ପ୍ରଭୁ କି ସୁନ୍ଦର ଦିଶ

ପ୍ରଭୁ କି ସୁନ୍ଦର ଦିଶ
ଲେଖକ/କବି: ଆର୍ତ୍ତ ଦାସ

ପ୍ରଭୁ କି ସୁନ୍ଦର ଦିଶ

 
ପ୍ରଭୁ କି ସୁନ୍ଦର ଦିଶ ବସି ରତ୍ନ ସିଂହାସନ ।
ପାପୀମାନେ ତରିଗଲେ କରି ତୁମ୍ଭ ଦରଶନ ।।

ଶଙ୍ଖ ଚକ୍ର ଗଦା ପଦ୍ମ ଦେଖି ହୋଇଲି ଆନନ୍ଦ ।
ମସ୍ତକେ ପୂର୍ଣ୍ଣିମା ଚାନ୍ଦ ଦିଶେ କେଡ଼େ ଶୋଭାବନ ।୧।

ମାଳମାନ ଲମ୍ବିଥାଇ ପାଦତଳ ଯାଏଁ ରହି ।
ବାସନାରେ ଚହଟଇ ପ୍ରଭୁ ତୁମ୍ଭ ଅଙ୍ଗମାନ ।୨।

କଟୀତଟେ ପୀତାମ୍ବର ଲମ୍ବିଥାଇ ପାଟ ତୋର ।
ବାଙ୍କ ଚାହାଣି ତୁମ୍ଭର ଅଙ୍ଗେ କର୍ପୂର ଚନ୍ଦନ ।୩।

ସୁବର୍ଣ୍ଣରେ ହସ୍ତ ପାଦ ନ ଶୁଣ ହେ ଭକ୍ତ ଭେଦ ।
ଭାବି କହେ ଆର୍ତ୍ତ ଛାର ଭକ୍ତ ଡାକକୁ ନ ଶୁଣ ।୪।