଅଳତା ଦେଇ

ଚାଲିଗଲେ ବିବାହ ବେଦୀକୁ
ସେମାନେ ସମସ୍ତେ ଯାଇ ହଜିଗଲେ ଘର ସଂସାରରେ
କୁହୁକ ବି ବ୍ୟର୍ଥ ହେଲା
ଅତୀତ ଓ ଭବିଷ୍ୟତ ସବୁ ଲିଭିଗଲା
ଭୟପାଇ ପକ୍ଷୀମାନେ ଚାଲିଗଲେ ଅନ୍ୟ ଆକାଶକୁ
ପ୍ରେମର ତିନୋଟିଯାକ ଶପଥ ବି ହେଲା ନାହିଁ ପୂରା

ମୋ ରାସ୍ତା ଯାଉଚି ସରି
ଝରକାର ମୁହଁମାନେ ଗୁଡ଼ି ହୋଇ ଭାସୁଛନ୍ତି
କୋଠରୀର ଛୋଟ ଆକାଶରେ
ଆଖିମାନେ ତାରା ହୋଇ ଜଳୁଛନ୍ତି
ହସ ସବୁ ଭାଙ୍ଗି ଭାଙ୍ଗି ଚଟାଣରେ ଜମି ଯାଉଛନ୍ତି
ମଲା ଲୋକ ଶୋଇଛନ୍ତି ସେ ଘରର ଏକା ବିଛଣାରେ
ଅନେକ ଅଚିହ୍ନା ଏବଂ ଅନ୍ଧ ଲୋକ ଝରକାକୁ ଚାହିଁ
ମୋ ପାଖରେ ଠିଆ ହୋଇ ଏକା ଭଳି ସ୍ୱପ୍ନ ଦେଖୁଛନ୍ତି

ଏ ରାସ୍ତା ସରିବ ଏବଂ ସମୟ ବି ସୀମାବଦ୍ଧ ହେବ
ମୋର ପ୍ରିୟ ଡାଏରୀର ଫୁଲ ସବୁ
ମରିଯିବେ ଅତି ଉପେକ୍ଷାରେ
ଦେହର ଦୋକାନମାନ ବନ୍ଦ ହେବେ
ପ୍ରେମ ବି ମିଳିବ ନାହିଁ ମତେ ଆଉ ସହଜ କିସ୍ତିରେ
ଏ ଅନ୍ଧାର ଚଟାଣରେ କେହି ହେଲେ ଥିବେ ନାହିଁ ଆଉ
ଦି ପାଖ ଝରକା ସବୁ ଗୋଟି ଗୋଟି ବନ୍ଦ ହୋଇଯିବ
ଆହୁରି ଗୋଟିଏ ଦିନ ଏହିପରି ଚାଲିଯିବ ଯାଉ